ରାମଚନ୍ଦ୍ର ବହ୍ମଶର ମାରି ରାବଣକୁ ବଧ

ଆଜି ରାମଚନ୍ଦ୍ର ବହ୍ମଶର ମାରି ରାବଣକୁ ବଧ କରିବେଗଣିଆ -ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ଚାଲିଥିବା ଲଙ୍କା ପୋଡ଼ି ଯାତ୍ରାର ମଙ୍ଗଳବାର ହେଉଛି ମୁଖ୍ୟ ଉତ୍ସବ । ଏହି ଯାତ୍ରା ଦେଖିବାକୁ ଓଡ଼ିଶାର କୋଣ ଅନୁକୋଣରୁ ଜନ ସମାଗମ ହେବାରେ ଲାଗିଛି । ଚଳିତବର୍ଷ ପବିତ୍ର ରାମ ନବମୀ ଠାରୁ ରାମ ନାଟକ ପ୍ରାୟ ୧୦୦ରୁ ଅଧିକ କଳାକାର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଲୋକ ନାଟକ ଶୈଳୀରେ ବିକ୍ରମ ନରେନ୍ଦ୍ର ପୋଥିରେ ଏହି ନାଟକ ଦୀର୍ଘ ୫୪ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଅଛି । ଯାତ୍ରାର ମୁଖ୍ୟ ଆକର୍ଷଣ କାଷ୍ଠ୍ୟ ନିର୍ମିତ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ । ରାବଣକୁ ଏକ ସୁସଜ୍ଜିତ ରଥରେ ନୂତନ ବସ୍ତ୍ର ପରିଧାନ କରାଯାଇ ବିଭିନ୍ନ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସୁସଜ୍ଜିତ କରାଯାଇଛି । ଅନ୍ତିମ ଦିବସରେ ମର୍ଯ୍ୟଦାପୁରୁଷ ରାମଚନ୍ଦ୍ର ତାଙ୍କ ସେନା ସହିତ ରଥରେ ଆରୋହଣ କରି ବୀର ବାଦ୍ୟ ବଜାଇ ରୋଷଣୀରେ ଆସି ରାକ୍ଷସ ମାନଙ୍କୁ ନିଧନ କରିବା ସହିତ ସିଧାସଳଖ ରାମ ରାବଣ ଯୁଦ୍ଧ ହୋଇଥାଏ । ରାମସେନା ଏବଂ ରାବଣ ସେନା ମଧ୍ୟରେ ଯୁଦ୍ଧ ପ୍ରାୟ ୧ କିଲୋମିଟର ପରିସର ମଧ୍ୟରେ ଚାଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ । ଶେଷରେ ରାମଚନ୍ଦ୍ର ବ୍ରହ୍ମଶର ମାରି ରାବଣକୁ ବଧ କରିଥାନ୍ତି । ରାମଚନ୍ଦ୍ରଙ୍କ ବ୍ରହ୍ମଶରଟି ଏକ ସ୍ବତନ୍ତ୍ର ଶୈଳୀରେ ନିର୍ମାଣ କରାଯାଇଥାଏ । ଯେଉଁ ବ୍ରହ୍ମାସ୍ତ୍ରଟି ପ୍ରଭୁଙ୍କ ଧନୁରୁ ଯାଇଥାଏ ତାହା ରାବଣକୁ ନିଧନ କରି ପୁଣିଥରେ ଫେରି ଆସିଥାଏ । ଏହି ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ । ଏହାପରେ ସୀତାଙ୍କ ଅଗ୍ନି ପରୀକ୍ଷା ପରେ ରାମଚନ୍ଦ୍ର ସତୀ ସୀତାଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଯାତ୍ରାରେ ମୀନା ବଜାର, ରାମଦୋଳୀ, ପଲ୍ଲିଶ୍ରୀ ମେଳା, ମେଲୋଡି ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ହୃଦୟକୁ ଜିଣିଥାଏ । ଜନସାଧାରଣଙ୍କ ପାଇଁ ସ୍ବଛ ପାନୀୟ ଜଳ ଠାରୁ ଆରମ୍ଭ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଛି । ରଘୁନାଥ ମନ୍ଦିର ଠାରୁ ଯାତ୍ରା ପଡିଆ ପର୍ଯ୍ୟନ୍ତ ବଡ ବଡ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସୁଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ଜଣାପଡିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *