ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ
ଟିମ୍କାକଟପୁର- କାକଟପୁର ବ୍ଲକ ଅଧୀନ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣିଆ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିଲେ। କାୟାକଳ୍ପ ଯୋଜନା ଅନ୍ତର୍ଗତ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା, ସୁରକ୍ଷା ଓ ରୋଗୀସେବାର ଗୁଣମାନ ଆକଳନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପିଏସ୍ଆଇ ଇଣ୍ଡିଆ ରୁବି ରାଉତ, ଡ. ମନୋରଞ୍ଜନ ହାତି, ସୌମ୍ୟାଶ୍ରୀ ମହାପାତ୍ର, କସ୍ତୁରୀ ପ୍ରିୟମ୍ବଦା ଗଠିତ କାୟାକଳ୍ପ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଶାନ୍ତଭୂଷଣ ଜେନା ଟିମ୍କୁ ସ୍ବାଗତ କରି ସ୍ବାସ୍ଥ୍ୟକେନ୍ଦ୍ରର ପରିଚାଳନା, ସୁବିଧା ଓ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏହି ସମୟରେ କାୟାକଳ୍ପ ଟିମ୍ ଆଉଟ୍ ଡୋର, ଇନ୍ଡୋର, ପ୍ରସୂତି ୱାର୍ଡ, ଶିଶୁ ୱାର୍ଡ, ଲ୍ୟାବ, ଔଷଧ ଭଣ୍ଡାର, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ସହିତ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକ କାଗଜପତ୍ର ଯାଞ୍ଚ ସହ ଚତୁଃପାର୍ଶ୍ଵ ପରିଦର୍ଶନ କରିଥିଲେ। ସ୍ବଚ୍ଛତା, ବର୍ଜ୍ୟ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ରୋଗୀସେବାର ମାନଦଣ୍ଡ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ମେଡିକାଲ ଷ୍ଟାପ୍ମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ସମସ୍ୟା ଭାବେ ସ୍ପେଶାଲିଷ୍ଟ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ, ଔଷଧ ବଣ୍ଟନରେ ଅସୁବିଧା, ରୋଗୀ ଭିଡ଼ ସମ୍ପର୍କରେ ଆଲୋଚନା ହୋଇଥିଲା। କାୟାକଳ୍ପ ଟିମ ପରିଦର୍ଶନ ଓ ଆଲୋଚନା ଆଧାରରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କୁ ଦାଖଲ କରିବେ ବୋଲି ଜଣାଇଛନ୍ତି। ଆମ ମେଡ଼ିକାଲ ଅତ୍ୟନ୍ତ ସ୍ୱଚ୍ଛ, ସୁନ୍ଦର ଓ ଉତ୍ତମ ସେବା ଯୋଗାଇ ଦେଉଛି। ଏହି ରିପୋର୍ଟ ଆଧାରରେ ଆଗାମୀ ଦିନରେ ବାଙ୍ଗୁରିଗାଁ ମେଡିକାଲ୍ର ଭିତ୍ତିଭୂମି ଓ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ମେଡିକାଲ୍ ଅଧିକାରୀ ଡ. ଶାନ୍ତିଭୂଷଣ ଜେନା ଆଶା ପ୍ରକାଶ କରିଛନ୍ତି।
