ଜନ୍ମାଷ୍ଟମୀ କଥା

ଜନ୍ମାଷ୍ଟମୀ କଥା
~~~~

ବର୍ଷା କାଳର ଅନ୍ଧାର ରାତି, ପବନ-ବିଜୁଳି ତୀବ୍ର ହୁଅନ୍ତି
ଅଧର୍ମ କୁ ପୁଣି ନାଶ କରିବାକୁ, ପ୍ରଭୁ ସେତେବେଳେ ଜନ୍ମ ନିଅନ୍ତି ||
କଂସ ରାଜା ର କାରାଗାର ରସି ଆପେ ଆପେ ହାତୁ ଖସିଯାଇଅଛି
ଦ୍ୱାରପାଳ ସତେ କେଉଁ ନିଶା କରି ଅତୁଟ ନିଦ୍ରାରେ ଶୋଇକିରହିଛି ||
କାରାଗାର ର ସେ ଚାରି କାନ୍ଥ ଏବେ ଗୁଞ୍ଜିତ ହୁଏ କ୍ରନ୍ଦନ ରେ
ଦେବକୀ ମା’ ର କୋଳ ପୁରିଅଛି ଆଜି ତା କୁଳର ନନ୍ଦନରେ ||
ହେଲେ ଏହି ଖୁସି କ୍ଷଣିକର ମାତ୍ର , କଂସ ରାଜା କଥା ମନେପଡ଼ିଯାଏ
ପୁଅର ଜୀବନ ରକ୍ଷା ପାଇଁକି, ମା’ ନିଜଠାରୁ ଦୂର କରିଦିଏ ||
ପିତା ତା ଛାତିକୁ ପଥର କରିକି ପୁଅର ଟୋକେଇ ମୁଣ୍ଡରେ ମୁଣ୍ଡାଏ
କାରାଗାର ଦ୍ୱାର ଆପେ ଖୋଲିଯାଏ, ସତେକି ବିଧାତା ବାଟ କାଢୁଥାଏ ||
ବର୍ଷା-ବିଜୁଳି-ଘଡଘଡି ସବୁ ଏକସଙ୍ଗେ ରେ ହିଁ ଏକତ୍ରିତ ହୁଏ
ସତେ କି ସଂସାର କରତା କୁ ସିଏ ଶିଶୁ ରୂପେ ଟିକେ ଦେଖିବାକୁ ଚାହେଁ ||
ଆସିଲା ବିରାଟ ଚିନ୍ତା ର ସମୟ, ଯମୁନା ନଦୀ କୁ ପାରିକରିବାର
ଅଟେ ସେ ନଦୀ ର ଆକାର ବିରାଟ ଜଳ ସୀମା ମଧ୍ୟ ଅକାତ ତାହାର ||
ହେଲେ ଅନ୍ୟ କିଛି ଉପାୟ ବି ନାହିଁ, ନଦୀ ଆରପଟେ ଅଛି ଗୋପପୁର
ସୁନ୍ଦର ସୁଜଳା ସମୃଦ୍ଧି ରେ ପୂର୍ଣ୍ଣ ଗ୍ରାମ ଅଟେ ସିଏ ନନ୍ଦ ରାଜାଙ୍କର ||
ତାଙ୍କ ହାତେ ଦେଇ ପୁତ୍ର ର ଦାୟିତ୍ୱ ଫେରିବାକୁ ହେବ ପୁଣି କାରାଗାର
ଓଲ୍ହାଇଲେ ପିତା ଯମୁନା ଭିତରେ ନକରି ବେଶୀ ଚିନ୍ତା କି ବିଚାର ||
ହେଲା ଚମତ୍କାର ପୁଣି ଥରେ ଏକ, ଅସମ୍ଭବ ପୁଣି ହୋଇଲା ସମ୍ଭବ
ପ୍ରଭୁ ଙ୍କ ପାଇଁକି ବାଟ କାଢ଼ିବାକୁ ଯମୁନାର ପାଣି ହେଲା ଦୁଇ ଭାଗ ||
ଯମୁନା ମଝିରେ ଚାଲିବା ଆରମ୍ଭ କରିଥିଲେ ଯେବେ ବସୁଦେବ ପିତା
ବରଷା ଦାଉରୁ ରକ୍ଷା କରିବାକୁ ବାସୁକୀ ନାଗ ଯେ ସାଜିଯାଇଥିଲା ଛତା ||
ଯମୁନା ନଦୀକୁ ପାରିହୋଇକରି ପହଞ୍ଚିଲେ ସିଏ ନନ୍ଦପୁର ଠାରେ
ପୁତ୍ର ର ଦାୟିତ୍ୱ ଦେଇକି ଫେରିଲେ ନନ୍ଦ ରାଜା-ଯଶୋଦାଙ୍କର ହାତରେ ||
ସେହି ଦିନ ଠାରୁ ହୋଇକି ରହିଲେ ନନ୍ଦ-ଯଶୋଦା ଙ୍କ କୁଳର ନନ୍ଦନ
ଗୋପପୁର ର ସେ ଜୀବନ ସାଜିଲେ ନାମ ରଖା ଗଲା ତାଙ୍କର ଶ୍ରୀ କୃଷ୍ଣ ||
ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନମର କଥା
ଅସାଧାରଣ ଏ ଜନ୍ମାଷ୍ଟମୀ କଥା ||

               ଆଞ୍ଚଲ ଆୟୁଷ୍ମତୀ
            ୟୁନିଟ-6, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *