ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା

ବାରାଣସୀ,୫।୬: ବାରାଣସୀର ଏମପି-ଏମଏଲଏ କୋର୍ଟ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ବାରାଣସୀର ଏକ ୩୨ ବର୍ଷ ପୁରୁଣା ମାମଲାରେ ସୋମବାର ଏମପି-ଏମଏଲଏ କୋର୍ଟ ଏହି ସଜା ଶୁଣାଇଛନ୍ତି। ବାରାଣସୀ କୋର୍ଟ ସୋମବାର ଅବଧେଶ ରାୟ ହତ୍ୟାକାଣ୍ଡରେ ଏହି ରାୟ ଶୁଣାଇଛନ୍ତି, ଏହାସହ କୋର୍ଟ ଅସାଂରୀଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ବି କରିଛନ୍ତି।
ଅବଧେଶ ରାୟ ହତ୍ୟାକାଣ୍ଡ ମାମଲାରେ ସୋମବାର ବାରାଣସୀର ଏମପି-ଏମଏଲଏ କୋର୍ଟ ପ୍ରଥମେ ଅଂସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଲଞ୍ଚ ସରିବା ପରେ ଦ୍ୱିପ୍ରହରରେ ଏହି ମାମଲାର ସଜା ଶୁଣାଇଥିଲେ। କୋର୍ଟ ହତ୍ୟାକାଣ୍ଡର ଦୋଷୀ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ କୋର୍ଟ ପୂର୍ବତନ ବିଧାୟକଙ୍କୁୁ ଏକ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି। ୩୨ ବର୍ଷ ପୁରୁଣା ଏହି ମାମଲା ଆଇପିସି ୩୦୨ ଆଧାରରେ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଅବଧେଶ ରାୟଙ୍କ ହତ୍ୟା ୩ ଅଗଷ୍ଟ ୧୯୯୧ରେ ହୋଇଥିଲା, ଯେତେବେଳେ ସେ ତାଙ୍କ ସାନ ଭାଇ ତଥା ବର୍ତ୍ତମାନର କଂଗ୍ରେସ ନେତା ଅଜୟ ରାୟଙ୍କ ଘର ବାହାରେ ଠିଆ ହୋଇଥିଲେ। ଏହି ସମୟରେ ତାଙ୍କ ନିକଟକୁ ଏକ ମାରୁତି ଭ୍ୟାନ ଆସି ଅଟକିଥିଲା ଓ ସେଥିରୁ କେତେଜଣ ଓହ୍ଲାଇପଡି ଅବଧେଶଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିର ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା।

Leave a Reply

Your email address will not be published. Required fields are marked *