ରାସ୍ତା କାମରେ ନିମ୍ନମାନର ଅଭିଯୋଗ !

ରାସ୍ତା କାମରେ ନିମ୍ନମାନର ଅଭିଯୋଗ ! ଗ୍ରାମ୍ୟ ଉନ୍ନୟନ ବିଭାଗ ସାଜିଛି ଠିକାଦାରଙ୍କ ଦୁହାଳିଆ ଗାଈ କାମ ଶେଷ ହେଇକି ପାଞ୍ଚଦିନ ହେଇଛି ହେଲେ ଉପୁଡି ଯାଉଛି ପିଚୁ ! ରାସ୍ତା କାମର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ? କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା କାମଗୁଡିକ ଠିକାଦାର ମାନଙ୍କ ପାଇଁ ଦୁହାଳିଆ ଗାଈ ସାଜିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ହିଁ ଠିକାଦାର ମାନଙ୍କ ପ୍ରଥମ ପସନ୍ଦ ଥାଏ । କାହିଁକି ନା ଏହି ବିଭାଗରେ ହିଁ ଠିକାଦାର ମାନେ ଦୁର୍ନୀତି କରି ମାଲେମାଲ ହୋଇଥାନ୍ତି । ଯେତେ ଅଭିଯୋଗ କଲେ ମଧ୍ୟ ନୋ ଏକସନ ନୋ ରିଏକସିନ ଥିବା ଯୋଗୁଁ ଦୁର୍ନୀତିର ସୀମା ଟପି ଯାଇଥାଏ । ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକରେ । ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ କାମରେ ନା ବିଭାଗୀୟ ଅଧିକାରୀ ନା ଠିକାଦାର, କାହାର ମଧ୍ୟ ଉପସ୍ଥିତି ନାହିଁ । ମୁନସିଙ୍କ ତଦାରଖରେ ଚାଲିଛି କୋଟି କୋଟି ଟଙ୍କାର କାମ । ଏହି କାମ ନିମ୍ନ ମାନର ହେଉଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଳାମୁଣ୍ଡା ବ୍ଲକ ବାବେଗୁଡା ଠାରୁ ଗଣ୍ଡାମେର ବିଜୁ ଏକ୍ସପ୍ରେସ ରାସ୍ତାରେ ସଂଯୋଗ ହେଉଥିବା ରାସ୍ତା କାମଟି ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ସଞ୍ଚାଳନ ହେଉଛି । ଏହି ରାସ୍ତା କାମ 5 କିଲୋମିଟର ଦୂରତା ପର୍ଯନ୍ତ ହେଉଥିବା ବେଳେ 3 କୋଟି 58 ଲକ୍ଷ 93 ହଜାର ବ୍ୟୟ ଅଟକଳ ପରିମାଣ ସୂଚନାଫଳକରେ ଉଲ୍ଲେଖ କରାଯାଇଛି । ଏହି କାମକୁ ନୂଆପଡା ଜିଲ୍ଲାର ଖରିଆର ଗ୍ରାମର ରଘୁନନ୍ଦନ ଅଗ୍ରୱାଲ ଏହି ରାସ୍ତା ନିର୍ମାଣର ଦାୟିତ୍ୱ ନେଇଛନ୍ତି ! ପିଚୁକାମରେ ଏଷ୍ଟିମେଣ୍ଟ ଅନୁସାରେ କାମ ହେଉ ନ ଥିବା ବେଳେ କାମ ସରିକି ପାଞ୍ଚ ଦିନ ମଧ୍ୟରେ ପିଚୁ ଉପୁଡି ଯାଇଛି ! ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ରାସ୍ତାଟି ଗ୍ରାମାଞ୍ଚଳ ଭିତରେ ଥିବାରୁ ପ୍ରଶାସନର ନଜର ନାହିଁ କି ବିଭାଗୀୟ ଅଧିକାରୀମାନେ ମଧ୍ଯ ଆସୁ ନାହାନ୍ତି । ଫଳରେ ଠିକାଦାରଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ମୁନସି ସ୍ଥାନୀୟ ଲୋକଙ୍କୁ ଭୟ ଦେଖାଇ ନିମ୍ନମାନ କାମ କରୁଥିବା ଅଭିଯୋଗ ହୋଇଛି ।ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ସଲା ସୁତରାରେ ହେଉଥିବା ଯୋଗୁଁ ଯେତେ ଅଭିଯୋଗ କଲେ ମଧ୍ୟ ଅଭିଯୋଗର କିଛି ମୁଲ୍ୟ ରହୁନାହିଁ । ଉପରୁ ତଳକୁ ସବୁ ଅଧିକାରୀ ଓ କର୍ମଚାରୀ ଦୁର୍ନୀତି ଖୋର ହୋଇଥିବା ଯୋଗୁଁ ଠିକାଦାରଙ୍କ ନାଲି ଆଖିର ଶିକାର ହେଉଛନ୍ତି ଅଭିଯୋଗ କାରୀମାନେ । ଏ ସମ୍ପର୍କରେ ଯନ୍ତ୍ରୀ ଆଶିଷ ସେଠିଙ୍କୁ ଫୋନ କଲେ ଉପୁଡିଯାଇଥିବା ପିଚୁ ଉପରେ ତଦନ୍ତ କରି ଶୀଘ୍ର ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ! ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ରିପୋର୍ଟ -ହିମାନ୍ଦ୍ରି ମେହେର

Leave a Reply

Your email address will not be published. Required fields are marked *