ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳମାନଙ୍କ ବୈଠକ
ଭୁବନେଶ୍ୱର ତା-୨୦/୦୭/୨୦୨୬ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଗତ ଶନିବାର ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଜିଲ୍ଲାସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମସ୍ତ ଜିଲ୍ଲାପାଳ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇ ଥିଲେ ।ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ରୋକିବା ଦିଗରେ ଜିଲ୍ଲାସ୍ତରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ନାର୍କୋ ସମନ୍ୱୟ (ଏନ୍ସିଓଆର୍ଡି) କମିଟିର ନିୟମିତ ତ୍ରୈମାସିକ ବୈଠକ ଆୟୋଜନ ଓ ଏହାର ଫଳପ୍ରଦ ସମୀକ୍ଷା ଉପରେ ଜିଲ୍ଲାପାଳ ଓ ଏସପିମାନେ ସୁନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ‘ନିଶା ମୁକ୍ତ ଭାରତ ଅଭିଯାନ’ ଲକ୍ଷ୍ୟ ହାସଲ ନିମନ୍ତେ ୨୦୨୬-୨୦୨୯ ଅବଧି ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରି ନିଶାଦ୍ରବ୍ୟ ଚାହିଦା ହ୍ରାସ, ଚୋରାଚାଲାଣ ନିୟନ୍ତ୍ରଣ, ଆଇନର କଡ଼ା କାର୍ଯ୍ୟକାରିତା, ଜନସଚେତନତା, ଚିକିତ୍ସା ଓ ପୁନର୍ବାସ କାର୍ଯ୍ୟକ୍ରମକୁ ସମନ୍ୱିତ ଭାବେ କାର୍ଯ୍ୟକାରୀ କରିବା ସହ ପ୍ରତ୍ୟେକ ବୈଠକରେ ପୂର୍ବ ନିଷ୍ପତ୍ତିର ଅଗ୍ରଗତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ-୨.୦ ଆଫର୍ଡେବଲ ହାଉସିଂ, ଆଫୋର୍ଡେବଲ ରେଣ୍ଟାଲ ହାଉସିଂ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ଏଥିନେଇ ଆବଶ୍ୟକ ଜମି ଚିହ୍ନଟ, ଜମି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ, ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି ଓ ଯୋଜନାଗୁଡ଼ିକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ଶ୍ରୀମତୀ ଊଷା ପାଢୀ ଏ ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ସବିସ୍ତୃତ ଆଲୋଚନା କରିଥିଲେ । ଆହୁରି ମଧ୍ୟ ଅମୃତ ୨.୦ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଶିଳ୍ପ ପ୍ରତିଷ୍ଠା ଓ ଶିଳ୍ପାଞ୍ଚଳର ଦ୍ରୁତ ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି , ସେଥିରୁ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅନୁମୋଦନ ସଂପର୍କରେ ଇଡକୋ ପକ୍ଷରୁ ଆଲୋଚନା କରାଯାଇଥିଲା । ଜମି ଅଧିଗ୍ରହଣ ଓ ଲିଜ୍ ପ୍ରସ୍ତାବର ଶୀଘ୍ର ଅନୁମୋଦନ, ସ୍ଥାନୀୟ ସମସ୍ୟାର ସମାଧାନ, ଗ୍ରାମସଭା ଆୟୋଜନରେ ସହଯୋଗ ଏବଂ କ୍ଷତିପୂରକ ବନୀକରଣ ପାଇଁ ଆବଶ୍ୟକ ଜମି ଚିହ୍ନଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟସ୍ତରୀୟ ବୈଠକ ଭଳି ଜିଲ୍ଲାସ୍ତରରେ ସିଙ୍ଗଲ ଓ୍ୱିଣ୍ଡୋ ଅଥରିଟି କମଟି ବୈଠକ ନିୟମିତ ଭାବେ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସଂପର୍କିତ କାର୍ଯ୍ୟ ସମୀକ୍ଷାରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଯୋଗଦେଇ ‘‘ଡିଜିଟାଲ ଭାରତ ନିଧି ଯୋଜନା’’ ଅଧୀନରେ ଟେଲିକମ୍ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା, ମୋବାଇଲ୍ ନେଟୱର୍କ ନଥିବା ଅଞ୍ଚଳର ତଥ୍ୟ ପ୍ରଦାନ, ଭୂତଳେ ବିଦ୍ୟୁତ ତାର, ଗ୍ୟାସ୍ ପାଇପ୍, ଜଳ ପାଇପ୍, ଟେଲିକମ୍ କେବୁଲ୍ ଇତ୍ୟାଦି କାର୍ଯ୍ୟ ପାଇଁ ଖନନ କାର୍ଯ୍ୟ ପୂର୍ବରୁ ‘‘ ସିବିୟୁଡି ’’ ଆପ୍ର ବ୍ୟବହାର ସୁନିଶ୍ଚିତ କରିବା, ନୂଆ ମୋବାଇଲ୍ ଟାୱାର ପାଇଁ ଆବଶ୍ୟକ ଏନ୍ଓସି ଶୀଘ୍ର ପ୍ରଦାନ କରିବା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଡିଜିଟାଲ ଆକ୍ସେସ୍ କମିଟି ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶକ୍ତି ବିଭାଗର ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ‘ମଡେଲ ସୋଲାର ଭିଲେଜ୍ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଯୋଗ୍ୟ ଗ୍ରାମ ଚୟନ, ଜିଲ୍ଲାସ୍ତରୀୟ କମିଟି ମାଧ୍ୟମରେ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଏବଂ ଅଧିକରୁ ଅଧିକ ଘରୋଇ ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଗ୍ରାମଗୁଡ଼ିକୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ସମୀକ୍ଷାରେ ‘ଆମ ହସ୍ପିଟାଲ’ ଯୋଜନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସେବା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ-୨.୦ କୁ ତ୍ୱରାନ୍ୱିତ କରି ଅଧିକରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା, ପୁଷ୍ଟି ସହାୟତା ଓ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଥିଲା । ଏଥି ସହିତ ବର୍ଷା ଋତୁରେ ଜଳବାହିତ ଓ ବିଭିନ୍ନ ବାହକ ଜନିତ ରୋଗର ପ୍ରତିରୋଧ ପାଇଁ ସତର୍କତା ଓ ନିରୀକ୍ଷଣ, ପର୍ଯ୍ୟାପ୍ତ ଔଷଧ ଓ ଚିକିତ୍ସା ସାମଗ୍ରୀର ଉପଲବ୍ଧତା, ଜନସଚେତନତା ଏବଂ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ଉପସ୍ଥିତ ରହି ଆଲୋଚନା କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ କୃଷକଙ୍କୁ ପ୍ରଯୁକ୍ତିଭିତ୍ତିକ ସେବା ସୁନିଶ୍ଚିତ କରିବା, ପାଣିପାଗ ଓ ବର୍ଷା ପରିମାପ ବ୍ୟବସ୍ଥା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟକୁ ତ୍ୱରାନ୍ୱିତ କରିବା, ସାରର କଳାବଜାରୀ ଓ ଅନିୟମିତତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବା, ଏଗ୍ରିଷ୍ଟାକ ଅଧିନରେ କୃଷକ ପଞ୍ଜୀକରଣକୁ ମିଶନ ମୋଡ୍ରେ ଆଗେଇ ନେବା ଏବଂ ଏଥିପାଇଁ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଓ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସବିଶେଷ ଆଲୋଚନା କରିଥିଲେ । ପାଣିପାଗ ସୂଚନା ନେଟୱର୍କ ଏବଂ ତଥ୍ୟ ବ୍ୟବସ୍ଥା (ୱିଣ୍ଡ୍ସ୍) ପ୍ରକଳ୍ପ ଅଧୀନରେ ରାଜ୍ୟରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ସ୍ୱୟଂଚାଳିତ ବର୍ଷାମାପକ ଯନ୍ତ୍ର ସ୍ଥାପନ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କାର୍ଯ୍ୟ ଚାଲିଛି । ନିର୍ଦ୍ଦିଷ୍ଟ ବୈଷୟିକ ମାନଦଣ୍ଡ ଅନୁଯାୟୀ ସ୍ଥାନ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପ୍ରତି ସପ୍ତାହରେ ବ୍ଲକ୍ ସ୍ତରରେ ଅଗ୍ରଗତିର ସମୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ଏ ସଂପର୍କରେ ଜମି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାସ୍ତରରେ ନିୟମିତ ସମନ୍ୱୟ ବୈଠକ କରିବା, ନିର୍ମିତ ଛାତ୍ରାବାସଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ‘‘ ଆପାର ଆଇଡି ’’ ସୃଷ୍ଟି ସହ ଆଧାର ସଂଯୋଗୀକରଣ, ରାଜ୍ୟରେ ଚିହ୍ନଟ ଐତିହ୍ୟ ବିଦ୍ୟାଳୟଗୁଡ଼ିକର ବିକାଶ କାର୍ଯ୍ୟକୁ ଶୀଘ୍ର ଆଗେଇ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟ କାର୍ଯ୍ୟକାରିତା ସଂପର୍କରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏନ୍ ‘ବିକଶିତ ଗାଁ ବିକଶିତ ଓଡ଼ିଶା’କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ବ୍ୟୟ ସ୍ଥିତି ଏବଂ ୨୦୨୬-୨୭ ବାର୍ଷିକ କାର୍ଯ୍ୟଯୋଜନାର ଅନୁମୋଦନ ସଂପର୍କରେ ଆଲୋଚନା କରିଥିଲେ । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆରମ୍ଭ ଓ ସମ୍ପୂର୍ଣ୍ଣ କରିବା ସହ ବ୍ଲକ୍ସ୍ତରର ବାର୍ଷିକ କାର୍ଯ୍ୟଯୋଜନାକୁ ତୁରନ୍ତ ଅନୁମୋଦନ କରି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ (ଭିବି-ଜି ରାମ-ଜି)’ର କାର୍ଯ୍ୟାନ୍ୱୟନ, ବିଭିନ୍ନ ବିଭାଗ ସହ ସମନ୍ୱୟରେ ଗ୍ରାମସ୍ତରରେ ସ୍ଥାୟୀ ସମ୍ପଦ ସୃଷ୍ଟି, ଜଳ ସଂରକ୍ଷଣ, ଜୀବିକା ବିକାଶ ଓ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
