ଆଇପିଏଲ-୨୦୨୩ : ଆଜି ପଞ୍ଜାବ-ବାଙ୍ଗାଲୋର ମୁକାବିଲା
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ଖେଳାଯିବ ଡବଲ୍ ହେଡର ମ୍ୟାଚ । ଗୁରୁବାର ଅପରାହ୍ଣରେ ୨୭ ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ୨୮ ତମ ମ୍ୟାଚ୍ରେ
ଦେଲ୍ହୀ କ୍ୟାପିଟାଲସ ଓ କୋଲକାତା ନାଇଟ ରାଇଡ଼ର୍ସ ମୁହାଁମୁହିଁ ହେବେ ।
ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ପରାଜିତ ହେବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବିଜୟଧାରାକୁ ଫେରିବା ପାଇଁ ବ୍ୟାକୁଳ । ଅନ୍ୟ ପଟରେ ପଞ୍ଜାବ ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିବାରୁ ବିଜୟ ଜାରି ରଖିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ରେ ଆରସିବି ବିପକ୍ଷରେ ପଞ୍ଜାବ କିଙ୍ଗ୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍ରୁ ପଞ୍ଜାବ କିଙ୍ଗ୍ସ ୪ଟି ମ୍ୟାଚ୍ରେ ବିଜୟୀ ହୋଇଛି । ସେହିପରି ଆଇପିଏଲ ଇତିହାସରେ ଉଭୟ ଦଳର ମଧ୍ୟରେ ୩୦ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ପଞ୍ଜାବ କିଙ୍ଗ୍ସ ୧୭ଟି ଓ ଆରସିବି ୧୩ଟି ମ୍ୟାଚ୍ ଜିତିଛନ୍ତି । ବିଶେଷ କରି ଆଜିର ମ୍ୟାଚ୍ରେ ବିରାଟ କୋହଲି ଓ କାଗିସୋ ରାବାଡାଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ରାବାଡା ଆଇପିଏଲରେ କୋହଲି ଓ ଦିନେଶ କାର୍ତ୍ତିକଙ୍କୁ ୪ଥର ଲେଖାଏଁ ଆଉଟ୍ କରିସାରିଛନ୍ତି । ସେହପିରି ଡୁ ପ୍ଲେସି ଓ ମ୍ୟାକ୍ସୱେଲଙ୍କୁ ସେ ୩ଥର ଲେଖାଏଁ ଆଉଟ୍ କରିଛନ୍ତି ।
ସମ୍ପ୍ରତି ପଞ୍ଜାବ ୫ ମ୍ୟାଚ୍ ଖେଳି ୬ ପଏଣ୍ଟ ସହ ଟେବୁଲର ପଞ୍ଚମରେ ରହିଥିବା ବେଳେ ଆର୍ସିବି ୫ ମ୍ୟାଚ୍ ଖେଳି ୪ ପଏଣ୍ଟ ସହ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।
ପଞ୍ଜାବ କିଙ୍ଗ୍ସ ସମ୍ଭାବ୍ୟ ଦଳ : ଶିଖର ଧାୱନ(ଅଧିନାୟକ), ପ୍ରଭସିମରନ ସିଂହ, ମାଥ୍ୟୁ ସର୍ଟ/ ଲାଏମ ଲଭିଙ୍ଗଷ୍ଟୋନ, ହରପ୍ରୀତ ସିଂହ, ସିକନ୍ଦର ରାଜା, ଜିତେଶ ଶର୍ମା, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର ।
ରୟାଲ୍ ଚ୍ୟାଲେଞ୍ଜର୍ସ ସମ୍ଭାବ୍ୟ ଦଳ : ବିରାଟ କୋହଲି, ଫାଫ ଡୁ ପ୍ଲେସି(ଅଧିନାୟକ), ମହିପାଲ୍ ଲୋମରର, ଗ୍ଲେନ ମ୍ୟାକ୍ସୱେଲ୍, ସୂୟାଶ ପ୍ରଭୁଦେଶାଇ, ଦିନେଶ କାର୍ତ୍ତିକ, ସାହବାଜ ଅହମ୍ମଦ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ୱେନ ପାର୍ନେଲ, ଆକାଶ ଦୀପ, ମହମ୍ମଦ ସିରାଜ ।
