ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ ୨୦୨୬ ପାଇଁ ଯାତାୟାତ ପରିଚାଳନା ନେଇ ଅଟୋ ସଂଘ ସହ ପୁରୀ ପୋଲିସର ସମନ୍ୱୟ ବୈଠକ*
ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ ୨୦୨୬ ପାଇଁ ଯାତାୟାତ ପରିଚାଳନା ନେଇ ଅଟୋ ସଂଘ ସହ ପୁରୀ ପୋଲିସର ସମନ୍ୱୟ ବୈଠକ*ପବିତ୍ର ରଥଯାତ୍ରା, ବାହୁଡା଼ ଯାତ୍ରା ଏବଂ ସୁନାବେଶ–୨୦୨୬ ଅବସରରେ ପୁରୀକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ, ସୁରକ୍ଷିତ ଓ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଅଟୋ ସଂଘର ପଦାଧିକାରୀମାନଙ୍କ ସହ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ, ଟ୍ରାଫିକ୍ ଡିଏସ୍ପି ଶ୍ରୀ ବିଜୟ ରତ୍ନମ, ଆଇଆଇସି ଟ୍ରାଫିକ୍ ଶ୍ରୀମତୀ ସଙ୍ଗୀତା ଦାଶ, ଆର୍ଟିଓ ପୁରୀ, ଏମ୍ଭିଆଇ ଏବଂ ପୁଲିସ ଓ ପରିବହନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଟୋ ସଂଘର ପଦାଧିକାରୀ ଓ ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ନିଜ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବୈଠକରେ ଅଟୋରିକ୍ସା ଚଳାଚଳ ପାଇଁ ନିର୍ଦ୍ଧାରିତ ରୁଟ୍, ପାର୍କିଂ ବ୍ୟବସ୍ଥା, ଯାତ୍ରୀ ଉଠାଣି ଓ ଓହ୍ଲାଣି ସ୍ଥାନ, ଭଡ଼ା ନିର୍ଦ୍ଧାରଣ, ଯାତାୟାତ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଏବଂ ପ୍ରଶାସନ ପକ୍ଷରୁ ଜାରି ହେବାକୁ ଥିବା ଟ୍ରାଫିକ୍ ଆଡଭାଇଜରୀର ସଠିକ୍ ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ

ସମୟରେ ବିପୁଳ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଟୋ ସେବାକୁ ସୁଚାରୁ, ଶୃଙ୍ଖଳିତ ଓ ଯାତ୍ରୀବନ୍ଧବ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯାତ୍ରୀଙ୍କ ସହ ସୌଜନ୍ୟମୂଳକ ବ୍ୟବହାର କରିବା, ନିର୍ଦ୍ଧାରିତ ସ୍ଥାନରୁ ଯାତ୍ରୀ ଉଠାଇବା ଓ ଓହ୍ଲାଇବା ସହିତ ସମସ୍ତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅଟୋ ଚାଳକମାନଙ୍କୁ ଅନୁରୋଧ କରାଯାଇଥିଲା। ପୁରୀ ପୋଲିସ ପକ୍ଷରୁ ଅଟୋ ସଂଘକୁ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା, ଯାତାୟାତ ପରିଚାଳନାରେ ପୁଲିସ ଓ ପରିବହନ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରିବା ଏବଂ ରଥଯାତ୍ରାର ସମସ୍ତ ପର୍ବ ସମୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଆହ୍ୱାନ ଜଣାଯାଇଥିଲା। ପୁରୀ ପୋଲିସ ସମସ୍ତ ସମ୍ପୃକ୍ତ ବିଭାଗ ଓ ପରିବହନ ସଂଗଠନଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରାର ପ୍ରତ୍ୟେକ ପର୍ବକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଭକ୍ତମାନଙ୍କ ପାଇଁ ସୁଗମ କରିବାକୁ ପ୍ରତିବଦ୍ଧ।
