ହୀରାକୁଦ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱିତ ବିକାଶ ସଂପର୍କରେ ବୈଠକ
ଭୁବନେଶ୍ୱର, ୧୭/୧୧/୨୦୨୬ ହୀରାକୁଦ ଅଞ୍ଚଳକୁ ଏକ ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରିବା ଲକ୍ଷ୍ୟରେ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏଥି ନିମନ୍ତେ ଗଠିତ ମାର୍ଗଦର୍ଶକ କମିଟି ( ଷ୍ଟିଅରିଂ କମିଟି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ହୀରାକୁଦ ଅଞ୍ଚଳର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ୍ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ରୂପାୟିତ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ରାଜ୍ୟ ପୂର୍ତ୍ତ ବିଭାଗ ଅନ୍ତର୍ଗତ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ରାଜ୍ୟ ଜଳ ସମ୍ପଦ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଏନଟିପିସି, ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ( ଆଇଡବ୍ୱୁଏଆଇ) ଆଦି ଙ୍କ ସମନ୍ୱିତ ପ୍ରୟାସରେ ହୀରାକୁଦ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏ ସଂପର୍କରେ କାର୍ଯ୍ୟ ଆରମ୍ଭ ସ୍ଥିତି, ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଏହି ଅବସରରେ କହିଥିଲେ ଯେ, ହୀରାକୁଦ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି । ହୀରାକୁଦ ଅଞ୍ଚଳର ସମସ୍ତ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଆଞ୍ଚଳିକ ଯୋଗାଯୋଗର ସୁଦୃଢ଼ୀକରଣ, ସ୍ଥାନୀୟ କଳା ଓ ସଂସ୍କୃତିର ପ୍ରୋତ୍ସାହନ, ନିବେଶ ବୃଦ୍ଧି ଏବଂ ନିଯୁକ୍ତି ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି । ଏହା ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟରେ ଗୁଣାତ୍ମକତା ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପରାମର୍ଶ ସେ ନିର୍ମାଣକାରୀ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ କାମକୁ ଭଲ ଭାବେ ଏବଂ ଆକର୍ଷଣୀୟ ଭାବେ ସାରିବା ସହ ପ୍ରକଳ୍ପଗୁଡ଼ିକରେ ପାରିପାଶ୍ୱିକ ସୌନ୍ଦର୍ଯ୍ୟକରଣକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ ଓ ଆଗାମୀ ପଦକ୍ଷେପ ସଂପର୍କରେ ସ୍ଥିତି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ଓ ନିବେଶର ଗନ୍ତବ୍ୟସ୍ଥଳୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ ରହିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ, ନୂତନ ଅନୁଭବର ସୁଯୋଗ ଦେବ ଏବଂ ନିବେଶ ପାଇଁ ପ୍ରେରିତ କରିବ । ସ୍ଥାନୀୟ ପର୍ଯ୍ୟଟନ ଅନୁଭୂତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କର ସମ୍ମିଳିତ ନେତୃତ୍ୱାଧୀନ ଫଳରେ ସ୍ଥାୟୀ ପର୍ଯ୍ୟଟନର ବିକାଶ ସଂପର୍କରେ ସେ ଆଲୋଚନା କରିଥିଲେ । ହୀରାକୁଦ ଜଳଭଣ୍ଡାର ଓ ଏହାର ପ୍ରସ୍ତାବିତ କର୍ତ୍ତୃପକ୍ଷ କ୍ଷେତ୍ରକୁ ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ହୋଟେଲ୍, ଟେଣ୍ଟ ସିଟି, କ୍ରୁଜ୍ ହବ୍, ଜଳକ୍ରୀଡ଼ା, ଆଡଭେଞ୍ଚର୍ ଟୁରିଜିମ୍, ଇକୋ-ଟୁରିଜିମ୍, ସାଂସ୍କୃତିକ ଐତିହ୍ୟସ୍ଥଳୀ ଏବଂ ଆଧୁନିକ ପର୍ଯ୍ୟଟକ ସୁବିଧାର ବିକାଶ ଉପରେ ଆଲୋଚନା ହୋଇଥିଲା । ପ୍ରସ୍ତାବିତ ଆରାଇଭାଲ୍ ପ୍ଲାଜା ଓ ଡ୍ୟାମ୍ ମ୍ୟୁଜିୟମ୍, ଲାଇଟ୍ ଆଣ୍ଡ୍ ଲେଜର୍ ସିମ୍ଫୋନି, ୱାଟର୍ ଆଣ୍ଡ୍ ଲାଇଟ୍ ସିମ୍ଫୋନି ଏବଂ ମହାନଦୀ ୱାଟରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଏଥି ସହିତ ମା’ ସମଲେଶ୍ୱରୀ ମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ବିକାଶ, ହୁମା ମନ୍ଦିର ଓ ଘଣ୍ଟେଶ୍ୱରୀ ମନ୍ଦିରର ବିକାଶ, ପାୱାର ଚ୍ୟାନେଲ୍ ୱାଟରଫ୍ରଣ୍ଟ ପ୍ରୋମେନାଡ୍, ମହାନଦୀ ଆଇକନିକ୍ ବ୍ରିଜ୍ ଏବଂ ମହାନଦୀ ଦ୍ୱୀପ ପ୍ରକୃତି ଉଦ୍ୟାନ ଓ ପ୍ରୋମେନାଡ୍ ଆଦି ପ୍ରକଳ୍ପର ସ୍ଥିତି ଉପସ୍ଥାପନ କରାଯାଇଥିଲା । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦେବ୍ରିଗଡ଼ ଅଭୟାରଣ୍ୟର ବିକାଶ, ବିକ୍ରମଖୋଲ ଓ ଭୀମମଣ୍ଡଳୀର ପ୍ରାଗୈତିହାସିକ ଶୈଳାଶ୍ରୟର ସଂରକ୍ଷଣ ଓ ବିକାଶ, ରାମ୍ପେଲା ପବ୍ଲିକ୍ ରିକ୍ରିଏସନ୍ ପ୍ଲାଜା ଏବଂ ବୁଢ଼ାରଜା ପାହାଡ଼ ସଂରକ୍ଷଣ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଦେବ୍ରିଗଡ଼ରେ ଇକୋ-ଟୁରିଜିମ୍ ସେଲ୍, ହୋମ୍ଷ୍ଟେ, ଲଗ୍ ହାଉସ୍, ନେଚର୍ ମେଡିଟେସନ୍ କ୍ୟାମ୍ପ, ସଫାରି ଯାନ, କ୍ରୁଜ୍ ବୋଟ୍ ଓ କ୍ୟାନୋପି ୱାକ୍ ଭଳି ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜମାଦାରପାଲି ଏୟାରଷ୍ଟ୍ରିପ୍ର ସମ୍ପ୍ରସାରଣ କରି ବିକଶିତ କରିବା ପ୍ରସ୍ତାବ ସମୀକ୍ଷା କରାଯାଇଥିଲା । ଏଥି ସହିତ ହୀରାକୁଦ ଓ ବୁର୍ଲା ରିଙ୍ଗ୍ ରୋଡ୍, ଝାରସୁଗୁଡ଼ା ବାଇପାସ୍, ମହାନଦୀ ଆଇକନିକ୍ ବ୍ରିଜ୍, ବୁର୍ଲା ଓ ଏମସିଏଲ୍ ଛକରେ ଗ୍ରେଡ୍ ସେପାରେଟେଡ୍ ଷ୍ଟ୍ରକ୍ଚର୍ ଏବଂ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର କାର୍ଯ୍ୟକାରିତ ନେଇ ସ୍ଥିତି ଉପସ୍ଥାପନ କରାଯାଇଥିଲା । ସାଗରମାଳା ଯୋଜନା ଓ ଇନଲ୍ୟାଣ୍ଡ୍ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ ସହଯୋଗରେ ହୀରାକୁଦ ଜଳଭଣ୍ଡାର ଠାରେ କ୍ରୁଜ୍ ପର୍ଯ୍ୟଟନ ପାଇଁ ନାଭିଗେସନ୍ ରୁଟ୍ ଓ ଟର୍ମିନାଲ୍ ବିକାଶ ଯୋଜନା ସମୀକ୍ଷା କରାଯାଇଥିଲା। ସମ୍ବଲପୁରର କାଇଁସର ସ୍କୋୟାର, ଝାରସୁଗୁଡ଼ାର ରାମ୍ପା ଲୁଙ୍ଗା ଏବଂ ବରଗଡ଼ ଜିଲ୍ଲାରେ ଚାରୋଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରି କ୍ରୁଜ୍ ଟର୍ମିନାଲ୍ ବିକାଶ କରିବାର ଯୋଜନା ରହିଛି । ପ୍ରକଳ୍ପଗୁଡ଼ିକର ଅଧ୍ୟୟନ, ଡିପିଆର୍ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ପାଇଁ ସମୟସୀମା ଉପସ୍ଥାପନ କରାଯାଇଥିଲା । ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ମାଇନ୍ ମ୍ୟୁଜିୟମ୍, ଅଣ୍ଡରଗ୍ରାଉଣ୍ଡ ମାଇନ୍ ଏକ୍ସପିରିଏନ୍ସ ସେଣ୍ଟର୍ ଓ ଇକୋ ପାର୍କ ବିକାଶ ପ୍ରକଳ୍ପର ଉପସ୍ଥାପନା କରାଯାଇଥିଲା । ଏଥିରେ ଖଣି ଇତିହାସ, ଭୂତତ୍ତ୍ୱ, ଖଣି ପ୍ରଯୁକ୍ତିବିଦ୍ୟା, ଭର୍ଚୁଆଲ୍ ରିଅଲିଟି ଏବଂ ଅଣ୍ଡରଗ୍ରାଉଣ୍ଡ ମାଇନ୍ ଅନୁଭୂତି ଭଳି ଆକର୍ଷଣ ରହିବ । ଏଥିସହ ରୋପ୍ୱେ ଓ ଜିପ୍ଲାଇନ୍ ବିକାଶ ଏବଂ ପାୱାର ଚ୍ୟାନେଲ୍ ପ୍ରୋମେନାଡ୍ ପ୍ରକଳ୍ପ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏନଟିପିସି ପକ୍ଷରୁ ଏନର୍ଜି ଏକ୍ସପିରିଏନ୍ସ ସେଣ୍ଟର୍ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା । ଏଥିରେ ଶକ୍ତି ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଭର୍ଚୁଆଲ୍ ରିଅଲିଟି, ଇନୋଭେସନ୍ ପ୍ଲାଜା ଓ ଶକ୍ତି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଶିକ୍ଷଣୀୟ ସୁବିଧା ରହିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ କର୍ଡୋଲା ଓ ସିଙ୍ଗପାଲିରେ ବୁଣାକାର ଗ୍ରାମ, ଜବାହର ଉଦ୍ୟାନ, ଫ୍ଲୋଟେଲ୍ସ ଓ ଟେଣ୍ଟ ସିଟି ଭଳି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଏହା ମାଧ୍ୟମରେ ସ୍ଥାନୀୟ ହସ୍ତଶିଳ୍ପ, ବୁଣାକାର ପରମ୍ପରା ଓ ଜୀବିକାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରହିଛି । ହୀରାକୁଦ ଅଞ୍ଚଳର ସମନ୍ୱିତ ଯୋଜନା, ପରିଚାଳନା ଓ ପର୍ଯ୍ୟଟନ ବିକାଶ ପାଇଁ ହୀରାକୁଦ ଡେଭଲପମେଣ୍ଟ ଅଥରିଟି ଗଠନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରସ୍ତାବିତ ଅଥରିଟିରେ ପ୍ରଶାସନିକ ପରିଚାଳନା, ଯୋଜନା ଓ ନିୟାମକ କ୍ଷମତା, ପର୍ଯ୍ୟଟନ ବିକାଶ, ନାଗରିକ ଭିତ୍ତିଭୂମି, ସୁରକ୍ଷା ଓ ନିୟମ ପ୍ରବର୍ତ୍ତନ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହଯୋଗ ଭଳି ପ୍ରମୁଖ ଦିଗ ସ୍ଥାନ ପାଇଛି । ହୀରାକୁଦର ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିବା ନେଇ ଆଲୋଚନା ହୋଇଥିଲା । ବୈଠକରେ ରାଜ୍ୟ ସରକାରଙ୍କ ଅର୍ଥ,ଜଳ ସଂପଦ, ବାଣିଜ୍ୟ ଓ ପରିବହନ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, ଓବିସିସିର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ, ସମ୍ବଲପୁର ଓ ଡିଏଫଓ, ଦେବ୍ରିଗଡ ବନ୍ୟପ୍ରାଣୀ ଡିଭିଜନ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
