ଆମ୍ବ ଟାକୁଆ ଖାଇ ବିତୁଛି ଜୀବନ
: ବିକାଶ ର କଥା କହୁଥିବା ପଚିଶି ବର୍ଷ ର ଅପାରଗ ସରକାର ର ବିକାଶର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଟେମେରା ଗ୍ରାମପଂଚାୟତ ଅନ୍ତର୍ଗତ ସାନଟେମେରା ଗାଁ ରେ।ଆମ୍ବ ଟାକୁଆ ଖାଇ ଭୋକ ମେଣ୍ଟାଉଛନ୍ତି ଜଣେ ସତୁରି ବର୍ଷର ବୃଦ୍ଧା, ନା ମିଳୁଛି ରାସନ ନା ମିଳୁଛି ପେନସନ ଏଭଳିକି ଆବାସ ଯୋଜନାରେ ମଧ୍ୟ ମିଳିପାରିନି ଖଣ୍ଡିଏ ଘର, ଏକ ଜରିପାଲ ଟଣା ମାଟି କୁଡ଼ିଆରେ ଦିନ କାଟୁଛନ୍ତି , ଏ ହେଉଛନ୍ତି ସାନ ଟେମେରା ଗ୍ରାମରେ ରହି ଆସୁଥିବା ବୃଦ୍ଧା ଜୟମତି ଗୌଡ଼ , ଶରୀରରେ ଶ୍ରମ କରିବା ଲାଗି ଶକ୍ତି ନାହିଁ କି ସାହସ ନାହିଁ, ପାହୁଣ୍ଡେ ଚାଲିଲେ ଥକି ପଡୁଛନ୍ତି, ଆଖିକୁ ଭଲଭାବେ ଦେଖାଯାଉନି ଏଭଳି ସ୍ଥିତିରେ ଏବେ ଅସହାୟ ଜୟମତି ବାରଦୁଆରେ ଯାଇ ପେଟ ଚାଖଣ୍ଡକ ପାଇଁ ଝାଡୁ ମାରୁଛନ୍ତି, ଝାଡୁ ମାରିଲେ କିଏ କେବେ ମୁଠାଏ ଖାଇବାକୁ ଦିଅନ୍ତି, ନହେଲେ ଉପବାସ, ବୃଦ୍ଧା ଜଣକର ଏଭଳି ପରିସ୍ଥିତି ଦେଖି କିଏ କେବେ ତୋରାଣି ମୁନ୍ଦାଏ ଦେଲେ ସେଥିରେ ପେଟ ପୁରିଥାଏ।

ବୃଦ୍ଧା ଜୟମତି ର ସାହାରା ବୋଲି କେହି ହେଲେ ନାହାନ୍ତି,ସେ ଏକୁଟିଆ ଜରିପାଲ ଟଣା କୁଡ଼ିଆ ତାର ମୁଣ୍ଡ ଗୁଞ୍ଜିବା ଲାଗି ଏକ ମାତ୍ର ସାହା ଭରସା। କୁଡ଼ିଆ ଭିତର ସମ୍ପତ୍ତି କହିଲେ ଅନାବନା କେଇ ଖଣ୍ଡ ଜରି ବ୍ୟାଗ ଛଡା କିଛି ସଂଗ୍ରହ କରି ରଖିଥିବା ଆମ୍ବ ଟାକୁଆ ଏବଂ ମାଣ୍ଡିଆ ଚୁନା, ତା ଛଡା ଘରେ ମୁଠାଏ ହେଲେ ଚାଉଳ ନଥିବା ଏବେ ସରକାରଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରୁଛି। ଖାଇବାକୁ ନଥିବା ବେଳେ ଏବେ ଆମ୍ବ ଟାକୁଆ ତାର ମୁଖ୍ୟ ଆହାର ପାଲଟିଛି, କିଛି ଆମ୍ବ ଟାକୁଆକୁ ସଂଗ୍ରହ କରି ପାଣିରେ ଶିଝେଇ ତାକୁ ମାଣ୍ଡିଆ ଚୁନା ସହିତ ରୋଷେଇ କରି ଜୀବନ ବିତାଉଛି ବୃଦ୍ଧା ଜୟମତି। ବୃଦ୍ଧା ଜୟମତି କୁ ଅକ୍ଟୋବର 2021 ମସିହା ପରଠାରୁ ମିଳୁଥିବା ଭତ୍ତା ରୁ ମଧ୍ୟ ବଞ୍ଚିତ କରାଯାଇଛି, ଏବେ ଏକ ଜରିପାଲ ଟଣା କୁଡ଼ିଆ ଭିତରେ ବର୍ଷା କାକର ଶୀତରେ ତାର ଜୀବନ ବିତୁଛି! କହିବାକୁ ଗଲେ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧୁଶିତ ଅଞ୍ଚଳ ହୋଇଥିବା ବେଳେ ଏ ଅଞ୍ଚଳରେ ଅନେକ ଦିନ ମଜୁରିଆ ଗରିବ ପରିବାର ରହିଆସୁଛନ୍ତି, ପଚିଶି ବର୍ଷ ଧରି ଅହରହ ରାଜୁତି କରି ଆସୁଥିଲା ବିଜେଡି ସରକାର ହେଲେ ବିକାଶ କେତେ ହୋଇଛି ତାର ଏ ହେଉଛି ଏକ ଜ୍ୱଳନ୍ତ ଉଦାହରଣ, ଏଠି ଆବାସ କେଳେଙ୍କାରୀ ଠାରୁ ସାଧାରଣ ବଣ୍ଟନ ବ୍ୟବସ୍ଥା କୁହନ୍ତୁ କି ଭତ୍ତା କଥା ସବୁ କେବଳ ନାମକୁ ମାତ୍ର ଏପଟେ ଚାଉଳ ନ ପାଇ ଆମ୍ବ ଟାକୁଆ ଖାଇ ବୃଦ୍ଧାଙ୍କ ଜୀବନ ବିତୁଥିବା ସରକାର ର ବିକାଶ କୁ ପଦାରେ ପକେଇଛି! ଏହି ଗ୍ରାମପଂଚାୟତ ରେ ଅନେକ ହିତାଧିକାରୀ ନିଜ ନିଜ ହକ ରୁ ବଞ୍ଚିତ ରହିଥିବା ବେଳେ ଲୋକଙ୍କ ଗୁହାରି ଶୁଣିବାକୁ ଏଠି ପ୍ରାୟ ଦିନ କାର୍ଯ୍ୟାଳୟରେ ତାଲା ପଡ଼ି ରହୁଥିବା ମଧ୍ୟ ଲୋକେ କୁହନ୍ତି!
