ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ କାର୍ଯ୍ୟକାରୀ ହେବାସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର ତା-୧୭.୦୪.୨୦୨୬ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଗତକାଲି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ , ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଟିପିସିଓଡିଏଲ, ଅତିରିକ୍ତ ରେଲଓ୍ୱେ ମଣ୍ଡଳ ପ୍ରବନ୍ଧକ (ଏଡିଆରଏମ୍), ଖୋର୍ଦ୍ଧା, ପୂର୍ବତଟ ରେଳପଥ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ବୈଠକରେ ଟିଏଫଏଲ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟା ଓ ସେସବୁର ତ୍ୱରିତ ସମାଧାନ ନେଇ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପ ଡିସେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କରାଯାଉଥିବା “ପ୍ରଗତି” ପ୍ଲାଟଫର୍ମରେ ସ୍ଥାନ ପାଇ ଅଛି । ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ଆବଶ୍ୟକ ହେଉଥିବା ୨୨୦ କେଭି ଲାଇନ୍ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଆଗାମୀ ୨୦୨୬ ଡିସେମ୍ବର ସୁଦ୍ଧା ଯୋଗାଇଦେବା ପାଇଁ ଓପିଟିସିଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ସେହିଭଳି ୩୩ କେଭି ଲାଇନ୍ ଯିବା ପାଇଁ ରେଲଓ୍ୱେ ସାଇଡିଂ କାର୍ଯ୍ୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି ।

ରହୁଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ, ଧାର୍ଯ୍ୟ ଅନୁସାରେ ବିସ୍ଥାପନ କ୍ଷତିପୂରଣ ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା । ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ହେଉଛି ଏକ ସଂଯୁକ୍ତ ଉଦ୍ୟମ କମ୍ପାନୀ, ଯାହା ପ୍ରମୁଖ ସରକାରୀ ଉଦ୍ୟୋଗ ସମୂହ, କୋଲ୍ ଇଣ୍ଡିଆ ଲିମିଟେଡ୍ , ଗେଲ୍ (ଇଣ୍ଡିଆ) ଲିମିଟେଡ୍, ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଏବଂ ଫର୍ଟିଲାଇଜର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଗଠିତ ହୋଇଛି । ଓଡ଼ିଶାର ତାଳଚେରରେ ଅବସ୍ଥିତ ଏହି ଟିଏଫଏଲ ର ମୂଳ ଧାରଣା ହେଉଛି ଦେଶୀୟ କୋଇଲା ସମ୍ପଦକୁ ବ୍ୟବହାର କରି କୋଲ୍ ଗ୍ୟାସିଫିକେସନ୍ ପ୍ରକ୍ରିୟା ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା । ଏହି ପ୍ଲାଣ୍ଟର ବିଶେଷତା ହେଉଛି, ଏହା ଆମଦାନୀକୃତ ଗ୍ୟାସ ଉପରେ ନିର୍ଭର ନକରି ସ୍ଥାନୀୟ କୋଇଲାକୁ ବ୍ୟବହାର କରିବାକୁ ଲକ୍ଷ୍ୟ କରିଛି । ଏହା ଭାରତର ସ୍ୱୟଂନିର୍ଭରତା ନୀତି ସହ ସମନ୍ୱୟ ରଖି, ଫର୍ଟିଲାଇଜର୍ ଆମଦାନି ଉପରେ ନିର୍ଭରତା କମେଇବା ସହିତ ଦେଶୀୟ କୋଇଲା ସମ୍ପଦର ସଦ୍ ବ୍ୟବହାରକୁ ଉତ୍ସାହିତ କରେ ।

Leave a Reply

Your email address will not be published. Required fields are marked *