ସରକାରୀ ଚିକିତ୍ସା ପ୍ରତି ଆସ୍ଥାଭାଜନ କରାଇ ମେଡିକାଲର ବଦଳାଇଛନ୍ତି କାୟାକଳ୍ପ
ଘଟଗାଁ-ଡାକ୍ତର ହେବା ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱପ୍ନ ଥାଏ । ଡାକ୍ତର ହୋଇ ଗରିବ ନିସହାୟ ରୋଗୀଙ୍କୁ ସେବା କରିବା ବହୁତ କମ ଲୋକ ସ୍ୱପ୍ନ ଦେଖିଥାନ୍ତି । ଏହି ପେଶା ରେ ସମ୍ମାନ ସହ ଟଙ୍କା ରୋଜଗାରର ଏକ ମାଧ୍ୟମ ହୋଇଥିବା ବେଳେ ବହୁ ନୂତନ ଡାକ୍ତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ରୋଗୀସେବା କରିବାକୁ ଅମଙ୍ଗ ହୋଇଥାନ୍ତି । କିନ୍ତୁ ଏଭଳି ଡାକ୍ତର ଅଛନ୍ତି ଯିଏ କି ଏହି ଡାକ୍ତରୀ ପେଶା କୁ ନିଶା ଭାବେ ଗ୍ରହଣ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ନିରବିଚ୍ଛିନ୍ନ ଓ ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ଆସୁଛନ୍ତି । ସେଥିମଧ୍ୟରୁ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡଃ ମୁକ୍ତିକାନ୍ତ ନାଏକ ଅନ୍ୟତମ । ଡଃ ମୁକ୍ତିକାନ୍ତ ନାଏକ ୨୪ ବର୍ଷ ପୂର୍ବେ ଘରର ଆର୍ଥିକ ଅନଟନ ସ୍ୱତେ ଡାକ୍ତରୀ ପାଠ ପଢିଥିଲେ । ପାଠପଢି କୌଣସି ବେସରକାରୀ ଅନୁଷ୍ଠାନ ରେ କାର୍ଯ୍ୟ ନକରି ସେବା ମନୋଭାବ ନେଇ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୧୧ ରୁ ଉର୍ଦ୍ଧ୍ବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିଆସିଛନ୍ତି ଡ଼ଃ ନାଏକ । ଆଦିବାସୀ ବହୁଳ ଉକ୍ତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ସମୟରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ବେଳେ ୨୦୦୯ ମସିହାରୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ତୁଲାଉଛନ୍ତି ଡ଼ଃ ନାଏକ । ଏକଦା ଆଦିବାସୀ ବହୁଳ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେଫେରାଲ କେନ୍ଦ୍ର ହିସାବରେ ପରିଚିତ ହେଉଥିଲା । ଏହି କେନ୍ଦ୍ରକୁ ଗୁରୁତର ରୋଗୀ ଆସିବାକୁ ଅମଙ୍ଗ ହେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କଟକ ପଳାଉଥିଲେ । କିନ୍ତୁ ଡ଼ଃ ନାଏକ ଙ୍କ ନିରବିଚ୍ଛିନ୍ନ ସେବା ଫଳରେ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାଧାରଣ ଲୋକଙ୍କ ସେବା କେନ୍ଦ୍ର ହୋଇପାରିଛି । ଡ଼ଃ ନାଏକ ଏହି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଭଳି ସେବା ଯୋଗାଉଛନ୍ତି । ଗୁରୁତର ସାପ କାମୁଡ଼ା ହେଉକି, ଦୁର୍ଘଟଣା କିମ୍ବା କୌଣସି ଗୁରୁତର ଶଲ୍ୟ ଚିକିତ୍ସା ସମସ୍ତ ସୁବିଧା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଉପକୃତ ହେଉଛନ୍ତି । ସରକାରୀ ମେଡିକାଲ ରେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆ ଯାଉନଥିବା ବେଳେ କିନ୍ତୁ ଡ଼ଃ ନାଏକଙ୍କ ପ୍ରଚେଷ୍ଟା ବଳରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱଚ୍ଛତାରେ ଏକ ଅନ୍ୟ କେନ୍ଦ୍ର ପାଇଁ ମଡେଲ ହୋଇ ପାରିଛି । ମେଡିକାଲ ପରିସର ସବୁବେଳେ ସ୍ୱଚ୍ଛତା ରହୁଥିବା ବେଳେ ୱେଷ୍ଟ ମ୍ୟାନେଜମେଣ୍ଟ ର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଇଛନ୍ତି ଡ଼ଃ ନାଏକ । ଯାହା ଫଳରେ ଏହି କେନ୍ଦ୍ରକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଏହା ସହ କୌଣସି ଘରୋଇ ମେଡିକାଲ ଭଳି ଏହି ମେଡିକାଲ ପରିସରରେ କିଚେନ ଗାର୍ଡେନ କରିଥିବା ବେଳେ ଗାମୁସିଆ ମାଛ ର ପ୍ରଜନନ କେନ୍ଦ୍ର କରି ସାରା ରାଜ୍ୟକୁ ଏହି କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଉଛି । ଡ଼ଃ ନାଏକ ଙ୍କ ଏହି ନିରବିଚ୍ଛିନ୍ନ ସେବା ଫଳରେ ସେ ଚାରିସହ ସାପ କାମୁଡା, ଚଉଦ ହଜାର ରୁ ଉର୍ଦ୍ଧ୍ବ ଶଲ୍ୟ ଚିକିତ୍ସା, ଚାରି ହଜାର ରୁ ଉର୍ଦ୍ଧ୍ବ ବନ୍ଧ୍ୟାକରଣ ଚିକିତ୍ସା, ଛ ହଜାର ରୁ ଉର୍ଦ୍ଧ୍ବ ପ୍ରସୂତି ଆଦି ସେବା କରି ସାରା ରାଜ୍ୟରେ ଏକ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ନିରବିଚ୍ଛିନ୍ନ ସେବା ପାଇଁ ସେ ମେଡିକାଲ ପରିସରରେ ଏକ ଛୋଟ କୋଠରୀ କୁ ନିଜ ବାସଗୃହ କରିଛନ୍ତି । ଫଳରେ ଦିନ ହେଉକି ରାତି ରୋଗୀସେବା ତାଙ୍କର ମୂଳଲକ୍ଷ କରିଛନ୍ତି । ଏହା ଫଳରେ ସରକାରି ମେଡିକାଲ ପ୍ରତି ଲୋକଙ୍କ ଆସ୍ଥାଭାଜନ କରାଇବାରେ ଡ଼ଃ ମୁକ୍ତିକାନ୍ତ ନାଏକ ସଫଳ ହୋଇଛନ୍ତି । ଏହି ନିରବିଚ୍ଛିନ୍ନ ସେବା ଓ ନୂତନ ଦୃଷ୍ଟାନ୍ତ ସୃଷ୍ଟି ପାଇଁ ସେ ରାଜ୍ୟ ସରକାରଙ୍କ ଟ୍ରେନର ହୋଇ ଅନ୍ୟ ଡାକ୍ତର ଙ୍କୁ ଶିକ୍ଷା ଦେଉଛନ୍ତି । ଏହି ଗୋଷ୍ଠୀ କେନ୍ଦ୍ର ର କାୟାକଳ୍ପ ବଦଳାଇ ଥିବାରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବହୁ ସମ୍ମାନ ରେ ନିଜେ ସମ୍ମାନିତ ହେବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମଧ୍ୟ ସମ୍ମାନିତ କରିଛନ୍ତି ।ସେଥିପାଇଁ ଉକ୍ତ ଘଟଗାଁ ଅଞ୍ଚଳରେ ସେ କାହା ପାଇଁ ଦେବଦୂତ ସଦୃଶ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଡାକ୍ତର ହୋଇଛନ୍ତି। ଏକନିଷ୍ଠ ହୋଇ ରୋଗୀସେବା କୁ ଗୁରୁତ୍ୱ ଦେବା ସହ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଲେ ରୋଗୀ ସରକାରୀ ମେଡିକାଲ ପ୍ରତି ଆକୃଷ୍ଟ ହେବେ ବୋଲି ଡ଼ଃ ମୁକ୍ତିକାନ୍ତ ନାଏକ ପ୍ରକାଶ କରିଛନ୍ତି । ମୁକ୍ତିକାନ୍ତ ଙ୍କ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଗର୍ବିତ ଥିବାବେଳେ ଅନ୍ୟ ମାନଙ୍କ ପାଇଁ ସେ ଉଧାହରଣ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ମନୋଜ କୁମାର ବେହେରା।
