ରଥଯାତ୍ରା ୨୦୨୬ :
ରଥଯାତ୍ରା ୨୦୨୬ : ବର୍ଷାରେ ଶ୍ରଦ୍ଧାଳୁ ଓ ସଫେଇ କର୍ମଚାରୀଙ୍କ ପାଇଁ ପୁରୀ ପୋଲିସର ମାନବିକ ପଦକ୍ଷେପ ଗୁଣ୍ଡିଚା ମନ୍ଦିର ନିକଟରେ ରେନ୍ କୋଟ୍ ବଣ୍ଟନ*ରଥଯାତ୍ରା ୨୦୨୬ ଅବସରରେ ଅବିରତ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ସମାଗମ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁ, ସେବାରେ ନିୟୋଜିତ ସଫେଇ କର୍ମଚାରୀ ଏବଂ ବିଭିନ୍ନ ଫିଲ୍ଡ ଡ୍ୟୁଟିରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏକ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ପୋଲିସ ଫ୍ୟାସିଲିଟେସନ୍ ସେଣ୍ଟର ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟରେ ବର୍ଷାରେ ଭିଜି କର୍ତ୍ତବ୍ୟ ପାଳନ କରୁଥିବା ସଫେଇ କର୍ମଚାରୀ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ରେନ୍ କୋଟ୍ ବଣ୍ଟନ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ବର୍ଷାଜନିତ ଅସୁବିଧାରୁ ସେମାନଙ୍କୁ କିଛିଟା ସୁରକ୍ଷା ଓ ସ୍ୱସ୍ତି ଯୋଗାଇବା ସହିତ ନିରବଚ୍ଛିନ୍ନ ସେବା ପ୍ରଦାନରେ ସହଯୋଗ କରାଯାଇଛି। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟି ଡିଏସ୍ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ପୁରୀ ପୋଲିସର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ରେନ୍ କୋଟ୍ ବଣ୍ଟନ କରିଥିଲେ।

ସେମାନେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ସହ କଥାବାର୍ତ୍ତା ହୋଇ ବର୍ଷା ସମୟରେ ସାବଧାନତା ଅବଲମ୍ବନ କରିବା ସହ ପୋଲିସର ସହଯୋଗ ନେବାକୁ ଅନୁରୋଧ କରିଥିଲେ। ରଥଯାତ୍ରା ସମୟରେ ସହରର ପରିମଳ ବ୍ୟବସ୍ଥାକୁ ସୁଚାରୁ ରଖିବାରେ ସଫେଇ କର୍ମଚାରୀମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ପ୍ରବଳ ବର୍ଷା ମଧ୍ୟରେ ସେମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ପୁରୀ ପୋଲିସ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଏହି ଛୋଟ ପ୍ରୟାସ ମାଧ୍ୟମରେ ସେମାନଙ୍କ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛି। ସେହିପରି, ଦୂରଦୂରାନ୍ତରୁ ଆସିଥିବା ଅନେକ ଶ୍ରଦ୍ଧାଳୁ ବର୍ଷାରେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରେନ୍ କୋଟ୍ ପାଇ ସେମାନେ ପୁରୀ ପୋଲିସର ଏହି ମାନବିକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଅନେକ ଶ୍ରଦ୍ଧାଳୁ କହିଥିଲେ ଯେ, ଏଭଳି ସହଯୋଗ ଯୋଗୁଁ ସେମାନଙ୍କ ଦର୍ଶନ ଯାତ୍ରା ଅଧିକ ସୁବିଧାଜନକ ହୋଇପାରିଛି। ପୁରୀ ପୋଲିସ କେବଳ ଆଇନଶୃଙ୍ଖଳା ବଜାୟ ରଖିବାରେ ସୀମିତ ନ ରହି, ରଥଯାତ୍ରା ସମୟରେ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ସହାୟତାପୂର୍ଣ୍ଣ ପରିବେଶ ପ୍ରଦାନ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଫ୍ୟାସିଲିଟେସନ୍ ସେଣ୍ଟର ମାଧ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ମିଳନ, ହଜିଯାଇଥିବା ସାମଗ୍ରୀ ଉଦ୍ଧାର, ପର୍ଯ୍ୟଟକ ସହାୟତା, ଜରୁରୀ ସେବା ଓ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ଅବ୍ୟାହତ ରହିଛି। ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛି ଯେ, ବର୍ଷା ସମୟରେ ସାବଧାନତାର ସହ ଯାତାୟାତ କରନ୍ତୁ, ପୋଲିସ ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ ଏବଂ କୌଣସି ପ୍ରକାର ସହାୟତା ଆବଶ୍ୟକ ହେଲେ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ପୁରୀ ପୋଲିସ ଫ୍ୟାସିଲିଟେସନ୍ ସେଣ୍ଟର ସହ ଯୋଗାଯୋଗ କରନ୍ତୁ।
