ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘ଲେଟର ଅଫ୍ ଅଥରାଇଜେସନ୍ ’ ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୩/୦୬/୨୦୨୬ ଦୂର ତଥା ଗଭୀର ସମୁଦ୍ର ଅଂଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧିକୃତ ଅନୁମତି ପତ୍ର) ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୯ ଜୁଲାଇ ୨୦୨୬ ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି), ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏହି ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଏଥିରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ସଂପୃକ୍ତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ଏବଂ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷ କ୍ଷେତ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଜଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ‘ଲେଟର ଅଫ୍ ଅଥରାଇଜେସନ୍ (ଏଲ୍‌ଓଏ)’ ଯୋଗ୍ୟ ଭାରତୀୟ ପତାକାଧାରୀ ମାଛ ଧରା ଜାହାଜଗୁଡ଼ିକୁ ଜାତୀୟ ଓ ଆନ୍ତର୍ଜାତିକ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତି ପ୍ରଦାନ କରିବା ସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ । ବୈଠକରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଥି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରି ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଶେଷକରି ପ୍ରୋଟୋକଲ୍ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି , ଭିଡ଼ ନିୟନ୍ତ୍ରଣ, ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଚିକିତ୍ସା ସହାୟତା ଏବଂ ଗଣମାଧ୍ୟମ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ । ତତ୍ ସହିତ ଓଡ଼ିଶା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ସଂପୃକ୍ତ ଅନ୍ୟ ଅଂଶୀଦାରୀ ବିଭାଗମାନଙ୍କ ସମନ୍ୱୟରେ ଅତିଥିମାନଙ୍କର ସାମୟିକ ରହଣି ଓ ଅନ୍ୟାନ୍ୟ ସୁବିଧା ସହ ମତ୍ସ୍ୟଜୀବୀମାନଙ୍କର ଯାତାୟତ, ବସିବା, ଖାଦ୍ୟପେୟ ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ବିଭାଗ ତଥା ପୋଲିସ କମିଶନରେଟକୁ ଭିଭିଆଇପି ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସହରର ସୌନ୍ଦର୍ଯ୍ୟକରଣ, ସ୍ଥାନ ପରିଚ୍ଛନ୍ନତା, ବେରିକେଡିଂ, ପାର୍କିଂ ବ୍ୟବସ୍ଥା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଅତିଥିମାନଙ୍କ ପାଇଁ ଯାତାୟତ ଓ ସାମୟିକ ରହଣି ସମୟରେ ଆବଶ୍ୟକ ସୁବିଧା ଦାୟିତ୍ୱ ଦିଆଯାଇଥିବା ବେଳେ, ଓୟୁଏଟି ପକ୍ଷରୁ ମଞ୍ଚ, ଅଡିଓ-ଭିଜୁଆଲ୍ ସୁବିଧା, ଡିଜି ବ୍ୟାକଅପ୍ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଛାତ୍ର ସ୍ୱେଚ୍ଛାସେବୀ ସହାୟତା କରିବାକୁ ବ୍ୟବସ୍ଥା କରାଯିବ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ପରିବେଶ ଓ ଭବିଷ୍ୟତ ପିଢ଼ିର ସ୍ୱାର୍ଥକୁ ସୁରକ୍ଷିତ ରଖି ଦେଶରେ ଗଭୀର ସମୁଦ୍ରରେ ଦାୟିତ୍ୱପୂର୍ଣ୍ଣ ମାଛଧରାକୁ ପ୍ରୋତ୍ସାହନ ଦେବା ସହିତ ଓଡ଼ିଶାକୁ ସ୍ଥାୟୀ ମତ୍ସ୍ୟ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବ । ପ୍ରକାଶ ଥାଉକି, ଓଡ଼ିଶା ରାଜ୍ୟ ସରକାର ବ୍ଲୁ ଇକୋନୋମି (ନୀଳ ଅର୍ଥନୀତି)ର ବିକାଶକୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ମତ୍ସ୍ୟ, ସାମୁଦ୍ରିକ ଓ ଉପକୂଳଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପର ନିରନ୍ତର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ବୈଠକରେ ଶିଳ୍ପ, ଗୃହ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଂଚଳ ରାଣା, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଯୁଗ୍ମ ଶାସନ ସଚିବ ଡଃ. ସୁରଭି ରାୟଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *