ଉନ୍ନତ ଷ୍ଟେସନ୍ ପରିଚାଳନା ପାଇଁ ଷ୍ଟେସନ୍ ମାଷ୍ଟରଙ୍କୁ ସଶକ୍ତ କରିବା ଦିଗରେ ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଉନ୍ନତ ଷ୍ଟେସନ୍ ପରିଚାଳନା ପାଇଁ ଷ୍ଟେସନ୍ ମାଷ୍ଟରଙ୍କୁ ସଶକ୍ତ କରିବା ଦିଗରେ ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ବରିଷ୍ଠ ରେଳ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଷ୍ଟେସନ ମାଷ୍ଟରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଭାରତୀୟ ରେଳ ନେଟୱର୍କରେ ଅଧିକ ସୁରକ୍ଷିତ, ଦକ୍ଷ ଏବଂ ଯାତ୍ରୀ-କୈନ୍ଦ୍ରୀକ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ସୁରକ୍ଷିତ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଯାତ୍ରୀସେବାର ପରିଚାଳନା ଏବଂ ରେଳ ଷ୍ଟେସନଗୁଡ଼ିକର ସୁଚାରୁ କାର୍ଯ୍ୟକାରିତା ବଜାୟ ରଖିବାରେ ଷ୍ଟେସନ ମାଷ୍ଟରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହି ସମୀକ୍ଷା ବୈଠକ ଅବସରରେ, ଷ୍ଟେସନ ମାଷ୍ଟରମାନେ ଦୈନନ୍ଦିନ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା କର୍ମସ୍ଥଳୀ ଓ ପ୍ରଶାସନିକ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କର ଦକ୍ଷତାକୁ ଆହୁରି ମଜବୁତ କରିବା ପାଇଁ ସମାଧାନର ପନ୍ଥା ବାହାର କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଷ୍ଟେସନ ମାଷ୍ଟରମାନଙ୍କ ଭୂମିକାକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ସହିତ, ସେମାନଙ୍କର ପ୍ରଶାସନିକ ଓ କାର୍ଯ୍ୟକାରୀ କ୍ଷମତା ବୃଦ୍ଧି, ଉନ୍ନତ କ୍ୟାରିୟର ଅଭିବୃଦ୍ଧିର ମାର୍ଗ ଏବଂ ପରିଚାଳନାର ଉଚ୍ଚ ପଦବୀକୁ ଯିବା ପାଇଁ ଅଧିକ ସୁଯୋଗ ପ୍ରଦାନ ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି ଷ୍ଟେସନ ମାଷ୍ଟରମାନଙ୍କୁ ସଶକ୍ତ କରିବା, ଯେପରି ସେମାନେ ଶୀଘ୍ର ନିଷ୍ପତ୍ତି ନେଇପାରିବେ, ଯାତ୍ରୀସେବା ପ୍ରଦାନରେ ସୁଧାର ଆଣିପାରିବେ ଏବଂ ଷ୍ଟେସନର ଭିତ୍ତିଭୂମି, କର୍ମଚାରୀ କାର୍ଯ୍ୟାଳୟ, କଲୋନୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ପ୍ରଭାବଶାଳୀ ଭାବେ ତଦାରଖ କରିପାରିବେ।ବର୍ଦ୍ଧିତ ପରିଚାଳନା ଆବଶ୍ୟକତା ପୂରଣ କରିବା ପାଇଁ ମଲ୍ଟି-ଟ୍ରାକ୍ ଏବଂ ଉଚ୍ଚ-ଘନତା ସେକ୍ସନରେ ଅତିରିକ୍ତ ଷ୍ଟେସନ ମାଷ୍ଟରମାନଙ୍କୁ ନିୟୋଜନ ଉପରେ ଆଲୋଚନା ହୋଇଥିଲା – ଯେଉଁଠାରେ ଟ୍ରାଫିକ ପରିମାଣ ଏବଂ ରେଳ ଚାଳନା ଜଟିଳତା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ନିଯୁକ୍ତିଗୁଡ଼ିକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇ ଷ୍ଟେସନ ମାଷ୍ଟର ପଦବୀ ପାଇଁ ଖାଲି ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବାର ଆବଶ୍ୟକତା ଉପରେ ବି ଗୁରୁତ୍ବ ଦିଆଯାଇଥିଲା।କାର୍ଯ୍ୟକ୍ଷମତା ବୃଦ୍ଧି କରିବାରେ ପ୍ରଯୁକ୍ତିର ଗୁରୁତ୍ୱକୁ ସ୍ୱୀକାର କରି, ଷ୍ଟେସନ ମାଷ୍ଟରମାନଙ୍କ ପାଇଁ ଏକ ମୋବାଇଲ୍ ଆପ୍-ଆଧାରିତ, କାଗଜବିହୀନ କାର୍ଯ୍ୟ ପ୍ରଣାଳୀ ପ୍ରଚଳନ ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଏକ ସମନ୍ୱିତ ଷ୍ଟେସନ ପରିଚାଳନା ପ୍ରଣାଳୀ (ଇଣ୍ଟିଗ୍ରେଟେଡ୍ ଷ୍ଟେସନ ମ୍ୟାନେଜମେଣ୍ଟ ସିଷ୍ଟମ) ର ବିକାଶ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା, ଯାହା ବିଭିନ୍ନ ରେଳ ବିଭାଗ ମଧ୍ୟରେ ଉନ୍ନତ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ ଏବଂ ଷ୍ଟେସନଗୁଡ଼ିକରେ ଯାତ୍ରୀ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ କରିପାରିବ।ରେଳମନ୍ତ୍ରୀ ଆଧୁନିକ ଦକ୍ଷତା ବିକାଶ ଏବଂ କ୍ଷମତା ନିର୍ମାଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକାରୀମାନେ ଭର୍ଚୁଆଲ୍ ରିଆଲିଟି, ସିମୁଲେଟର ଏବଂ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ତାଲିମ ପଦ୍ଧତିଗୁଡ଼ିକୁ ଉନ୍ନତ କରିବା ବିଷୟରେ ଆଲୋଚନା କରିଥିଲେ ଯାହା ଦ୍ଵାରା ଷ୍ଟେସନ ମାଷ୍ଟରମାନେ କ୍ରମଶଃ ଜଟିଳ ହେଉଥିବା ରେଳ ଚାଳନା ଏବଂ ଜରୁରୀକାଳୀନ ପରିସ୍ଥିତିର ସୁଚାରୁ ପରିଚାଳନା କରିପାରିବେ।ସ୍ଥାନୀୟ ସମସ୍ୟାର ଶୀଘ୍ର ସମାଧାନ ଏବଂ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଷ୍ଟେସନ ମାଷ୍ଟରମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପ୍ରସ୍ତାବ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଷ୍ଟେସନ ସ୍ତରରେ ଅଧିକ କ୍ଷମତା ପ୍ରଦାନ କରିବା ଦ୍ୱାରା ସମୟୋଚିତ ରକ୍ଷଣାବେକ୍ଷଣ, ଯାତ୍ରୀଙ୍କ ଆବଶ୍ୟକତାର ତୁରନ୍ତ ପ୍ରତିକ୍ରିୟା ଏବଂ ଉନ୍ନତ ଷ୍ଟେସନ ପରିଚାଳନାକୁ ସହଜ କରିବା ଆଶା କରାଯାଉଛି।ବୈଠକରେ ଷ୍ଟେସନ ମାଷ୍ଟରମାନଙ୍କ ପାଇଁ କ୍ୟାରିୟର ପ୍ରଗତି ସୁଯୋଗ ବୃଦ୍ଧି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା, ଯାହାଦ୍ୱାରା ଭାରତୀୟ ରେଳବାଇ ମଧ୍ୟରେ ଉଚ୍ଚ-ସ୍ତରୀୟ ପରିଚାଳନା ଏବଂ ନେତୃତ୍ୱ ଭୂମିକା ପାଇଁ ସେମାନଙ୍କର ଉନ୍ନତିକୁ ପ୍ରେତ୍ସାହିତ କରାଯାଇପାରିବ। ଆଲୋଚନାର ମୂଳ ଉଦ୍ଦେଶ୍ୟ ଥିଲା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ବର୍ଗରେ କର୍ମଚାରୀମାନଙ୍କ ପାଇଁ ଅଧିକ ପ୍ରେରଣାଦାୟକ ଏବଂ ଅଭିବୃଦ୍ଧି-ମୁଖୀ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା।ରେଳ ଚଳାଚଳରେ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକର ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ରେଳ କାର୍ଯ୍ୟକ୍ଷେତ୍ରରେ ମହିଳା ଷ୍ଟେସନ ମାଷ୍ଟର ଏବଂ ମହିଳା ପଏଣ୍ଟସମ୍ୟାନମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି, ଷ୍ଟେସନଗୁଡ଼ିକରେ ଉନ୍ନତ ସୁରକ୍ଷା ସରଞ୍ଜାମ ଏବଂ ବ୍ୟବହାରକାରୀ-ଅନୁକୂଳ ଉପକରଣ ଯୋଗାଇଦେବା ଉପରେ ଆଲୋଚନା କେନ୍ଦ୍ରୀଭୂତ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସମ୍ମୁଖ ଭାଗରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀମାନଙ୍କ ପାଇଁ ଅଧିକ ସୁରକ୍ଷିତ, ସହଜ ସୁଲଭ ଏବଂ ଅଧିକ ଦକ୍ଷ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା।ଏହି ସମୀକ୍ଷା ବୈଠକରେ ଆଲୋଚିତ ଏହି ସମସ୍ତ ପଦକ୍ଷେପ, ଷ୍ଟେସନ ମାଷ୍ଟରମାନଙ୍କୁ ଉନ୍ନତ ମାନବ ସମ୍ବଳ ସହାୟତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ସୁଦୃଢ଼ ପ୍ରଶିକ୍ଷଣ ଏବଂ ଅଧିକ ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ କରି ସଶକ୍ତ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାର ମୂଳ ଲକ୍ଷ୍ୟ ହେଉଛି ଦେଶର କୋଟି କୋଟି ଯାତ୍ରୀଙ୍କ ପାଇଁ ଏକ ଅଧିକ ଦାୟିତ୍ୱବାନ, ଦକ୍ଷ ଏବଂ ଭବିଷ୍ୟତ-ଉପଯୋଗୀ ଷ୍ଟେସନ ପରିଚାଳନା ପ୍ରଣାଳୀ ଗଠନ କରିବା।

Leave a Reply

Your email address will not be published. Required fields are marked *