ମୁଗଠାରୁ ଶୋରିଷ ଯାଏ ୫ ଶସ୍ୟକୁ ମିଳିବ ଏମ୍‍ଏସ୍‍ପି

ମୁଗଠାରୁ ଶୋରିଷ ଯାଏ ୫ ଶସ୍ୟକୁ ମିଳିବ ଏମ୍‍ଏସ୍‍ପି l ସୂର୍ଯ୍ୟମୁଖୀ ଚାଷ ବୃଦ୍ଧି ଉପରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ, ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ପାଇଁ ଦେଲେ ପ୍ରତିଶ୍ରୁତିନୂଆଦିଲ୍ଲୀ: ଏଣିକି ଚିନାବାଦାମ, ସୂର୍ଯ୍ୟମୁଖୀ, ସୋରିଷଭଳି ତୈଳବୀଜ ସହ ମୁଗ ବିରି ଭଳି ଶସ୍ୟକୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। କେନ୍ଦ୍ର ସରକାର ରାଜ୍ୟର ଚାଷୀମାନଙ୍କଠାରୁ ଏହି ୫ ଶସ୍ୟକୁ କିଣିବେ। ଏ ନେଇ ରାଜ୍ୟର ବହୁତ ଦିନର ଦାବିକୁ ଗ୍ରହଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କୃଷକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଚାଷୀମାନଙ୍କୁ ୧,୪୨୮.୩୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ମିଳିବ।ଆଜି ନୂଆଦିଲ୍ଲୀର କୃଷି ଭବନରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି। ବୈଠକରେ ଶ୍ରୀ ଚୌହାନ ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା, ସାଧୁତା ରକ୍ଷା ସହ କୌଣସି ପ୍ରକାର ମଧ୍ୟସ୍ଥି ହସ୍ତକ୍ଷେପକୁ ବାରଣ କରିଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ, ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଚାଷୀମାନେ ଉପଯୁକ୍ତ ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟର ସୁଫଳ ପାଇବା ଉଚିତ୍, ଯାହାଦ୍ୱାରା ପ୍ରକୃତ ଉତ୍ପାଦନକାରୀ ଚାଷୀମାନେ ସିଧାସଳଖ ଉପକୃତ ହୋଇପାରିବେ । ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀଙ୍କ ସହ କୃଷିଜାତ ଦ୍ରବ୍ୟ ସଂଗ୍ରହ ପାଇଁ ରାଜ୍ୟ ରଖିଥିବା ଦାବିଗୁଡ଼ିକର ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବ, ଉତ୍ପାଦନ ଆକଳନ ଏବଂ ସଂଗ୍ରହ ଆବଶ୍ୟକତାକୁ ବିଚାର କରି ଶ୍ରୀ ଚୌହାନ ପାଞ୍ଚଟି ପ୍ରମୁଖ ଫସଲ କେନ୍ଦ୍ର ପକ୍ଷରୁ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଚୌହାନ ରାଜ୍ୟରୁ ୩୪,୪୯୨ ମେଟ୍ରିକ୍ ଟନ୍ ମୁଗ କିଣିବା ଲାଗି ରଖାଯାଇଥିବା ଦାବିକୁ ମଞ୍ଜୁର କରିଛନ୍ତି। ଏହା ଫଳରେ ଏମଏସପି ବାବଦରେ ରାଜ୍ୟର ମୁଗଚାଷୀମାନେ ୩୦୨.୪୨ କୋଟି ଟଙ୍କାର ସହାୟତା ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ ପାଇବେ। ସେହିପରି ଚାଷୀମାନଙ୍କଠାରୁ ୧,୧୯,୩୮୭ ମେଟ୍ରିକ୍ ଟନ୍ ବିରି କିଣାଯିବ। ଏଥିଲାଗି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‍ଏସ୍‍ପି ବାବଦରେ ଚାଷୀଙ୍କୁ ୯୩୧.୨୧ କୋଟି ଟଙ୍କା ପ୍ରଦାନ କରିବେ।

ସେହିପରି ୨୦,୨୧୯ ମେଟ୍ରିକ୍ ଟନ୍ ଚିନାବାଦାମ ପାଇଁ ୧୪୬.୮୫ କୋଟି ଟଙ୍କା ଏମ୍‍ଏସ୍‍ପି ଘୋଷଣା କରାଯାଇଛି।ରାଜ୍ୟରେ ସୂର୍ଯ୍ୟମୁଖୀ ଚାଷୀଙ୍କ ଠାରୁ ସୂର୍ଯ୍ୟମୁଖି ମଞ୍ଜି କିଣିବା ଲାଗି କେନ୍ଦ୍ର ସରକାର ୧୭.୦୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ୨,୨୧୦ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ କିଣାଯିବ। ସେହିଭଳି ସୋରିଷ କ୍ଷେତ୍ରରେ ଶ୍ରୀ ଚୌହାନ ଓଡ଼ିଶାର ୪,୯୬୪ ମେଟ୍ରିକ୍ ଟନ୍ ଦାବିକୁ ମଞ୍ଜୁର କରିଛନ୍ତି, ଯାହାର ଏମଏସପି ମୂଲ୍ୟ ୩୦.୭ କୋଟି ଟଙ୍କା ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ।ଏହି ସମଗ୍ର ପ୍ରକ୍ରିୟା ପିଏମ୍-ଆଶା ଅଧୀନରେ ପରିଚାଳନା କରାଯିବ। ଏହା ୯୦ ଦିନିଆ ଅବଧି ପାଇଁ ପ୍ରସ୍ତାବ କରାଯାଇଛି। ବୈଠକ ସମୟରେ ଶ୍ରୀ ଚୌହାନ ସୂର୍ଯ୍ୟମୁଖୀ ଚାଷ ନେଇ ବିଶେଷ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ, ଏହି ଫସଲ ଅନେକ ଅଞ୍ଚଳରୁ ଧୀରେ ଧୀରେ ଅଦୃଶ୍ୟ ହୋଇଯାଉଥିଲା ବେଳେ ଓଡ଼ିଶାରେ ଏହାର ନିରନ୍ତରତା ଏବଂ ବୃଦ୍ଧି ଉତ୍ସାହଜନକ ଅଟେ। ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସୂର୍ଯ୍ୟମୁଖୀ ଚାଷର କ୍ଷେତ୍ରଫଳ ଏବଂ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବ ଏବଂ ଆବଶ୍ୟକ ସ୍ଥଳେ ବୈଜ୍ଞାନିକ ତଥା ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରାଯିବ ।କୌଣସି ସ୍ତରରେ ମଧ୍ୟସ୍ଥିମାନେ ଯେପରି ଉପକୃତ ନ ହୁଅନ୍ତି ଏବଂ କେବଳ ପ୍ରକୃତ ଚାଷୀଙ୍କ ଉତ୍ପାଦ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରାଯାଏ, ସେଥିପାଇଁ ସଂଗ୍ରହ ବ୍ୟବସ୍ଥାର ନିରନ୍ତର ଅନୁଧ୍ୟାନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ସେ କହିଛନ୍ତି ଯେ ଯଦି ସ୍ୱଚ୍ଛତା ଏବଂ ସାଧୁତାର ସହ ସଂଗ୍ରହ ନିଶ୍ଚିତ କରାଯାଏ, ତେବେ ଓଡ଼ିଶାର ଚାଷୀ ପ୍ରକୃତ ଓ ବ୍ୟାପକ ସୁଫଳ ପାଇବେ । ହେଲେ ଏଥିଲାଗି ଶ୍ରୀ ଚୌହାନ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତା ରକ୍ଷା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ଓଡ଼ିଶାର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହ ଠିଆ ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *