ପୁରୀ ପୋଲିସର ଡ୍ରିଙ୍କନ୍ ଡ୍ରାଇଭିଂ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
ଡ୍ରଙ୍କନ୍ ଡ୍ରାଇଭିଂ ବିରୋଧରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ ୧୫୩ ଚାଳକଙ୍କ ବିରୋଧରେ ମାମଲା*ପୁରୀ ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହିତ ମଦ୍ୟପାନ କରି ଯାନ ଚାଳନା (Drunken Driving) ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୁରୀ ପୋଲିସ ଫେବୃଆରୀ ମାସ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ ଅଭିଯାନ ଚାଲାଇଥିଲେ। ଏହି ଅଭିଯାନ ସମୟରେ ପୁରୀ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ଗାଡି ଯାଞ୍ଚ (Vehicle Checking) କଡ଼ାକଡ଼ି ଭାବେ କରାଯାଇଥିଲା। ଏହି ବିଶେଷ ଅଭିଯାନ ଅଧୀନରେ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକମାନଙ୍କ ବିରୋଧରେ ଆଇନୁନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ଜିଲ୍ଲାର ଚାରିଟି ସବ୍ଡିଭିଜନ ଅଞ୍ଚଳରେ ଏହି ଅଭିଯାନ ଚାଲିଥିବାବେଳେ ମୋଟ ୧୫୩ଟି ମଦ୍ୟପାନ କରି ଯାନ ଚାଳନା ମାମଲା ଚିହ୍ନଟ କରାଯାଇଥିଲା। ସବ୍ଡିଭିଜନ ଅନୁସାରେ ସିଟି ସବ୍ଡିଭିଜନ ୮୬ଟି ମାମଲା, ସଦର ସବ୍ଡିଭିଜନ ୩୪ଟି ମାମଲା, ନିମାପଡା ସବ୍ଡିଭିଜନ ୧୯ଟି ମାମଲା, ପିପିଲି ସବ୍ଡିଭିଜନ ୧୪ଟି ମାମଲା ଏହିପରି ମୋଟ ୧୫୩ଟି ଯାନ ଚାଳକଙ୍କ ବିରୋଧରେ ଆଇନୁନୁସାରେ ମାମଲା ରୁଜୁ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ସମସ୍ତ ଯାନ ଚାଳକଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ସଡ଼କ ସୁରକ୍ଷା ନିୟମକୁ ସମ୍ମାନ କରିବେ ଏବଂ କେବେ ମଧ୍ୟ ମଦ୍ୟପାନ କରି ଯାନ ଚାଳନା କରିବେ ନାହିଁ।

ମଦ୍ୟପାନ କରି ଯାନ ଚାଳନା କରିବା ଫଳରେ ଗୁରୁତର ସଡ଼କ ଦୁର୍ଘଟଣା ଘଟିପାରେ, ଯାହା ନିଜ ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଥାଏ। ଏହିପରି ଅବହେଳା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥାଏ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନକୁ ଆହୁରି ଜୋରଦାର ଭାବରେ ଜାରି ରହିବ ଏବଂ ମଦ୍ୟପାନ କରି ଯାନ ଚାଳନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ସାଧାରଣ ଲୋକଙ୍କୁ ମଧ୍ୟ ଏହି ବିଷୟରେ ସଚେତନ ହେବା ସହ ଆଇନ ମାନି ଯାନ ଚାଳନା କରିବାକୁ ପୁରୀ ପୋଲିସ ଅନୁରୋଧ କରୁଛି। ଯଦି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ, ଅସୁବିଧା ବା ଆପତ୍କାଳୀନ ପରିସ୍ଥିତି ବିଷୟରେ ସୂଚନା ଥାଏ, ତେବେ ତତ୍କ୍ଷଣାତ ୧୧୨ କୁ ସୂଚନା ଦେବାକୁ ପୁରୀ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି।ପୁରୀ ପୋଲିସ ସଦା ସମୟରେ ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରତିବଦ୍ଧ ଅଛି। ସଡ଼କ ସୁରକ୍ଷା ପାଇଁ ପୋଲିସ ସହ ସାଧାରଣ ଲୋକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ସମସ୍ତଙ୍କ ସହଯୋଗ ରହିଲେ ସଡ଼କ ଦୁର୍ଘଟଣା କମାଇବା ସହିତ ସୁରକ୍ଷିତ ସମାଜ ଗଠନ ସମ୍ଭବ ହେବ।
