ପୁରୀରେ ଶିକ୍ଷକ-କର୍ମଚାରୀଙ୍କ ବିଶାଳ ଶୋଭାଯାତ୍ରା
ପୁରୀରେ ଶିକ୍ଷକ-କର୍ମଚାରୀଙ୍କ ବିଶାଳ ଶୋଭାଯାତ୍ରା; ଅଗଷ୍ଟ ୧୬ରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ମହାସମାବେଶ ଓ ଆହୋରାତ୍ର ଗଣଧାରଣା ଚେତାବନୀ।”ପୁରୀ,ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କରିଛି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି। ପୁରୀରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବାବେଳେ ଅଗଷ୍ଟ ୧୬ରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ମହାସମାବେଶ ଓ ଆହୋରାତ୍ର ଗଣଧାରଣାର ଚେତାବନୀ ଦେଇଛନ୍ତି।ପୁରୀ ଜିଲ୍ଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ପ୍ରାୟ ୫୦୦ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଶାଳ ଶୋଭାଯାତ୍ରା କରିଥିଲେ। ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ।ସମିତିର ଅଭିଯୋଗ ଅନୁଯାୟୀ, ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବ୍ଲକ୍ଗ୍ରାଣ୍ଟ ବ୍ୟବସ୍ଥା, ପେନ୍ସନ, ସପ୍ତମ ବେତନ, ନୋସନାଲ୍ ଇନକ୍ରିମେଣ୍ଟ, ବରିଷ୍ଠତା ଓ ଗ୍ରେଡ୍ ପେ ଭଳି ବିଭିନ୍ନ ଦାବି ଏପର୍ଯ୍ୟନ୍ତ ପୂରଣ କରାଯାଇନାହିଁ।ଆସନ୍ତା ଅଗଷ୍ଟ ୧୬ରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ମହାସମାବେଶ ଓ ଆହୋରାତ୍ର ଗଣଧାରଣା କରାଯିବ। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ସହ ସରକାରୀ କଳକୁ ଅଚଳ କରିଦିଆଯିବ ବୋଲି ସମନ୍ୱୟ ସମିତି ଚେତାବନୀ ଦେଇଛି।
