କାର୍ତ୍ତିକପୂର୍ଣ୍ଣିମା

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇଥିଲେ । ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ଗୋପାଳ ବଲ୍ଲଭ, ସକାଳଧୁପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଥାଏ । ‌ସେପଟେ ଆଜିର ଏହି ଦୁର୍ଲଭ ସୁବର୍ଣ୍ନ ବେଶ ଦର୍ଶନରୁ ଭକ୍ତ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ବନ୍ଦ ରଖାଯାଇଛି। ଭକ୍ତମାନେ ପତିତପାବନଙ୍କୁ ଦର୍ଶନ କରୁଥିବାରୁ ଶ୍ରୀମନ୍ଦିର ବାହାରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଅନ୍ୟପଟେ ଆଜି ମହାଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ବ୍ରତଧାରୀ ଓ ହବିଷ୍ୟାଳିଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହା ଉପରେ ରୋକ୍ ଲାଗିଥିବା ସତ୍ୱେ କିଛି ଭକ୍ତ ମହୋଦଧିରେ ଡ଼ଙ୍ଗା ଭଷାଉଥିବା ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସାମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ବ୍ୟାପକ ପୋଲିସଙ୍କୁ ନିୟୋଜିତ କରାଯାଇଥିବା ବେଳେ ଶ୍ରୀମନ୍ଦିର ବାହାରେ, ସମୁଦ୍ରକୁଳ, ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିବା ବେଳେ ଆଗ୍ନିକ ଓ ଲାଇଫଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *