କୋଣାର୍କ ନାଟ୍ୟମଣ୍ଡପରେ ଝୁଲଣ ଉତ୍ସବ ଆରମ୍ଭ

କୋଣାର୍କ – କୋଣାର୍କ ଅର୍କ ବିହାର ସ୍ଥିତ ସ୍ଵର୍ଗତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟ ମଣ୍ଡପରେ ୫ ଦିନିଆ ଝୁଲଣ ଉତ୍ସବ ଆରମ୍ଭ ହୋଇଛି। ଶ୍ରାବଣ ମାସର ମୌସୁମୀ ବର୍ଷା ଧାରାରେ ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରେମର ଭାବ ନେଇ ଶ୍ରଦ୍ଧାଳୁ ମାନେ ଏହି ଝୁଲଣ ଉତ୍ସବ ପାଳନ କରନ୍ତି। ସୁସଜ୍ଜିତ ଦୋଳାୟମାନ ବିମାନରେ ପ୍ରେମ ଓ ଭକ୍ତିର ପ୍ରତୀକ ପ୍ରଭୂ ଶ୍ରୀକୃଷ୍ଣ ଓ ରାଧା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଏ। ଏହି ଅବସରରେ ନାଟ୍ୟ ମଣ୍ଡପ ପକ୍ଷରୁ ଝୁଲଣ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଏ। ପ୍ରତିଦିନ ସଂଧ୍ୟାରେ ରାଧାକୃଷ୍ଣ ଙ୍କ ପୂଜାର୍ଚ୍ଚନା ଓ ଝୁଲଣ ସହ ଆରମ୍ଭ ହୁଏ ସଂଧ୍ୟା। ୫ ଦିନିଆ ଝୁଲଣ ଉତ୍ସବରେ ପ୍ରଥମ ସଂଧ୍ୟାରେ ଭୁବନେଶ୍ଵରର ଗୁରୁ ଜବାହର ମିଶ୍ରଙ୍କ ଦ୍ଵାରା ଆକର୍ଷଣୀୟ ବଂଶୀ ବାଦନ, ହାଇଦରାବାଦର ସୁହାନି ଚାଟର୍ଜୀଙ୍କ ଦ୍ଵାରା ଚିତ୍ତାକର୍ଷକ ଶାସ୍ତ୍ରୀୟ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷ ପର୍ଯ୍ୟାୟରେ କୋଲକାତାର ଅନିଶା ମଣ୍ଡଳ ଓ ସଂଜୟ ସ ଙ୍କ ଦ୍ଵାରା ଭାବତ୍ମକ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଧ କରିଥିଲା। ଆଜିର ଏହି ଉତ୍ସବର ଶୁଭ ଉଦଘାଟନରେ ଅତିଥି ଭାବେ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଶିକ୍ଷାବିତ୍ ଶରତ ପ୍ରଧାନ, ମହିଳା ସଂଗଠିକା ସମାଜସେବୀ ମିନାକ୍ଷୀ ପୃଷ୍ଟି, ଯୁବ ସମାଜସେବୀ ମନୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବକୁ ନାଟ୍ୟମଣ୍ଡପ ସଭାପତି ଖଗେଶ୍ବର ଖଣ୍ଡାୟତରାୟ, ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ, ରମଣୀ ରଞ୍ଜନ ଜେନା ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *