ବର୍ଷା

ଆକାଶରୁ ବୃଷ୍ଟି ପାତ ହୁଏ ଅବିରତ,
ଉତ୍ତପ୍ତ ଧରଣୀ ଏବେ ହୋଇଗଲା ଶାନ୍ତ,,
ବୃକ୍ଷ ଲତା ଗଣ ଧୀରେ ହୋଇଲେ ଆଶ୍ୱସ୍ତ,
ପରିବ୍ରାଜକଙ୍କ ଯାତ୍ରା ସମ୍ପ୍ରତି ସ୍ଥଗିତ,,
ଆରମ୍ଭିଲା ଚାତୁର୍ମାସ୍ୟା ଶ୍ରୀହରି ଶୟନ,
ଶ୍ରାବଣ ମାସରୁ ସର୍ବ ପୂଜା ଓ ପାର୍ବଣ,,
ଚିତାଲାଗି ଅମାଵାସ୍ୟା, ଝୁଲଣ ପୂର୍ଣ୍ଣମୀ,
ଭାଦ୍ର ମାସ କୃଷ୍ଣ ପକ୍ଷେ ହରି ଜନ୍ମାଷ୍ଟମୀ,,
ସପ୍ତପୁରୀ ଅମାବାସ୍ୟା ଦର୍ଭ ସଂଗ୍ରହଣ,
ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଶ୍ରୀଚନ୍ଦ୍ର ଦର୍ଶନ,,
ବାଲି ତୃତୀୟା,ଗଣେଶ ଚତୁର୍ଥୀ ଉତ୍ସବ,
ଋଷି ପଞ୍ଚମୀରେ ପୁଣି ନୂଆ ଖାଇ ପର୍ବ,,
କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମାଙ୍କ ଅର୍ଚ୍ଚନା,
ଷଷ୍ଠୀ ଦେବୀଙ୍କ ପୂଜାରେ କେତେ ପିଠା ପଣା,,
ଲଳିତା ସପ୍ତମୀ ପୁଣି ସୋମନାଥ ବ୍ରତ,
ଦୁର୍ବାଷ୍ଟମୀରେ ଶ୍ରୀରାଧା ହୁଅନ୍ତି ପୂଜିତ,,
ସେଦିନ ଶ୍ରୀକ୍ଷେତ୍ରେ ସୁଦର୍ଶନଙ୍କ ଭ୍ରମଣ,
ପୂର୍ବଦ୍ୱାରେ ଆଗମନ ପଶ୍ଚିମେ ପ୍ରସ୍ଥାନ,,
ଅତିବଡୀ ଜଗନ୍ନାଥଦାସ ଆବିର୍ଭାବ,
ଭାଗବତ ରଚୟିତା ସେ ମହାନୁଭାବ,,
ଦୁର୍ଗା ଶୟନ ଉତ୍ସବ ଭାଦ୍ରବ ମାସରେ,
ଅନୁଷ୍ଠିତ ହୁଏ ଶୁକ୍ଳ ଅଷ୍ଟମୀ ତିଥିରେ,,
ଶ୍ରୀହରିଙ୍କ ପାର୍ଶ୍ଵ ପରିବର୍ତ୍ତନ ଉତ୍ସବ,
ଏକାଦଶୀ ଦିବସରେ ଦିବ୍ୟ ଅନୁଭବ,,
ବାମନାବତାର ଜନ୍ମ ଦ୍ୱାଦଶୀ ତିଥିରେ,
ତୃତୀୟ ପାଦେ ଚାପିଲେ ବଳିକୁ ପାତାଳେ,,
ଅନନ୍ତ ଦେବଙ୍କ ପୂଜା ଚତୁର୍ଦ୍ଦଶୀ ଦିନ,
ଚଉଦ ପ୍ରକାର ପୁଷ୍ପ ଫଳ ସମର୍ପଣ,,
ଇନ୍ଦୁ ପୂର୍ଣ୍ଣିମାରେ ପୁଣି ଭାଗବତ ଜନ୍ମ,
ଭାଦ୍ରବ ମାସର ବ୍ରତ ହୁଅଇ ସମ୍ପୂର୍ଣ୍ଣ,,
ଆଶ୍ଵିନରେ ପିତୃ ପକ୍ଷ ମହାଳୟା ଶ୍ରାଦ୍ଧ,
ତର୍ପଣ କରିଲେ ମନ ପ୍ରାଣ ହୁଏ ଶୁଦ୍ଧ,,
କୃଷ୍ଣ ପକ୍ଷ ଅଷ୍ଟମୀରେ ଦେବୀ ଉତ୍ଥାନପନ,
ସହସ୍ର କୁମ୍ଭାଭିଷେକ ପବିତ୍ର ସେ ଦିନ,,
ମୂଳାଷ୍ଟମୀ ବୋଲି ତାହା ପ୍ରସିଦ୍ଧ ଅଟଇ,
ଜନନୀ ସେ ବ୍ରତ କରେ ନିଜ ପୁତ୍ର ପାଇଁ,,
ଶ୍ରୀମାତୃ ନବମୀ ଆସେ ତହିଁ ପରଦିନ,
ସନ୍ତାନ ମାନେ କରନ୍ତି ମାତାଙ୍କ ପୂଜନ,,
ନବ ରାତ୍ର ପୂଜାରମ୍ଭ ଶୁକ୍ଳ ପ୍ରତିପଦ,
ମାତୃ ଆରାଧନା କଲେ ମିଳେ ମହା ନନ୍ଦ,,
ମହା ସପ୍ତମୀ ଅଷ୍ଟମୀ ନବମୀ ତ୍ରିଦିନ,
ଏହିଭାବେ ଦୁର୍ଗା ପୂଜା ହୁଅଇ ସମ୍ପୂର୍ଣ୍ଣ,,
ପରଦିନ ଦଶହରା ଉତ୍ସବ ପାଳନ,
ଅପରାଜିତାଙ୍କ ପୂଜା ଦେବୀ ବିସର୍ଜନ,,
ଆଶ୍ୱିନ ମାସ ଶେଷରେ କୁମାର ପୂର୍ଣ୍ଣିମା,
କୁମାରୀ ମାନେ ପୂଜନ୍ତି କୁମାର ଚନ୍ଦ୍ରମା,,
ଜହ୍ନି ଓଷା ବୋଲି ତାକୁ କହନ୍ତି ଉତ୍କଳେ,
ଏହି ସବୁ ପୂଜା ବ୍ରତ ଆଶ୍ୱିନ ମାସରେ,,
କାର୍ତ୍ତିକ କୃଷ୍ଣ ପକ୍ଷରେ ତ୍ରୟୋଦଶୀ ତିଥି,
ବିଷ୍ଣୁ ଅବତାର ଧନ୍ଵନ୍ତରିଙ୍କ ଜୟନ୍ତୀ,,
ଦୀପାବଳୀ ମହୋତ୍ସବ ଅମାବାସ୍ୟା ଦିନ,
ଶ୍ୟାମାକାଳୀ ଦେବୀଙ୍କର ପୂଜା ଅନୁଷ୍ଠାନ,,
ସେହି ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ,
ଯମରାଜ ଆରାଧନା ପ୍ରତି ଘରେ ଘରେ,,
ଭଗିନୀ ହସ୍ତରୁ ଭ୍ରାତା ଖାଇ ଥାଏ ଅନ୍ନ,,
ଭଉଣୀ ପାଞ୍ଚଇ ନିଜ ଭାଇର କଲ୍ୟାଣ,,
ଗୋମାତାଙ୍କର ପୂଜନ ଗୋଷ୍ଠାଷ୍ଟମୀ ଦିନ,
ଜଗଦ୍ଧାତ୍ରୀଙ୍କୁ ପୂଜନ୍ତି ତହିଁ ପରଦିନ,,
ରାଧାଙ୍କ ପାଦ ଦର୍ଶନ ନବମୀ ତିଥିରେ,
ଭକ୍ତ ବୃନ୍ଦ ଏକତ୍ରିତ ସାକ୍ଷୀ ଗୋପାଳରେ,,
ଶୁକ୍ଳ ପକ୍ଷ ଏକା ଦଶୀ ହରି ଉତ୍ଥାପନ,
ଦୀର୍ଘ କାଳ ଚାତୁର୍ମାସ୍ୟା ବ୍ରତ ଉଦଯାପନ,,
ଏହି ବ୍ରତ କଲେ ହରି ହୁଅନ୍ତି ପ୍ରସନ୍ନ,
ମାନବ ଜୀବନ ଆମ୍ଭ ହୋଇଥାଏ ଧନ୍ୟ,,
(ଚତୁର୍ମାସ୍ୟା ମହିମା ଚିନ୍ତନ )
ପ୍ରଭାତ ରଞ୍ଜନ ମହାପାତ୍ର, ପୁରୀ ଧାମ,
9437559205,ଓଁ

Leave a Reply

Your email address will not be published. Required fields are marked *