ପଶ୍ଚିମବଙ୍ଗ ନିର୍ବାଚନ ର ଫଳାଫଳ ର ପ୍ରତିକ୍ରିୟା ରଖିଲେ..ମହାପ୍ରଭୁ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି ।୨୦୦ ରୁ ଅଧିକ ବିଧାନସଭା ଆସନରେ ଜିତି ବିଜେପି ବହୁମତ ହାସଲ କରିଛି । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ହାରିବା ପଛରେ ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ରହିଥିବା ଚର୍ଚ୍ଚା ଜୋର ଧରିଛି । ଯେଭଳି ଦୀଘାରେ ଜଗନ୍ନାଥ୍ ମନ୍ଦିର ନିର୍ମାଣ କରି ମମତା ବାନାର୍ଜୀ ପରମ୍ପରା ବିରୁଦ୍ଧରେ ଯାଇ ମନ୍ଦିରରେ ପଥରର ଜଗନ୍ନାଥ ମୂର୍ତ୍ତି ନିର୍ମାଣ ସହିତ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କଲେ, ଏହା ମହାପ୍ରଭୁଙ୍କ ପ୍ରତି ଅପମାନ । ଏଥି ଯୋଗୁଁ ମହାପ୍ରଭୁ ହିଁ ମମତାଙ୍କୁ ନିର୍ବାଚନରେ ହରାଇଲେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି ।ତେବେ ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପଥର ମୂର୍ତ୍ତି ନିର୍ମାଣ ହେଲେ ମମତାଙ୍କୁ ପାଇଁ ଆଗାମୀ ଦିନରେ ଅଘଟଣ ଘଟିବ ବୋଲି ସେ ଚେତାବନୀ ଦେଇଥିଲେ । ତେବେ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ଶୋଚନୀୟ ପରାଜୟ ବରଣ କରିଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ମହାପ୍ରଭୁଙ୍କ ପ୍ରତି ଅପମାନ ଓ ଅହଙ୍କାର ଯୋଗୁଁ ମମତା ନିର୍ବାଚନରେ ହାରିଥିବା ସବୁଆଡ଼େ ଚର୍ଚ୍ଚା ହେଉଛି । ତେବେ ଏନେଇ ଆମେ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ସହ କଥା ହୋଇଥିଲୁ । ସେ ଆମ ପ୍ରଶ୍ନର କିଛି ଉତ୍ତର ରଖିଛନ୍ତି ।ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଯେଉଁ ପରିବର୍ତ୍ତନ ହେଲା ତାହା ମହାପ୍ରଭୁଙ୍କ ପାଇଁ ହେଲା । ଦୀଘାରେ ଯେଉଁ ଜଗନ୍ନାଥ୍ ମନ୍ଦିର ହେଲା ଏହା ତାହାର ପ୍ରଭାବ । ଦିଘାରେ ଯେତେବେଳେ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର କରିଥିଲେ ସେତେବେଳେ ତାଙ୍କୁ ମୁଁ କହିଥିଲି ମନ୍ଦିରରେ ପଥର ମୂର୍ତ୍ତି କରନ୍ତୁନି । ସେ କିନ୍ତୁ ମୋ କଥାକୁ ଗୁରୁତ୍ଵ ଦେଲେନାହିଁ । ପଥର ମୂର୍ତ୍ତି ହେଲେ ଅଘଟଣ ଘଟିପାରେ ବୋଲି ମୁଁ ମମତାଙ୍କୁ କହିଥିଲି । ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ୍ ଭଲ । ଚତୁର୍ଦ୍ଧାମୂର୍ତ୍ତି ପଥରରେ ନିର୍ମାଣ ହେଲେ ଜଦି କିଛି ବିଘ୍ନ ହୁଏ ଅବା ଭାଙ୍ଗିଯାଏ ତାହା ଅଶୁଭ ହେବାର ଆଶଙ୍କା ରହିଛି । ହେଲେ ମୋ କଥାକୁ ମମତା ଗୁରୁତ୍ଵ ନଦେଇ ପଥରରେ ମୂର୍ତ୍ତି ନିର୍ମାଣ କରିଥିଲେ।ସେ ପୁଣି କହିଛନ୍ତି, ମମତା ଜଣେ ବହୁତ୍ ଭଲ ଲୋକ । ହେଲେ ତାଙ୍କ ଚାରିପାଖରେ କିଛି କୁଚକ୍ରୀ ଲୋକ ଥିଲେ । ଯେଉଁମାନେ କି ତାଙ୍କୁ ଭୁଲ ମାର୍ଗରେ ନେଉଥିଲେ। ଅହଙ୍କାର ମଣିଷକୁ ପତନ କରାଏ । ମୋ କଥାକୁ ସେ ଗୁରୁତ୍ଵ ନଦେଇ ସେ ଦୀଘା ଜଗନ୍ନାଥ ମନ୍ଦିରରେ ପଥରରେ ମୂର୍ତ୍ତି ନିର୍ମାଣ କଲେ । ଯାହା ଫଳରେ ତାଙ୍କ ସହ ଆଜି ନିର୍ବାଚନରେ ଏହି ଦଶା ହୋଇଛି । ରଥ ଯାତ୍ରାରେ ବଙ୍ଗାଳୀ ଲୋକ ମାନେ ପୁରୀ ନଯିବାକୁ ସେ ଲୋକଙ୍କୁ କହିଲେ । ଯାହାକି ଏହାକୁ ଲୋକ ମାନେ ଗ୍ରହଣ କଲେ ନାହିଁ । ପ୍ରଭୁ ଜଗନ୍ନାଥ କାହାର ଅହଙ୍କାର ସହ୍ୟ କରନ୍ତି ନାହିଁ । ଯାହା ଫଳରେ ଆଜି ତାଙ୍କର ପତନ ହୋଇଛି । ମୁଁ ପୂର୍ବରୁ ଏନେଇ ଯାହା କହିଥିଲି ସେୟା ହେଲା । ମମତା ହାରିଥିବା ବେଳେ ବିଜେପି ବିପୁଳ ବିଜୟ ହାସଲ କରିଛି ।”ସେ ପୁଣି କହିଛନ୍ତି, ଶୁଭେନ୍ଦୁ ଅଧିକାରୀ ଜଣେ ସଚ୍ଚୋଟ ନେତା ଥିଲେ । ହେଲେ ତାଙ୍କୁ ଟିଏମସିରେ ଉପଯୁକ୍ତ ସମ୍ମାନ ମିଳିଲା ନାହିଁ । କିଛି କୁଚକ୍ରୀଙ୍କ ଯୋଗୁ ସେ ଟିଏମସି ପରିତ୍ୟାଗ କରି ବିଜେପି ରେ ଯୋଗ ଦେଲେ । ଆଉ ବିଜେପି ଏହାର ବହୁତ୍ ଫାଇଦା ଉଠାଇ ପାରିଲା । ଶୁଭେନ୍ଦୁ ଜଣେ ସଚ୍ଚୋଟ, ପରିଶ୍ରମି ନେତା। ତାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆଜି ବିଜେପି ବଙ୍ଗଳା ଦଖଲ କରିବାରେ ସକ୍ଷମ ହେଲା । ଶୁଭେନ୍ଦୁଙ୍କ ଭଳି ଅନେକ ଭଲ ସଚ୍ଚୋଟ ନେତା ଟିଏମସିରୁ ବାହାରି ଯିବାରୁ ଆଜି ଟିଏମସି ର ପତନ ହୋଇଛି । ମୁଁ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆଜି ବିଜେପି ବିପୁଳ ବିଜୟ ହାସଲ କରିଛି। ମୁଁ ଚାହୁଁଛି ବଙ୍ଗଳାର ଉନ୍ନତି ହେଉ । ଓଡ଼ିଶା ସହ ଭଲ ସମ୍ପର୍କ ରହୁ । ମହାପ୍ରଭୂ ହେଉଛନ୍ତି ଜାଗ୍ରତ ଠାକୁର । ତାଙ୍କୁ ଆମେ କାଠ ମୂର୍ତ୍ତୀ ବୋଲି ଭାବିବାନି । ମହାପ୍ରଭୁଙ୍କ ବିଧି ପରମ୍ପରାକୁ ଯିଏ ଅପମାନ କରିଛି ତାହାର ନିଶ୍ଚିତ ପତନ ହୋଇଛି ।
