ବାକି ପଇସା ମାଗିବାରୁ ଦୋକାନୀ ମାଲିକଙ୍କୁ କାତିରେ ଆକ୍ରମଣ

ବାକି ପଇସା ମାଗିବାରୁ ଦୋକାନୀ ମାଲିକଙ୍କୁ କାତିରେ ଆକ୍ରମଣ (କାତି ଚୋଟରେ ବୃଦ୍ଧ ଗୁରୁତର, ଆକ୍ରମଣକାରୀ ଗିରଫ )ହିଞ୍ଜିଳିକାଟୁ/ ଶେରଗଡ,୧୯/୭ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜଳଖିଆ ଖାଇଥିବା ବକେୟା ଟଙ୍କା ମାଗିବାକୁ କେନ୍ଦ୍ର କରି ଜଣେ ଯୁବକ ଦୋକାନୀ ମାଲିକଙ୍କୁ କାତିରେ ଆକ୍ରମଣ କରିଥିବା ଜଣାପଡିଛି। ଯୁବକଙ୍କ କାତି ଚୋଟରେ ବୃଦ୍ଧ ଦୋକାନୀ ମାଲିକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଶେରଗଡ ଥାନା ଗୋବିନ୍ଦପୁର ଗ୍ରାମର ହରି ସାହୁ (୬୦) ଏବଂ ଆକ୍ରମଣକାରୀ ଯୁବକ ଜଣଙ୍କ ସେହି ଗ୍ରାମର ଗଜେନ୍ଦ୍ର ଜେନା (୪୫) ।ପ୍ରକାଶ ଯେ, ଶେରଗଡ ଥାନା ଗୋବିନ୍ଦପୁର ଗ୍ରାମର ହରି ଗ୍ରାମ ଛକ ନିକଟରେ ଜଳଖିଆ ଦୋକାନ‌ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ହରିଙ୍କ ଜଳଖିଆ ଦୋକାନରୁ କିଛି ଦିନ ପୂର୍ବେ ସେହି ଗ୍ରାମର ଗଜେନ୍ଦ୍ର ଜଳଖିଆ ଖାଇବା ପରେ ଜଳଖିଆ ବାବଦକୁ ଟଙ୍କା ନଦେଇ ଚାଲି ଯାଇଥିଲେ।‌ ଗୁରୁବାର ସନ୍ଧ୍ୟାରେ ହରି, ଜଳଖିଆ ବାବଦକୁ ବକେୟା ଥିବା ଟଙ୍କା ଗଜେନ୍ଦ୍ରଙ୍କୁ ମାଗିଥିଲେ। ଗଜେନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରି ସେଠାରୁ ଚାଲି ଯାଇଥିଲେ।‌ ଶୁକ୍ରବାର ସକାଳେ ହରି ଦୋକାନକୁ ଗ୍ରାମ ନିକଟସ୍ଥ ଶିବମନ୍ଦିରକୁ ପୂଜା କରିବାକୁ ଚାଲି ଚାଲି ଯାଉଥିବା ବେଳେ ଗଜେନ୍ଦ୍ର ଏକ କାତି ଧରି ହରିଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପକାଇଥିଲେ।‌ ଆକ୍ରମଣରେ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇ ତଳେ ପଡିଯିବାରୁ ଆକ୍ରମଣକାରୀ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଶେରଗଡ଼ ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଆହତ ବୃଦ୍ଧଙ୍କ ବୟାନ ରେକର୍ଡ କରିବା ସହ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀ ଗଜେନ୍ଦ୍ରଙ୍କୁ ଗିରଫ କରିଛି। ଏ ନେଇ ଶେରଗଡ ଥାନାରେ କେସ ନଂ- ୨୯୧/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ବିରେନ୍ଦ୍ର ଶିଅଳଙ୍କ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *