ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସଚେତନତା ରଥ ଶୁଭାରମ୍ଭ

ସହଯୋଗ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ସହ ବୈଠକ ଅନୁଷ୍ଠିତ* ଭୁବନେଶ୍ୱର -ତା. ୦୪.୧୧.୨୦୨୩- ଭୁବନେଶ୍ୱର ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ବ କରାଯାଇଛି । ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ସଂଶୋଧନ ନିମନ୍ତେ ସଚେତନତା ସୃଷ୍ଟି କରିବ ।୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଗୋଟିଏ ବର୍ଷରେ ୪ ଥର ଅର୍ଥାତ ଜାନୁଆରୀ ୧, ଅପ୍ରେଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧରାଯାଇଛି ଏବଂ ନୂତନ ଭୋଟର ମାନେ ଭୋଟର ତାଲିକାରେ ନାମ ଅନ୍ତଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ । ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ନାମ ଯୋଗ ପାଇଁ ଫର୍ମ ନଂ ୬, ଭୋଟର ତାଲିକରୁ ନାମ ବାଦ ଦେବା କିମ୍ବା କାଟିବା ପାଇଁ ଫର୍ମ ନଂ ୭ ଓ ତୃଟି ସଂଶୋଧନ ପାଇଁ ଫର୍ମ ନଂ୮ କୁ ଉପଯୋଗ କରିପାରିବେ ।ଏଥିସହ ଆଜି ଅପରାହ୍ନରେ ଏହି ପରିପ୍ରେକ୍ଷୀରେ ସମସ୍ତ ରାଜନୈତିକ ଦଳ ମାନଙ୍କ ସହଯୋଗ ଲୋଡି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ଚଳିତ ମାସ ୫,୧୧,୧୯ ଓ ୨୫ ତାରିଖ ସ୍ୱତନ୍ତ୍ର ପ୍ରଚାର ଦିବସ ଗୁଡିକରେ ଭୋଟର ମାନେ ନିଜ ନାମ ଯୋଗ, ବାଦ କିମ୍ବା ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ । ଉକ୍ତ ଦିନ ଗୁଡିକରେ ସମ୍ପୃକ୍ତ ବୁଥରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିବେ । ଭୋଟର ତାଲିକାକୁ ସ୍ଵଚ୍ଛ ଓ ନିର୍ଭୁଲ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକର ସହଯୋଗ ଲୋଡ଼ା ଯାଇଛି ।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ କୁମାର ଆଚାର୍ଯ୍ୟ, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ରାଜନୈତିକ ଦଳ ଗୁଡିକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *