ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ନାହିଁ ତାଳମେଳ
ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ନାହିଁ ତାଳମେଳ, ଦୁର୍ଦ୍ଦଶା ବଢ଼ାଉଛି ରାସ୍ତା ପୋଲସରା:-୧୯/୦୭ ( ) ଅଳ୍ପ ବର୍ଷାରେ ଶୋଚନୀୟ ହୋଇପଡୁଛି ରାସ୍ତା । ଆଣ୍ଠୁଏ କାଦୁଅରେ ଡେଇଁ ଡେଇଁ ଯିବାକୁ ପଡୁଛି । ରାସ୍ତା ଉପରେ ନିର୍ଭର କରୁଥିବା ୫ଟି ଗ୍ରାମର ଲୋକ ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍ ଅନ୍ତର୍ଗତ ବୁଢ଼େଇଶୁଣି ଗ୍ରାମର ଶେଷ ମୁଣ୍ଡରେ ଦୁଇଟି ସାହିକୁ ସଂଯୋଗ କରୁଛି ଏହି ରାସ୍ତା । ବୁଢେଇଶୁଣି ଗ୍ରାମରୁ ବାଘୁଆ ନଦୀ ବ୍ରିଜ୍ ପର୍ଯ୍ୟନ୍ତ ଏହା ଆପ୍ରୋଚ ରୋଡ ହୋଇ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ଏହି ରାସ୍ତା । ଦୀର୍ଘବର୍ଷ ବିତିଯାଇ ଥିଲେ ମଧ୍ୟ ହାର୍ ମାନିଛି ପ୍ରଶାସନ । ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାରୁ ପଞ୍ଚାୟତର ଅର୍ଥରାଶି ବିନିଯୋଗ ହୋଇପାରୁନି । ହନ୍ତସନ୍ତ ହେଉଛନ୍ତି ୫ଟି ଗ୍ରାମର ବାସିନ୍ଦା । ଆଉ ଦୁର୍ଘଟଣାର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ । ସେହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଥିବା ବହୁ ଗ୍ରାମବାସୀ ରାସ୍ତାର ଦୂରାବସ୍ଥା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି କଲେଜ ଯାଉଥିବା ଛାତ୍ରଛାତ୍ରୀ ମାନେ କାଦୁଅ ରାସ୍ତାରେ ପଡ଼ିଯିବା ଫଳରେ କଲେଜ ନଯାଇପାରି ମନଦୁଃଖରେ ଘରକୁ ଫେରି ଯାଆନ୍ତି । ଏହା ସହିତ ଗ୍ରାମବାସୀ ମଧ୍ୟ ସେହି ରାସ୍ତାରେ ପଡ଼ି ଆହତ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ଦେଖି ଗ୍ରାମବାସୀ ବୁଢ଼େଇଶୁଣି ପଞ୍ଚାୟତର ସରପଞ୍ଚ ମନୋଜ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ନିଜସ୍ଵ ପାଣ୍ଠିରୁ ଆବଶ୍ୟକ ପରିମାଣର କ୍ରସର ଡଷ୍ଟ ପାଇଁ ଅର୍ଥ ପ୍ରଦାନ କରିଥିଲେ । କ୍ରସର ଡଷ୍ଟ ଆସିବା ପରେ ଗ୍ରାମ ଯୁବକ ସଂଘ ସଦସ୍ୟ ବିକ୍ରମ ପ୍ରଧାନ, ଲଡୁ କିଶୋର ସାହୁଙ୍କ ସମେତ ସ୍ଥାନୀୟ ଯୁବ ଗୋଷ୍ଠୀ ହାତରେ କୋଡ଼ି ଧରି କ୍ରସର୍ ଡଷ୍ଟ୍ ପକାଇ ରାସ୍ତାକୁ ସମତୁଲ କରିଥିଲେ । କିନ୍ତୁ ଏହାର ସ୍ଥାୟୀତ୍ବ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପୁଣି ବର୍ଷା ହେଲେ ଏହି ଡଷ୍ଟ୍ ଧୋଇ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସମସ୍ୟାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ବାଇଁ କୁହନ୍ତି, ସେହି ରାସ୍ତା ପାଇଁ ଗ୍ରାମବାସୀ ଗୋଟିଏ କମିଟି ଗଠନ କରି ଲିଖିତ ଭାବେ ଡିଭିଜନ କାର୍ଯ୍ୟାଳୟରେ ପ୍ରଦାନ କରନ୍ତୁ । ତାହାପରେ ରାସ୍ତା କାମ କରାଯିବ । କାରଣ ସେହି ରାସ୍ତା ପାଇଁ ପୂର୍ବରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଗ୍ରାମବାସୀ ଜମି ଛାଡ଼ୁନାହାନ୍ତି । ଠାକୁରଙ୍କ ଜମି ହୋଇଥିବାରୁ କିଛି ଗ୍ରାମବାସୀ ବିରୋଧ କରୁଥିବା ଜଣାପଡିଛି । ପୂର୍ବରୁ ବହୁଥର ଉଦ୍ୟମ କରାଯାଇଥିଲେ ମଧ୍ୟ ଗ୍ରାମବାସୀ ସହଯୋଗ କରୁନଥିବା ଜଣାପଡିଛି । ବର୍ତ୍ତମାନ ରାସ୍ତା ସମସ୍ୟାକୁ ନେଇ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ କଣ ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା ।
