ଐତିହାସିକ ଦିଗବୋଇ ବିଶୋଧନାଗାର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର, ୨୨ ସେପ୍ଟେମ୍ବରପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି) ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଆସାମ ଦିଗବୋଇସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ)ର ବିଶୋଧନାଗାର ପରିଦର୍ଶନ କରିଛନ୍ତି । ଏହି ବିଶୋଧନାଗାର ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ଭବିଷ୍ୟତ ଦିଗରେ ଭାରତର ପ୍ରୟାସରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ।ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଶ୍ରୀ ରାହୁଲ ପ୍ରଶାନ୍ତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଦିଗବୋଇର ଇତିହାସ ବିଷୟରେ ସୂଚନା ଦେଇଥିଲେ । ସେମାନେ କହିଥିଲେ, ଉନବିଂଶ ଶତାବ୍ଦୀରେ ଏଠାରେ ତୈଳ ଅନୁସନ୍ଧାନ ହୋଇଥିଲା । ସେବେଠାରୁ ଏହି ସ୍ଥାନ ଭାରତର ଏକ ପ୍ରମୁଖ ଶିଳ୍ପ କ୍ଷେତ୍ର ରୂପେ ବିକଶିତ ହୋଇଛି । ଅଧିକାରୀମାନେ ଏଠାରେ ତୈଳ ସନ୍ଧାନ ସମ୍ପର୍କରେ ଏକ ରୋଚକ କାହାଣୀ କହିଥିଲେ । ସେମାନେ କହିଥିଲେ, ପ୍ରଥମେ ଏଠାରେ ‘ରୂପକଲି’ ନାମକ ଗୋଟିଏ ମାଈ ହାତୀର ପାଦ ତେଲରେ ଖସୁଥିବା ଦେଖିବାକୁ ମିଳିଥିଲା । ସେହି ହାତୀର ପାଦ ଚିହ୍ନକୁ ଠାବ କରି ମାଟି ତଳେ ତୈଳ ଭଣ୍ଡାର ଥିବା ଜଣାପଡ଼ିଥିଲା ।୧୮୮୯ରେ ଦିଗବୋଇରେ ପ୍ରଥମ ବ୍ୟବସାୟିକ ତୈଳ କୂପ ଖୋଳାଯାଇଥିଲା। ଏହାପରେ ୧୯୦୧ରେ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିଲା । ଦିଗବୋଇ ବର୍ତ୍ତମାନ ବିଶ୍ୱର ସବୁଠୁ ପୁରୁଣା ନିରନ୍ତର ଭାବେ ଚାଲୁଥିବା ବାଣିଜ୍ୟିକ ତୈଳ ବିଶୋଧନାଗାର ମାନ୍ୟତା ହାସଲ କରିଛି ।ଓଡ଼ିଶାର ସାମ୍ବାଦିକ ପ୍ରତିନିଧି ଦଳକୁ ଆଇଓସିଏଲର ସମନ୍ୱିତ ବିଶୋଧନାଗାର କ୍ଷମତା ଏବଂ ଭବିଷ୍ୟତର ଇନ୍ଧନ ଉଦ୍ୟୋଗ ପାଇଁ ଏହାର କ୍ରମାଗତ ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଥିଲା । ଦଶଟି ବିଶୋଧନାଗାର ଗ୍ରୁପ୍‌ ମାଧ୍ୟମରେ ଇଣ୍ଡିଆନ୍‌ ଅଏଲ ବର୍ତ୍ତମାନ ବାର୍ଷିକ ୮୦.୭୫ ଏମଏମଟିପିଏ କ୍ଷମତା ସହ କାର୍ଯ୍ୟ କରୁଛି । ଭାରତରେ ଯେତିକି ତୈଳ ବିଶୋଧନ ହେଉଛି ଇଣ୍ଡିଆନ୍‌ ଅଏଲ୍‌ ର ସେଥିରେ ୩୧ ପ୍ରତିଶତ ଅଂଶଧନ ରହିଛି । ଦିଗବୋଇ ଠାରେ ଆଇଓସିଏଲର ବିଶୋଧନ କ୍ଷମତା ୦.୬୫ ଏମଏମଟିପିଏ ଥିବା ବେଳେ ଏହାକୁ ୧ ଏମଏମଟିପିଏକୁ ବଢ଼ାଇବା ଦିଗରେ କାର୍ଯ୍ୟ କରାଯାଉଛି । ଏହା କ୍ଷେତ୍ରୀୟ ଇନ୍ଧନ ଯୋଗାଣକୁ ପ୍ରେତ୍ସାହିତ କରିବ ।ଇଣ୍ଡିଆନ୍‌ ଅଏଲ ସବୁଜ ଶକ୍ତି ଗ୍ରହଣୀୟତାକୁ ମଧ୍ୟ ତ୍ୱରାନ୍ୱିତ କରୁଛି । ଏହାର ସୌର କ୍ଷମତା ୨୫୮ ମେଗାୱାଟ୍‌ ଥିବା ବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ କମ୍ପାନୀ ପକ୍ଷରୁ ୧୫ଟି ହାଇଡ୍ରୋଜେନ୍‌ ବସ୍‌ ଚଳାଚଳ କରାଯାଉଛି । ସେହିପରି ବାଣିଜ୍ୟିକ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆଇଓସିଏଲ୍‌ କାର୍ଯ୍ୟ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଗବୋଇ ବିଶୋଧନାଗାରର ୮୦ରୁ ୮୫ ପ୍ରତିଶତ ଶିଳ୍ପ ଜଳ ଆବଶ୍ୟକତା ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ପୂରଣ କରାଯାଉଛି । ଏହାର ଗୋଟିଏ ୨୮ ହଜାର କ୍ୟୁବିକ୍‌ ମିଟର କ୍ଷମତା ବିଶିଷ୍ଟ ଜଳଭଣ୍ଡାର ରହିଛି । କଠୋର ପରିବେଶଗତ ସୁରକ୍ଷା ବ୍ୟବସ୍ଥା ସହ ଏଠାରେ ୨୪ ଘଣ୍ଟିଆ କାର୍ଯ୍ୟ ପରିଚାଳନା ହୋଇଥାଏ । ଏଠାରେ ପ୍ରଦୂଷଣ ଓ ବର୍ଜ୍ୟ ହ୍ରାସ ପାଇଁ ସ୍ୱତନ୍ତ୍ର ଉପଚାର ପ୍ଲାଣ୍ଟ ରହିଛି । ଏହାବ୍ୟତୀତ ବିଶୋଧନାଗାର ପରିସରରେ ପାଖାପାଖି ୫୪ ପ୍ରତିଶତ ଭାଗ ସବୁଜ ବୃକ୍ଷରାଜିରେ ଘେରି ରହିଛି । ଶେଷରେ ସାମ୍ବାଦିକମାନେ ଦିଗବୋଇର ଶହେ ବର୍ଷ ପୁରୁଣା ତୈଳ ସଂଗ୍ରହାଳୟ ଏବଂ ଆବିଷ୍କାର କୂପ ବୁଲି ଦେଖିଥିଲେ । ସେମାନେ ଉନବିଂଶ ଶତାବ୍ଦୀର କେବୁଲ-ଟୁଲ୍ ଡ୍ରିଲିଂ ରିଗ୍, ପୁରୁଣା ଉପକରଣ ଏବଂ ଭାରତରେ ତୈଳ ଅନୁସନ୍ଧାନର ପ୍ରାରମ୍ଭିକ ବର୍ଷଗୁଡ଼ିକ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ । ଦିଗବୋଇରେ ଭାରତର ପେଟ୍ରୋଲିୟମ ଯୁଗର ପ୍ରାରମ୍ଭ ଏବଂ ଦୀର୍ଘସ୍ଥାୟୀ ଇନ୍ଧନ ଭବିଷ୍ୟତ ଲାଗି ଜାରି ରହିଥିବା ପ୍ରୟାସ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *