ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ମହୋତ୍ସବ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରେସମିଟ
ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ମହୋତ୍ସବ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରେସମିଟ।
ବ୍ରହ୍ମପୁର,(ନାରାୟଣ ମହାକୁଡ଼)ଧର୍ମର ମାସ କାର୍ତ୍ତିକ।ଆଶ୍ଵିନ ମାସର ପୂର୍ଣ୍ଣମୀ ପରଠାରୁ ଆରମ୍ଭ ହୋଇ ଥାଏ କାର୍ତ୍ତିକ ମାସ।କାର୍ତ୍ତିକ ପୂର୍ଣ୍ଣମା ଅବସରରେ ଉତ୍ସବମୁଖର ସାରା ଓଡ଼ିଶା। ଏହି ଅବସରରେ ମହୋଦଧି ଠାରୁ ଆରମ୍ଭ କରି ନଦୀ, ପୁଷ୍କରିଣୀ ଭଳି ସ୍ଥାନରେ ଭୋର ସମୟରେ ପାରମ୍ପରିକ ରୀତିନୀତିରେ କଦଳୀ ପଟୁଆ ସହିତ ରଙ୍ଗୀନ ବୋଇତ ଭସାଇ ସଂସ୍କୃତି ଓ ପରମ୍ପରାକୁ ପରିବାର ସହ ଜଳାଶୟ ରେ ଡଙ୍ଗା ଭସାଇ ଥାଆନ୍ତି।। ଏହି ଅବସରରେ ପୁରାତନ ନୌବାଣିଜ୍ୟ କେନ୍ଦ୍ରସ୍ଥଳୀ ଗୋପାଳପୁରଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହ ତିନି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ମଙ୍ଗଳବାର ମଧ୍ୟାହ୍ନ ସମୟରେ ଗୋପାଳପୁର ସ୍ଥିତ ସର୍କିଟ ହାଉସ ଠାରେ ବୋଇତ ବନ୍ଦାଣ ଉତ୍ସବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଗତବର୍ଷ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥବା ବେଳେ ଚଳିତବର୍ଷ ଆୟୋଜନ ଦ୍ୱିତୀୟ ବର୍ଷ ହେବ।ସୂଚନା ପ୍ରକାରେ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ସମୟରେ ଓଡ଼ିଆ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରା ଅନୁଯାୟୀ ପାଳନ କରାଯିବ।ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ପାରମ୍ପରିକ ଲୋକ ନୃତ୍ୟ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ଏହା ସହ ବେଳାଭୂମିରେ ପଲ୍ଲୀଶ୍ରୀ ମେଳା ଏବଂ ବାଲୁକା ଶିଳ୍ପୀଙ୍କ ଦ୍ଵାରା ବିଭିନ୍ନ ବାଲୁକା କଳା ମାଧ୍ୟମରେ କଳା,ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ପ୍ରଦର୍ଶନ କରାଯିବ। ପଲ୍ଲୀଶ୍ରୀ ମେଳାରେ ମୋଟ ୬୦ଟି ଷ୍ଟଲରେ ଜିଲ୍ଲା ଏବଂ ଜିଲ୍ଲା ବାହାର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଖାଦ୍ୟ ସାମଗ୍ରୀ ଓ ହସ୍ତ୍ରତନ୍ତ୍ର ଜିନିଷ ବିକ୍ରୀ ହେବ।ଦର୍ଶକଙ୍କ ପାଇଁ ଯାନବାହାନ ରଖିବା ନିମନ୍ତେ ଦୁଇ ଗୋଟି ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ସହ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।
ବୋଇତ ବନ୍ଦାଣ ମହୋତ୍ସବ ସ୍ଥଳରେ ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ପୋଲିସ ପହଞ୍ଚି ଅନୁଧ୍ୟାନ କରିଛନ୍ତି।ସାମ୍ୱାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରଜସିର୍କେ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଭାରପ୍ରାପ୍ତ ଦାୟିତ୍ଵରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ।ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମୀ ରାଣୀ ନିମକା ପରିଚାଳନା କରୁଥିଲେ।
