ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା
ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା । ଏଣିକି ସକାଳ ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଶନିବାର ମଧ୍ୟ ମିଳିପାରିବ ଦର୍ଶନ। ସାନିଟାଇଜ ପାଇଁ ରବିବାର ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ପ୍ରମୁଖ ପର୍ବପର୍ବାଣି ଦିନ ଶ୍ରୀମନ୍ଦିର ବନ୍ଦ ରଖିବା ନେଇ ହୋଇଛି ନିଷ୍ପତ୍ତି । ତେବେ ପୂର୍ବ ଭଳି ଦୁଇ ଡୋଜ ଟୀକା ସାର୍ଟିଫିକେଟ କିମ୍ବା ୯୬ଘଣ୍ଟା ମଧ୍ୟର RTPCR ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ ।
ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଭରଚୁଆଲ ବୈଠକ ମାଧ୍ୟମରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗୁରୁତ୍ତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଛି l ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଏସଓପି କୁ କୋହଳ କରାଯାଇଛି । ଏଣିକି ଶନିବାର ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ରବିବାର ଶ୍ରୀମନ୍ଦିର ସାନିଟାଇଜ ପାଇଁ ବନ୍ଦ ରଖାଯିବ । ଏସଓପି ଅନୁସାରେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ଥିବା ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରେ ଭକ୍ତମାନେ ଦୀପ ବସାଇବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପକ୍ଷରେ କିନ୍ତୁ ପୂର୍ବ ଭଳି ଦୁଇଡୋଜ ଟୀକା ସାର୍ଟିଫିକେଟ କିମ୍ବା ୯୬ଘଣ୍ଟା ମଧ୍ୟର RTPCR ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ ରଖାଯାଇଥିବା ବେଳେ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ବଳବତର ରହିଛି | ଆଗାମୀ ୧୦ତାରିଖ ଗଣେଶ ପୂଜା ଓ ୧୭ତାରିଖ ବାମନ ଜନ୍ମ ନୀତି ବ୍ୟତୀତ ଅକ୍ଟୋବର ମାସର 6ତାରିଖ ମହାଳୟା,୧୫ତାରିଖ ଦଶହରା ଓ ୨୦ତାରିଖ ଦିନ କୁମାର ପୂର୍ଣ୍ଣିମା ଶ୍ରୀମନ୍ଦିର ବନ୍ଦ ରହିବ । ସେହିପରି ଭକ୍ତଙ୍କ ପାଇଁ ସୁବିଧାରେ ମହାପ୍ରସାଦ ପାଇବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଉଦ୍ଦେଶ୍ୟରେ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇପାରେ ।
ଆସନ୍ତା କାଲିଠୁ କୋହଳ SOP ଅନୁସାରେ ଦର୍ଶନ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ମାସରେ ପୁନର୍ବାର ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ |
