ଓଡ଼ିଶା ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦେଇଥିଲେ।ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ସାଧାରଣ ଭକ୍ତ ଭଳି ଶ୍ରୀମନ୍ଦିର ରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।ମହାପ୍ରଭୁଙ୍କ ପାଖରେ ସମସ୍ତେ ସମାନ ବୋଲି ସେ ସୂଚାଇ ଥିଲେ।ପରେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ପରିକ୍ରମା କରିଥିଲେ। ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ।

ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁଆଣ୍ଡୋ ଗ୍ରାମ ବୁଲି ଲୋକଙ୍କ ସହିତ ମିଶିଥିଲେ। ଗ୍ରାମବାସୀଙ୍କ ସହିତ କଥୋପକଥନ ସମୟରେ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତିଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି। ଏସବୁ ଖୁବ୍ ଶୀଘ୍ର ପୂରଣ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକ ଭାଇଭଉଣୀ ମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ।
