ବିକାଶ ମନ୍ଥନ ସମ୍ମିଳନୀରେ ଓଡ଼ିଆ ଅସ୍ମିତା ଓ ସୁଶାସନକୁ ଗୁରୁତ୍ୱ

ଭୁବନେଶ୍ୱର ତା-୨୮.୦୨.୨୦୨୬ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ (ଓଡିଆଇଡି) ର ମିଳିତ ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ଆୟୋଜିତ ଦୁଇ ଦିନିଆ ପରାମର୍ଶ ସମ୍ମିଳନୀର ଦ୍ୱିତୀୟ ଦିନର ତୃତୀୟ ଅଧିବେଶନ ଓଡ଼ିଆ ଅସ୍ମିତା ଓ ସୁଶାସନ ଉପରେ ପର୍ଯ୍ୟବସିତ ଥିଲା lନାଗରିକମାନଙ୍କୁ ସମୟୋପଯୋଗୀ ଏବଂ ସହଜରେ ସ୍ୱଚ୍ଛ, ଜନକୈନ୍ଦ୍ରିକ ସୁଶାସନ ଆଧାରରେ କିପରି ତ୍ୱରିତ ସେବା ପ୍ରଦାନ କରାଯାଉଛି , ସେ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଉପସ୍ଥାପନ କରିଥିଲେ । ଲୋକସେବା ଅଧିକାର ଆଇନ୍ ଅନ୍ତର୍ଭୁକ୍ତ ୩୨ଟି ବିଭାଗର ୪୪୫ ଟି ସେବା ଏବେ ପ୍ରଦାନ କରାଯାଉଛି । ଏହି ଆଇନ୍ ବଳରେ ସମୟସୀମା ଭିତରେ କାର୍ଯ୍ୟ କରୁନଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରାଯାଉଛି । ଆମ ସାଥୀ ଡ୍ୟାସବୋର୍ଡ ଏବଂ ହ୍ୱାଟ୍ସ ଆପ୍ ଚାଟ୍ ବଟ୍ ଜରିଆରେ ଏବେ ସେବା ପ୍ରଦାନରେ ସହଜ ହୋଇଛି । ବିଭିନ୍ନ ସେବା ପ୍ରଦାନରେ ଯେପରି କୌଣସି ଲାଇନ୍ ବା ଧାଡ଼ିରେ ଠିଆ ନ ହୋଇ ସେବା ପ୍ରଦାନକୁ ସୁନିଶ୍ଚିତ କରାଯିବ, ତାହାକୁ ଲକ୍ଷ୍ୟ ରଖି ବ୍ୟବସ୍ଥାକୁ ସମନ୍ୱିତ କରାଯାଉଥିବା ସମ୍ପର୍କରେ ସେ ସେ ପ୍ରକାଶ କରିଥିଲେ । ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ପବିତ୍ର ମୋହନ ସାମଲ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ବ୍ୟବସ୍ଥାରେ ସୁଧାର ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉପସ୍ଥାପନ କରିଥିଲେ I ଇ-କୋର୍ଟ ଆପ୍ ର ପ୍ରଚଳନ, ପେପରଲେସ କୋର୍ଟ ପ୍ରତିଷ୍ଠା, ନନ୍ କ୍ୟାର୍ଡର ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ସହ ସେମାନଙ୍କୁ ତାଲିମ ବ୍ୟବସ୍ଥା, ରାଜ୍ୟ ‘ଲ’ ଏକାଡେମୀ ପ୍ରତିଷ୍ଠା ଏବଂ ଓଡ଼ିଶା ରେପି୍ଲାଣ୍ଟ ବିଲ୍ ୨୦୨୬ ଆଦି ଯୋଜନା ବିକଶିତ ଓଡ଼ିଶା @ ୨୦୩୬ ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ I ଏଥି ସହିତ ରାଜ୍ୟର ବିକାଶ ଲକ୍ଷ୍ୟକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ହେଲେ ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ଉପଲବ୍ଧି କରି ଯୋଜନା ପ୍ରସ୍ତୁତି ଦିଗରେ ସେ ପରାମର୍ଶ ଦେଇଥିଲେ I ‘ବିକାଶ ମନ୍ଥନ’ ଅବସରରେ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା” ଦୂରଦୃଷ୍ଟି ଅଧୀନରେ ଓଡ଼ିଶାର ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । ଏହା ଅଧୀନରେ ୧୫ଟି ଇକୋ-କଲ୍‌ଚରାଲ୍ ହବ୍ ଏବଂ ପ୍ରମୁଖ ପୁରୀ-କୋଣାର୍କ ହେରିଟେଜ୍ କରିଡରର ବିକାଶ କରାଯାଉଛି । ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି, ୨୦୨୬ ହେରିଟେଜ୍ ହୋଟେଲ, ମାଇସ୍, ଇକୋ-ଟୁରିଜିମ୍, କଳା ଓ ଶିଳ୍ପ କମ୍ପ୍ଲେକ୍ସ ଏବଂ ଅନ୍ତର୍ଭୁକ୍ତ ଉଦ୍ୟୋଗୀମାନଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛି । ଏଥିସହ ରାଜ୍ୟରେ ଆଡଭେଞ୍ଚର ଟୁରିଜିମ୍, କ୍ୟାରାଭାନ୍ ସୁବିଧା ଏବଂ ଗ୍ରାମୀଣ ହୋମଷ୍ଟେକୁ ପ୍ରୋତ୍ସାହିତ କରାଯିବା ସହ ଦକ୍ଷତା ବିକାଶ ଏବଂ ଗନ୍ତବ୍ୟ ସ୍ଥଳ ପରିଚାଳନା ( ଡେଷ୍ଟିନେସନ ମ୍ୟାନେଜମେଣ୍ଟ) ଉପରେ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ । ପର୍ଯ୍ୟଟନକୁ ନିଯୁକ୍ତି ଏବଂ ସ୍ଥାୟୀ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ବିକଶିତ ପାଇଁ ଏହା ଭିଜନ ୨୦୨୯, ୨୦୩୬ ଏବଂ ୨୦୪୭ ସହିତ ସମନ୍ୱିତ କରାଯାଇଥିବା ସେ ପ୍ରକାଶ କରିଥିଲେ । ସମ୍ମିଳନୀର ଏହି ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଯୋଗଦେଇ କହିଥିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର କରିବା ସରକାରଙ୍କ ପ୍ରାଥମିକତା ରହିଛି । ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ୬୧୪.୯୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା କରାଯାଇଛି । ଏହା ସହିତ ପୁରୀରେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ୧୦୦୦ କୋଟି, ଭୁବନେଶ୍ୱରରେ ଅତ୍ୟାଧୁନିକ ସଂଗ୍ରହାଳୟ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୧୦ କୋଟି ଟଙ୍କା ବ୍ୟୟରେ ବାରିପଦା ଠାରେ ମୟୁରଭଞ୍ଜ ଛଉ ଏକାଡେମୀ ପ୍ରତିଷ୍ଠା ହେବା ପାଇଁ ଯୋଜନା ରହିଛି । ବରପୁତ୍ରମାନଙ୍କର ଅବଦାନ ଓ ଆଦର୍ଶକୁ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଶା ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାକୁ ଲାଗୁ କରାଯାଇଛି । ଏହି ଯୋଜନାରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବା ସହ ବରପୁତ୍ରଙ୍କ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର ଆଦି ପ୍ରତିଷ୍ଠା କରାଯିବ । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ମଧ୍ୟ ସ୍ଥାପନ କରାଯିବ । ପ୍ରତ୍ୟେକ ବରପୁତ୍ରମାନଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ପାଇଁ ୧୫କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ଗତ ୨୦୨୫ ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଓଡ଼ିଆ ପକ୍ଷ ପାଳନ କରାଯାଇଛି । ଏହି ବର୍ଷ ମଧ୍ୟ ଏହାକୁ ଭବ୍ୟତାର ସହ ପାଳନ କରାଯିବ । ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଛି । ଏଥିନିମନ୍ତେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନିୟମିତ ଅନ୍ତରାଳରେ ପ୍ରଶିକ୍ଷଣ ଶିବିରର ଆୟୋଜନ ମଧ୍ୟ କରାଯାଉଛି । ଏଥିସହ ସଂସ୍କୃତି ବିଭାଗର ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ସାଂସ୍କୃତିକ ଦଳମାନଙ୍କର ନିୟୋଜନକୁ ସୁପରିଚାଳିତ କରାଯାଇପାରୁଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାମୂହିକ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜାତୀୟ ଯୁବଦିବସ ଅବସରରେ ଗତ ଜାନୁଆରୀ ୧୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରାୟ ୨୯ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମୂହିକ ଭାବେ ବନ୍ଦେମାତରମ୍ ଗାନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ସହ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ଗଠନର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ବାଂଛାନିଧି ପଣ୍ଡା ଏହି ଅଧିବେଶନକୁ ସଂଚାଳନ କରିଥିବା ବେଳେ ପ୍ରଫେସର ଚାରୁଦତ୍ତ ପାଣିଗ୍ରାହୀ, ପ୍ରଯୁକ୍ତି ବିଷାରଦ ଏବଂ ନୀତି ବିଶେଷଜ୍ଞ ତଥା ସଦସ୍ୟ, ଜିଆଇଏଫଟି, ନୀତି ଆୟୋଗ (ଗୋଆ) ସହ ସଂଚାଳକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave a Reply

Your email address will not be published. Required fields are marked *