ଅନୁପମ ବର ପାଇଁ କୁଆଁରୀ ଝିଅଙ୍କ ଚନ୍ଦ୍ର ପୂଜା ।
ଗଣିଆ -ଗଣିଆ ର ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି ଓଡ଼ିଶାର ଗଣପର୍ବ କୁମାର ପୂର୍ଣ୍ଣିମା।ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ସାରା ଓଡ଼ିଶାରେ ଆଜି କୁମାର ପୂର୍ଣ୍ଣିମା ପର୍ବ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। କୁମାର ପୂର୍ଣ୍ଣିମା ପର୍ବ ବିଶେଷ ଭାବେ କୁଆଁରୀ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଦିନ ଝିଅମାନେ ସୁନ୍ଦର ଓ ଅନୁପମ ବର ପାଇବା ପାଇଁ ଭଗବାନ କାର୍ତ୍ତିକେୟ ଏବଂ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି। ଝିଅମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ପୋଷାକ ପରିଧାନ କରିଥାନ୍ତି।ସକାଳେ ଝିଅମାନେ ଜାହ୍, ଖଇ, ଲିଆ, କଦଳୀ, ନଡ଼ିଆ ଓ ବିଭିନ୍ନ ଫୁଲରେ ତିଆରି ଅଞ୍ଜୁଳି ଦେଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି। ସନ୍ଧ୍ୟା ସମୟରେ, ପରିବେଶକୁ ପବିତ୍ର କରିବା ପାଇଁ ଧୂପ, ଦୀପ, ଝୁଣା ଓ ଶଙ୍ଖ ବଜାଯାଏ। ଝିଅମାନେ ଉଦିତ ଚନ୍ଦ୍ରଙ୍କୁ ଆରାଧନା କରନ୍ତି।ପୂଜା ପରେ ସମସ୍ତେ ଉପବାସ ଭାଙ୍ଗି ଚାନ୍ଦ ଚକଟା ଭୋଗ କରିଥାନ୍ତି। ଏହି ପ୍ରସାଦ ଲିଆ, କଦଳୀ, ଛେନା ଓ ଚିନିରେ ତିଆରି ହୋଇଥାଏ ଏବଂ ଏହାକୁ ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବଣ୍ଟାଯାଇଥାଏ।ଏହି ଦିନ ବିଭିନ୍ନ ସ୍ଥାନରେ କୁଆଁରୀ ଝିଅମାନେ ଏକାଠି ହୋଇ ପାରମ୍ପରିକ ଖେଳ, ବିଶେଷକରି ‘ପୁଚି ଖେଳ’ ଖେଳିଥାନ୍ତି, ଯାହା ଏହି ପର୍ବର ଏକ ବିଶେଷ ଆକର୍ଷଣ।କୁମାର ପୂର୍ଣ୍ଣିମାକୁ ଶରତ ଋତୁର ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ଭାବେ ବିବେଚନା କରାଯାଏ ।କୁମାର ପୂର୍ଣ୍ଣିମା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ସାମାଜିକ ସଦ୍ଭାବନା ଓ ସଂସ୍କୃତିର ପ୍ରତୀକ ମଧ୍ୟ। ଏହା ସମାଜରେ ଏକତା ଏବଂ ପ୍ରେମର ବାର୍ତ୍ତା ପ୍ରଚାର କରେ। କୁଆଁରୀ ଝିଅମାନଙ୍କର ଏକାଠି ମିଶି ପୂଜା କରିବା ଓ ଖେଳିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଏକ ଭିନ୍ନ ଆନନ୍ଦର ବାତାବରଣ ସୃଷ୍ଟି କରିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ସଫଳତାର ସହ ପାଳନ କରାଯାଇଛି।
