ଶୀର୍ଷକ _ଆମ ସଂସ୍କୃତିରେ ଧର୍ମ ମାସ କାର୍ତ୍ତିକ

ଶୀର୍ଷକ _ଆମ ସଂସ୍କୃତିରେ ଧର୍ମ ମାସ କାର୍ତ୍ତିକ


ରୀତାରାଣୀ ଦାଶ
ବାଲେଶ୍ୱର

ଆମର ସଂସ୍କୃତି ଆମ ପରମ୍ପରା
ବିଶ୍ୱରେ ଅତି ନିଆରା
କେତେ ଯାନି ଯାତ୍ରା ପାଳନର ମଜା
ବାରମାସେ ତେର ପରା
ଶରତ ପରେ ହେମନ୍ତ,
ଶିଶିର ସାଥିରେ ଆଗମେ ଧରାରେ
ପୂଣ୍ୟ ମାସ ପୂଣ୍ୟ ବ୍ରତ |
କାର୍ତ୍ତିକ ମାସରେ ରାଇ ଦାମୋଦର
ଆକାଶେ ଆକାଶ ଦୀପ
ପୂରୁବ ଐତିହ ଅନୁପମ ରୂପ
ବୋଇତ ବନ୍ଦାଣ ପର୍ବ
ସାଧବ ବାଣିଜ୍ୟ କୃତି,
ଜାଭା, ବାଲି ଆଉ ସୁମାତ୍ରା ଗମନ
ଧନ ସମ୍ପତ୍ତି ର ପ୍ରାପ୍ତି |
କୁମାର ପୂର୍ଣ୍ଣମୀ ଦିନରୁ ଆରମ୍ଭ
ହବିଷ୍ୟାଳି ଙ୍କର ବ୍ରତ
ପାହାନ୍ତି ପ୍ରହରୁ ନିତ୍ୟକର୍ମ ସାରି
ଚଉରା ମୂଳରେ ଦୀପ
ପୂଜନ୍ତି ମା ବୃନ୍ଦାବତୀ,
ଓଡ଼ିଆଣୀ ମାନେ ଭକ୍ତି ସରାଗରେ
ଧର୍ମ ବିଶ୍ୱାସରେ ମତି |
ଅଁଳା ନବମୀରୁ ପୂର୍ଣ୍ଣମୀର ଯାଏଁ
ଅବା ବଡ ଏକାଦଶୀ
ଏହି ପୂଣ୍ୟ ଦିନେ ପଞ୍ଚକର ବ୍ରତ
ହରିନାମ ଉଠେ ଭାସି
ଭୁଞ୍ଜି ସାତ୍ତିକ ଆହାର,
ପାଞ୍ଚ କୁପ୍ରବୃତ୍ତି ଭକ୍ତିଭାବେ ତ୍ୟାଗୀ
ହରିନାମେ ଚିତ୍ତ ସ୍ଥିର |
ପୂର୍ଣ୍ଣମୀ ଦିନ ବୋଇତ ବନ୍ଦାଣ
ସଂସ୍କୃତି ଦିଏ ସୂଚନା
ଆ କା ମା ଭୈ ସ୍ୱର ଗୁଞ୍ଜରଣେ
ବୋଇତ ଭାସଇ ସିନା
ଅତୀତ ଗୌରବ ଗାଥା,
ଆମ ପରମ୍ପରା ଯୋଡ଼ିଛି ସବୁକୁ
ବାରମାସେ ତେର ନଥା |
ସଂସ୍କାର ସଂସ୍କୃତି ବଳିଷ୍ଠ ଉତ୍କଳେ
ପୂଣ୍ୟ ମାସର ମହିମା
ଅତୀତ ଗୌରବ ପରମ୍ପରା ସ୍ମୃତି
ଅଭୁଲା ତାର ଗାରିମା
ଧରମ ମାସ କାର୍ତ୍ତିକ,
ରାଇ ଦାମୋଦର ଭକ୍ତିରେ ପୂଜିଲେ
ପ୍ରାପ୍ତି ହୋଇବ ଯେ ମୋକ୍ଷ |

Leave a Reply

Your email address will not be published. Required fields are marked *