ପ୍ରଥମ ବନ୍ୟାଜଳ ରେ ଧୋଇନେଲା ଟିର୍ଲିଆମ କୁ ସଂଯୋଗ ରାସ୍ତା

ପ୍ରଥମ ବନ୍ୟାଜଳ ରେ ଧୋଇନେଲା ଟିର୍ଲିଆମ କୁ ସଂଯୋଗ ରାସ୍ତା, ଯାତାୟାତ ରେ ହୀନସ୍ତା ହେଉଛନ୍ତି ବନବାସୀ।କୋକସରା,୧୭/୮: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଓ ବରାଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳ ରେ ରହିଛି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ।ଜାତୀୟ ରାଜପଥ ୨୬ ଆମପାଣି ଘାଟି ଦେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଆମପାଣି ପଞ୍ଚାୟତ ର ଟିର୍ଲିଆମ ଓ ବରାଡ଼ଙ୍ଗା ପଞ୍ଚାୟତ ର ଗାଈବନ୍ଧା, ସାଇକେଲ ବରଗଛ ଭଳି ଆଦିବାସୀ ଜନଜାତି ବସବାସ କରୁଥିବା ବଣ ପାହାଡ଼ ଘେରା ଗାଁ। ତେବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ ଗୁଡିକୁ ପକ୍କା ରାସ୍ତା ନାହିଁ, ଜଙ୍ଗଲ ରାସ୍ତା ଦେଇ ମାଟି ର ଆବୁଡା ଖାବୁଡା ରାସ୍ତା ରହିଛି। ବର୍ଷ ର ଖରା, ଶୀତ ଓ ଅନ୍ୟ ଦିନ ରେ ଯେ କୌଣସି ପ୍ରକାରେ ବନବାସୀ ମାନେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ଆସିଲେ ଏହି ବନବାସୀ ମାନଙ୍କୁ ରାସ୍ତା ରେ ଯାତାୟାତ ପାଇଁ ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି। ଯେ କୌଣସି ନିତିଦିନିଆ କାମ ହେଉ ଅବା ପଂଚାୟତ କୁ ପିଡ଼ିଏସ ସାମଗ୍ରୀ ହେଉ,ଦୋକାନ ବଜାର, ଛାତ୍ରଛାତ୍ରୀ ଙ୍କ ପାଠପଢା ପାଇଁ ଆମପାଣି କିମ୍ବା କୋକସରା ବ୍ଲକ କୁ ଏହି ଗ୍ରାମବାସୀ ଙ୍କୁ ନିତି ଆସିବାକୁ ପଡୁଥିବା ବେଳେ ବର୍ଷା ଦିନ ରେ ବାଟ ରେ ପଡୁଥିବା ନାଲା ରେ ବର୍ଷା ଜଳ ପ୍ରବାହିତ ହେଉଥିବା କାରଣରୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଗତ ୨୦୨୩ ବର୍ଷ ରେ ଏହି ନାଲା ଉପରେ ଏକ ପୋଲ ନିର୍ମାଣ ୫ ଲକ୍ଷ ବିଭାଗୀୟ ଅନୁଦାନ ରେ କରାଯାଇଛି। ତେବେ ସ୍ଥାନୀୟ ଠିକାଦାର ଜଣକ ପୋଲ ଉପରେ କଂକ୍ରିଟ କାମ ନକରି ମେଟାଲ,ମୁରୁମ କାମ ସାରି ଦେଇଥିବା ଜଣାପଡିଛି। ଏଣୁ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ରେ ପୋଲ ଉପର ରାସ୍ତା ଧୋଇ ଯାଇଛି ଓ ଏହି ନାଲା ଚିରସ୍ରୋତା ହୋଇଥିବା ବେଳେ ନାଲା ଉପରେ ବର୍ଷ ତମାମ ପାଣି ପ୍ରବାହିତ ହେଉଥିବା କାରଣରୁ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ୩ ଖଣ୍ଡ ଗ୍ରାମ ର ଜନ ସାଧାରଣ। ଏନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଆସନ୍ତା ଏକ୍ସନ ପ୍ଲାନ ରେ ଏହି ପୋଲ ରାସ୍ତା ନିର୍ମାଣ ପାଇଁ ଅନୁଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *