ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ଜନସାଧାରଣଙ୍କ ଆଶ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱ

ଭୁବନେଶ୍ବର-ତା.୧୭.୦୬.୨୦୨୪- ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସୂରଜ ବିଭାଗ ପକ୍ଷରୁ ଯାରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜନସାଧାରଣଙ୍କ ଆଶ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନୂତନ ସରକାର ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏହି ବିଭାଗ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ଗୁରୁ ଭୂମିକା ତୁଲାଉଥିବାରୁ ଏହାର କାର୍ଯ୍ୟଧାରା ଓଡିଶାବାସୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଅନୁଭୂତି ଆଣିଦେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବାଣିଜ୍ୟ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ନାମ ଫଳକ ଲେଖା ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏଥିସହ ଭାଷା କମିଶନ ପ୍ରତିଷ୍ଠା, ସଂସ୍କୃତି ଓ ଐତିହ୍ୟ ନୀତି ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରଣୟନ, ସାହିତ୍ୟ ଏକାଡେମୀର ବାକି ଥିବା ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଏକାଡେମୀର କାର୍ଯ୍ୟନିର୍ବାହୀ କମିଟି ଗଠନ ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ଓ ବର୍ତ୍ତମାନ ଜୀବିତ ଥିବା ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତା ମାନଙ୍କୁ ସହାୟତା ରାଶି ସମୟାନୁଯାୟୀ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ଏକ ଅସ୍ମିତା ଭବନ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ କହିଥିଲେ ।

ସେହିଭଳି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ଶହେ ଦିନରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଗୁରୁତ୍ଵପୂର୍ଣ୍ଣ ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଲୋକମାନେ କିପରି ସର୍ବତ୍କୃଷ୍ଟ ସୁଫଳ ପାଇପାରିବେ ସେଥିପାଇଁ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ସୂରଜ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବିଭାଗ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନର ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *