ମାନ୍ୟବର ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପଦାର୍ପଣ କରିଥିଲେ

ଆଜି ଦୀର୍ଘ 39 ବର୍ଷ ପରେ ସେମିଳିଗୁଡା ମହାବିଦ୍ୟାଳୟକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପଦାର୍ପଣ କରିଥିଲେ | ମାନ୍ୟବର ମନ୍ତ୍ରୀ ବିଶ୍ୱବ୍ୟାଙ୍କ ସମର୍ଥିତ ଓ.ଏଚ.ଇ.ପି.ଇ.ଇ ଦ୍ୱାରା ନିର୍ମିତ ପ୍ରୟୋଗଶାଳା ,ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁଷା)ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା (ସି.ଏମ.ଏସ.ଏ )ଦ୍ୱାରା ନିର୍ମିତ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ | ମନ୍ତ୍ରୀ ନିଜ ବକ୍ତବ୍ୟରେ ଛତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ତଥା ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ନୂତନ ସରକାରଙ୍କ ପକ୍ଷରୁ ହେବାକୁ ଥିବା ବିଭିନ୍ନ ଛାତ୍ରବୃତ୍ତି ଯୋଜନା ସମ୍ପର୍କରେ ଜଣାଇଥିଲେ |ଏହି ଅବସରରେ ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ଖେଳ ପଡିଆ ଏବଂ ଅଡିଟୋରିୟମ ନିର୍ମାଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ | ଏହି ସଭାରେ ସମ୍ମାନିତ ଅତିଥି ଭାବେ ମାନ୍ୟବର କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ,କୋଟପାଡ଼ ବିଧାୟକ ଶ୍ରୀ ରୂପ ଭତରା ,କୋରାପୁଟ ଜିଲ୍ଲାପାଳ ଶ୍ରୀ କୀର୍ତ୍ତିଭାସନ ଭି ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଛତ୍ରଛାତ୍ରୀମାନଙ୍କୁ ପରିଶ୍ରମୀ ,ନିଷ୍ଠାପର ଏବଂ ଚରିତ୍ରବାନ ହେବାକୁ ପରାମର୍ଶ ଦେବାସହ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ |

ଏହି ଅବସରରେ ଅଧ୍ୟକ୍ଷ ଡ. ରମାରଞ୍ଜନ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ଦେବା ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ | ଏହି ସଭାରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଲିଲି ଅଂଟାବେରିଆ ,ଉପାଧ୍ୟକ୍ଷ ଶ୍ରୀ ଶିବା ବାଙ୍ଗାରୀ ,ସମାଜସେବୀ ଶ୍ରୀ ସୁମନ୍ତ ପ୍ରଧାନ ,ଉପଜିଲ୍ଲାପାଳ,ବିଡିଓ,ଆଞ୍ଚଳିକ ନିର୍ଦେଶକ,ତହସିଲଦାର ତଥା ମାନ୍ୟଗଣ୍ୟ ଅତିଥିବୃନ୍ଦ,ସାମ୍ବାଦିକଗଣ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡ. ବିଦ୍ୟୁତପ୍ରଭା ରାଉତଙ୍କ ନେତୃତ୍ୱରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ. ଝାନ୍ସୀ ସିଂହ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ.ପ୍ରଦୀପ କୁମାର ବେହେରା ନିଜର ବକ୍ତବ୍ୟ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଛାତ୍ରଛାତ୍ରୀମାନେ କୋରାପୁଟିଆ ଢେମଶା ନାଚର ତାଳେ ତାଳେ ଅତିଥିମାନଙ୍କୁ ପାଛୋଟି ନେଇ ବିଦାୟ ଦେଇଥିଲେ |

Leave a Reply

Your email address will not be published. Required fields are marked *