ପୁରୀ ପୋଲିସର ବିଶେଷ ଅଭିଯାନ ମେ ମାସରେ ମୋଟ ୩୫୫ ୱାରେଣ୍ଟ ଅପରାଧୀଙ୍କୁ ପୁରୀ ପୋଲିସ ଦ୍ୱାରା ଗିରଫ
ପୁରୀ ପୋଲିସର ବିଶେଷ ଅଭିଯାନ ମେ ମାସରେ ମୋଟ ୩୫୫ ୱାରେଣ୍ଟ ଅପରାଧୀଙ୍କୁ ପୁରୀ ପୋଲିସ ଦ୍ୱାରା ଗିରଫ।ଜନସାଧାରଣଙ୍କ ମଧ୍ୟରେ ଆଇନର ଶାସନ ସୁଦୃଢ କରିବା, ଅପରାଧୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୀର୍ଘଦିନ ଧରି ଅମଲ ହୋଇନଥିବା ଅଦାଲତୀୟ ୱାରେଣ୍ଟଗୁଡ଼ିକୁ କାର୍ଯ୍ୟକରୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ,୨୨ ଦିନ ମଧ୍ୟରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୩୫୫ ଜଣ ନନ୍-ବେଲେବଲ ୱାରେଣ୍ଟ (NBW) ଗିରଫ କରାଯାଇଥିବାବେଳେ,ଏହି ବିଶେଷ ଅଭିଯାନରେ ଜିଲ୍ଲାର ବିଭିନ୍ନ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ଦୀର୍ଘଦିନ ଧରି ଫେରାର ଥିବା ଏବଂ ଅଦାଲତରେ ହାଜର ହେଉନଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତକୁ ପ୍ରେରଣ କରାଯାଇଛି।ପୁରୀ ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସୁରକ୍ଷା, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନର ସଠିକ ପ୍ରୟୋଗ ପ୍ରତି ପ୍ରତିବଦ୍ଧ। ଆଇନ ଭଙ୍ଗ କରୁଥିବା କିମ୍ବା ଅଦାଲତୀୟ ପ୍ରକ୍ରିୟାକୁ ଅବହେଳା କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ। ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଜିଲ୍ଲାର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କୁ ମଧ୍ୟ ପୁରୀ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି ଯେ, କୌଣସି ଅପରାଧୀ, ଫେରାର ଅଭିଯୁକ୍ତ କିମ୍ବା ସନ୍ଦେହଜନକ ବ୍ୟକ୍ତି ସମ୍ପର୍କରେ ସୂଚନା ମିଳିଲେ ନିକଟସ୍ଥ ଥାନାକୁ ତୁରନ୍ତ ଅବଗତ କରାନ୍ତୁ। ସାଧାରଣ ଲୋକଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟକୁ ଆହୁରି ସୁଦୃଢ କରାଯାଇପାରିବ।ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ ଏବଂ ଅଦାଲତୀୟ ୱାରେଣ୍ଟ ନିଷ୍ପାଦନ, ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଦିଗରେ ପୁରୀ ପୋଲିସ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବ।
