ପଞ୍ଚାୟତରାଜ ମନ୍ତ୍ରୀଙ୍କ ଅଚାନକ ପୁରୀ ଗସ୍ତ। ଡ୍ରିଙ୍କ ଫ୍ରମ୍ ଟ୍ୟାପ ସୁବିଧାର ମାନ ଯାଞ୍ଚ
ପୁରୀ:-୩୧/୭- ମାନ୍ୟବର ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ସକାଳେ ଅଚାନକ ପୁରୀ ଗସ୍ତ କରି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ସୁବିଧା ମାନ ଯାଞ୍ଚ କରିଛନ୍ତି । ବଡଦାଣ୍ତରେ ଥିବା ଟ୍ୟାପରୁ ମନ୍ତ୍ରୀ ଜଳ ପିଇବା ସହ ଉପଲବ୍ଧ ସେବାର ସମୀକ୍ଷା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ସୋମବାର ଦିନ ଏହି ପ୍ରକଳ୍ପକୁ ପୁରୀ ସହରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହାଦ୍ବାରା ସହରବାସୀ ବିଶୁଦ୍ଧ ଜଳ ନିଜ ଘରେ ପାଇପାରିବେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ବାରା ପୁରୀର ଜନସାଧାରଣ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇପାରୁଛନ୍ତି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ପିଇବା ପାଣିକୁ ସଂଗ୍ରହ କରି ରଖିବା କିମ୍ବା ଫିଲଟର୍ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ ଏଭଳି ସୁବିଧା ମିଳେ । ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ପୁରୀ ଆସୁଥିବା ପ୍ରାୟ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ । ସୁଜଳ ଯୋଜନାରେ ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ । ସାରା ଦେଶରେ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ। ଏହି ପ୍ରକଳ୍ପରେ ବଡଦାଣ୍ଡରେ ୧୨୦ ଟି ସ୍ଥାନ ସହିତ ସହରର ୪୦୦ଟି ଜାଗାରେ ମୁକ୍ତଭାବେ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ବାର୍ଷିକ ୩ କୋଟି ପ୍ଲାଷ୍ଟିକ ପାଣି ବୋତଲ ତଥା ୪୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ମଧ୍ୟ ସହର ରକ୍ଷା ପାଇପାରିବ । ସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥି ଭାବରେ ମିଶନ ଶକ୍ତିର ମା ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ମତ ଦେଇଥିଲେ । ପୁରୀରେ ଦେଶର ସର୍ବପ୍ରଥମ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହର ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ବରର ୮ଟି ଓ ପୁରୀର ୪ଟି ସ୍ଥାନରେ ଏହି ପ୍ରକଳ୍ପକୁ ୯ ମାସ ତଳେ ଆରମ୍ଭ କରାଯାଇଥିଲା । ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶସା କରିଥିଲେ । ନିରନ୍ତର ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ୱାର୍ଡରେ ଜଳସାଥି ନିୟୋଜିତ କରାଯାଇଛି । ଘରମାନଙ୍କୁ ଏପର୍ଯ୍ୟନ୍ତ ପ୍ରାୟ ୩୨ ହଜାର ନୂଆ ସଂଯୋଗ ଦିଆଯାଇଛି । ପରେ ମନ୍ତ୍ରୀ ଶ୍ରୀ ଜେନା ୭ ନଂ ୱାର୍ଡର ବଳିଆପଣ୍ତା ରୋଡସ୍ଥିତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବିମ୍ବାଧର ଦାଶଙ୍କ ଘରକୁ ଯାଇ ସୁଜଳ ସଂଯୋଗରେ ଉପଲବ୍ଧ ପାଣିର ମାନ ସଂପର୍କରେ ପଚାରି ବୁଝିବା ସହ ଖୁସି ବ୍ୟକ୍ତ କରିଥିଲେ । ପରେ ୱାର୍ଡର ଜଳସାଥି ଶ୍ରୀ ରୀନାରାଣୀ କବିରାଜଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ୱଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ଚନ୍ଦ୍ର ମିଶ୍ର ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
