ଆଇପିଏଲ-୨୦୨୩ : ସଂଘର୍ଷପୂର୍ଣ୍ଣ ମୁକାବିଲାରେ କୋଲକାତାକୁ ୪ ଉଇକେଟରେ ହରାଇଲା ଦିଲ୍ଲୀ, ଚାଖିଲା ବିଜୟର ସ୍ଵାଦ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଟରାଇଡର୍ସ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ କୋଲକାତାକୁ ହରାଇ ଚଳିତ ସଂସ୍କରଣରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ । ପ୍ରଥମେ ବୋଲରଙ୍କ ଘାତକ ବୋଲିଂ ଓ ପରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁଁ ୪ ଉଇକେଟରେ କୋଲକାତାକୁ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରି କୋଲକାତା ପ୍ରତିପକ୍ଷ ଦିଲ୍ଲୀ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୨୭ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୭ ରନ ବଳରେ ଦିଲ୍ଲୀ ୧୯.୨ ଓଭରରେ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ମାତ୍ର ୧୨୮ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟ ବହୁ କଷ୍ଟରେ ଜିତିଲା ଦିଲ୍ଲୀ । ଛୋଟ ସ୍କୋର କରି ବି ଶେଷ ପର୍ଯ୍ୟନ୍ତ ଲଢିଲା କୋଲକାତା। ମାତ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ ବହୁ କଷ୍ଟରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛି। କ୍ରମାଗତ ୫ ଟି ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି ଦଳ । ବିଜୟ ସହ ଦିଲ୍ଲୀ ପଏଣ୍ଟ ଖାତା ଖୋଲିଛି । ସେହିପରି କୋଲକାତା ୬ଷ୍ଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ଭୋଗିଛି ।
ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। । କୋଲକାତା ପକ୍ଷରୁ ଜାସନ ରୟ ଏବଂ ଆନ୍ଦ୍ରେ ରସେଲଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରିନଥିଲେ। ୮ ଜଣ ଖେଳାଳି ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। ଜାସନ ରାୟ ଗୋଟିଏ ପଟେ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଜଣେ ପରେ ଜଣେ ବ୍ୟାଟର ଆସି ପାଭିଲିୟନ ଫେରୁଥିଲେ। ଲିନଟ ଦାସ ୪, ଭେଙ୍କଟେଶ ଆୟର ୦, ଅଧିନାୟକ ନୀତିଶ ରାଣା ୪, ମନଦୀପ ସିଂ ୧୨ ରନ କରି ପାଭିଲିୟନ ଫେରିଥିଲେ। ଭଲ ଫର୍ମରେ ଥିବା ରିଙ୍କୁ ସିଂ(୬) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସୁନିଲ ନାରିନ ୪ ମଧ୍ୟ ନିରାଶ କରିଥିଲେ। ଜାସନ ରୟ ୩୯ ବଲ୍ରୁ ୫ ଚୌକା ଏବଂ ୧ ଛକା ସହାୟତାରେ ୪୩ ରନ କରି ପାଭିଲିୟନ ଫେରିଥିଲେ। ୯ ଓ୍ଵିକେଟ୍ ହରାଇ ୯୬ ରନ କରିଥିବା କୋଲକାତା ଶେଷ ଆଡକୁ ଆନ୍ଦ୍ରେ ରସେଲଙ୍କ ୩୮ ରନ ବଳରେ ୧୨୭ ରନ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅନରିଚ ନୋର୍ଜି,ଅକ୍ଷର ପଟେଲ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
