ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଚ୍ଛେଦ ଆରମ୍ଭ
ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ଵ୍ୟଵସ୍ଥାରେ ସୁଧାର ଆଣିବା ପାଇଁ ଉଚ୍ଛେଦ ଆରମ୍ଭ ହୋଇଛି।ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀ ଉଛେଦ କରାଯାଇଛି।ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି।ତେବେ ଥଇଥାନ ନକରି ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାର ବିରୋଧ କରି ଉଠା ଦୋକାନୀମାନେ ପୁରୀ ହୋଟେଲ ନିକଟରେ ଦୁଇଘଣ୍ଟା ଧରି ରାସ୍ତାରୋକ କରିଥିଲେ।ଦିଗବାରିଣୀ ଛକରୁ ହୋଟେଲ ହନ୍ସ କୋକୋ ପାମ ପର୍ଯ୍ୟନ୍ତ ବେଳାଭୂମି ତଥା ବେଳାଭୂମି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଉଠା ଦୋକାନୀ ରହିଛି।ବ୍ଲୁ ଫ୍ଲାଗ ବିଚ ହେବା ପରେ ଅନେକ ଉଠା ଦୋକାନୀ ସେମାନଙ୍କ ଜୀବିକା ହରାଇଛନ୍ତି।ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପୁରୀ ସହର ଏକ ପ୍ରକାର ପର୍ଯ୍ୟଟକ ଶୂନ୍ୟ ହୋଇଯିବାରୁ ସେମାନଙ୍କ ଅଣ୍ଟା ଭାଙ୍ଗି ଯାଇଛି।ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ ଉଠା ଦୋକାନୀ ପୁଣିଥରେ ବେଳାଭୂମିରେ ପସରା ମେଲାଇ ନିଜ ବେପାର ଆରମ୍ଭ କରିଥିଲେ।ଦି ପଇସା ରୋଜଗାର ଆରମ୍ଭ କରି ପରିବାର ମୁହଁରେ ହସ ଫୁଟାଇବା ବେଳକୁ ପ୍ରଶାସନ କଠୋର ନିଷ୍ପତ୍ତି ନେଇଛି। ଉଠା ଦୋକାନୀଙ୍କୁ ନୋଟିସ କରାଯାଇ ଆଜି ଉଚ୍ଛେଦ କରାଯାଇଛି।ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଵା ଅସନ୍ତୋଷ ପ୍ରକାଶ ପାଇଛି।ପ୍ରଥମ ପର୍ଯ୍ୟାୟରେ ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ ଛକ ପର୍ଯ୍ୟନ୍ତ ଉଛେଦ କରାଯାଇଛି।ଥଇଥାନ ନକରି ଉଚ୍ଛେଦ କରାଯାଇଥିବାରୁ ଉଠାଦୋକାନୀ ମାନେ ଦୀର୍ଘ ସମୟ ଧରି ନୂଆ ମାରାଇନ ଡ୍ରାଇଭ ରାସ୍ତାକୁ ଅବରୋଧ କରିଥିଲେ।ଘଟଣାସ୍ଥଳରେ ପୌର ଏନଫୋର୍ସମେଣ୍ଟ ଅଧିକାରୀ,ଅତିରିକ୍ତ ଏସପି,ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବେଳାଭୂମିରେ ଉଠାଦୋକାନୀ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଉଠାଦୋକାନୀଙ୍କୁ ଥଇଥାନ ନକରି ଏଭଳି ଉଛେଦକୁ ସହଜରେ ଗ୍ରହଣ କରିହେଉନାହିଁ। ଅନ୍ୟପଟେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି। ବାରମ୍ବାର ପୁରୀ ବେଳାଭୂମିରୁ ଉଠା ଦୋକାନୀଙ୍କୁ ଉଛେଦ କରାଯାଉଛି।ଏଯାଏଁ ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରାଯାଇନାହି।ତେବେ ପ୍ରଶାସନ କେବେ ଓ କିଭଳି ଉଠା ଦୋକାନୀଙ୍କୁ ଥଇଥାନ କରୁଛି ତାହା ଦେଖିବାର କଥା।ନଚେତ ଉଠାଦୋକାନୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ରୂପ ନେବ।
ରିପୋର୍ଟ- ପୁରୀରୁ ରଣଜିତ ମିଶ୍ର।
