ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର, ୧୮ ଜୁଲାଇ ୨୦୨୬:ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସ୍କମ୍) ଯଥା ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଏସ୍ଓଡିଏଲ୍ ଏବଂ ଟିପିଡବ୍ଲ୍ୟୁଓଡିଏଲ୍ ର ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ଡିସ୍କମ୍ ମାନଙ୍କର କାର୍ଯ୍ୟଦକ୍ଷତାର ସମୀକ୍ଷା କରିଥିଲେ । ଏହି ବୈଠକରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ପଦକ୍ଷେପ, ବିଦ୍ୟୁତ ବିତରଣ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ସ୍ମାର୍ଟ ମିଟରିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ତଥା ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ, ସମସ୍ତ ଡିସ୍କମ୍ର ବୋର୍ଡ ସଦସ୍ୟ, ସଦସ୍ୟା ଏବଂ ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମୁଖ୍ୟ ବିତ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପିଏମ୍ ସୂର୍ଯ୍ୟ ଘର-ମୁଫ୍ତ ବିଜଲି ଯୋଜନା (ପିଏମଏସଜି-ଏମ୍ବିଓ୍ୱାଇ) ଏବଂ ପିଏମ୍ କୁସୁମ ଯୋଜନାର ଉଲ୍କେଖନୀୟ କାର୍ଯ୍ୟକାରିତା ପାଇଁ ବୋର୍ଡ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସା କରିଥିଲେ । ଏ ପର୍ଯ୍ୟନ୍ତ ସମସ୍ତ ଡିକ୍ସମମାନଙ୍କ ଦ୍ୱାରା ପିଏମ୍ଏସଜି-ଏମ୍ବିଓ୍ୱାଇ ଯୋଜନାରେ ୧ ଲକ୍ଷ ୫୬ ହଜାର ୬୦୬ ଟି ପିଏମ୍ ସୂର୍ଯ୍ୟ ଘର ସଂଯୋଗ ସ୍ଥାପନ ସାଧନ ହୋଇଛି ଏବଂ ଭାରତର ଶୀର୍ଷ ୧୦ ଟି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଡିସ୍କମ ସ୍ଥାନ ନିଶ୍ଚିତ କରିଛନ୍ତି । ତନ୍ମଧ୍ୟରେ ପିଏମଏସଜି-ଏମ୍ବିଓ୍ୱାଇରେ ୯୨ ହଜାର ୨୮୦, ୟୁଏଲଏ( ୟୁଟିଲିଟି ଲେଡ୍ –ଏଗ୍ରିଗେସନ ) ରେ ୬୪,୩୨୬ ସଂସ୍ଥାପନ ହୋଇଛି । ପି.ଏମ୍-କୁସୁମ ୨.୦ ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନିତ କରିବା ପାଇଁ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ବୋର୍ଡ ତରଫରୁ ଗୁରୁତ୍ୱ ଦିଆଯାଇଥିଲା । ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜଲି ଯୋଜନାରେ “ସୂର୍ଯ୍ୟ ଅଭିଯାନ ମାସ” ପାଇଁ ସର୍ବାଧିକ ସୌରଶକ୍ତି ଦରଖାସ୍ତ ଗ୍ରହଣ, ସଂସ୍ଥାପନ ଓ ପରୀକ୍ଷଣ ପାଇଁ ଡିସ୍କମଗୁଡିକୁ ଭାରତ ସରକାରଙ୍କ “ନୂତନ ଓ ଅକ୍ଷୟ ଶକ୍ତି” ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି । ସମସ୍ତ ଡିସକମ୍ ଦାୟିତ୍ୱ ନେବା ପରଠାରୁ ସାମଗ୍ରିକ ଭାବେ ବୈଷୟିକ ଓ ବାଣିଜ୍ୟିକ କ୍ଷତିରେ ନିରନ୍ତର ସୁଧାର ପରିଲ୍ଲଖିତ ହେଉଥିବାରୁ ବୋର୍ଡ ପ୍ରଶଂସା କରିଥିଲେ । ସର୍ବାଧିକ ବିଦ୍ୟୁତ୍ ଚାହିଦା (ପିକ୍ ଡିମାଣ୍ଡ) ସମୟରେ ପରିଚାଳନାରେ ଉଲ୍ଲେଖନୀୟ ଉନ୍ନତି ପରିଲଖିତ ଏବଂ ପ୍ରତିବର୍ଷ ଭରସାଯୋଗ୍ୟ ସୂଚକାଙ୍କରେ ଉଲ୍ଲେଖନୀୟ ସୁଧାର ଅଗ୍ରଗତି ପରିଲକ୍ଷିତ ହେଉଥିବାରୁ ଡିସ୍କମମାନଙ୍କୁ ପ୍ରଶଂସା କରାଯାଇଥିଲା । ଉର୍ଜା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି, ବିଦ୍ୟୁତ୍ ଲାଇନ, ସବ୍ଷ୍ଟେସନ୍, ଟ୍ରାନ୍ସଫର୍ମର୍, ବଣ୍ଟନ ନେଟୱର୍କ ଆଦି ସମ୍ପତ୍ତି (ଆସେଟ୍) ଓ ପରିଚାଳନାଗତ ଉତ୍କର୍ଷତା ଯୋଗୁ ଡିସ୍କମ ମାନଙ୍କର ସାମଗ୍ରିକ ଭାବେ ଶୂନ୍ୟ ପାଓ୍ୱାର ଟ୍ରାନଫର୍ମର ବିଫଳତା ଲକ୍ଷ୍ୟ ସଫଳତା ହାସଲ ହୋଇଛି । ପୁଞ୍ଜି ନିବେଶ ଦ୍ୱାରା ଭିତ୍ତିଭୂମି ନେଟଓ୍ୱର୍କରେ ମଧ୍ୟ ଉନ୍ନତି ଘଟୁଛି । ବୋର୍ଡ ଗତ ୫ ବର୍ଷରେ ଡିସ୍କମ ଦ୍ୱାରା ବିଦ୍ୟୁତ୍ କ୍ଷେତ୍ରରେ କରାଯାଇଥିବା ଖର୍ଚ୍ଚ ଯଥା ସୁରକ୍ଷା, ଲୋଡ୍ ବୃଦ୍ଧି, ବିଶ୍ୱସନୀୟତା ବଜାୟ ରଖିବା, ଭିତ୍ତିଭୂମି ବିକାଶ ଆଦିରେ ଉତ୍ସାହ ଜନକ ପ୍ରଦର୍ଶନ କରିଥିବା ସମୀକ୍ଷାରୁ ଜଣାଯାଇଛି । ୨୦୨୬ ରଥଯାତ୍ରା ସମୟରେ ରେ ରାଜ୍ୟରେ ନିରବଚ୍ଛିନ୍ନ, ସୁରକ୍ଷିତ ଓ ବିଶ୍ୱସ୍ତରୀୟ ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ବୋର୍ଡ, ଡିସ୍କମମାନଙ୍କୁ ପ୍ରଶଂସା କରିଥିଲେ । ସରକାରୀ ବିଦ୍ୟୁତ୍ ସଂଯୋଗଗୁଡିକୁ ପୋଷ୍ଟ ପେଡ୍ ରୁ ପ୍ରି-ପେଡ୍ ସ୍ମାର୍ଟ ମିଟରକୁ ପରିବର୍ତ୍ତନ କରାଯିବା ପାଇଁ ପଦକ୍ଷେପ ନିଆଯିବ । ସ୍ମାର୍ଟ ମିଟର ସୁବିଧାଗୁଡିକର ଲାଭ ଉଠାଇବା ପାଇଁ ସମସ୍ତ ସରକାରୀ ବିଦ୍ୟୁତ୍ ସଂଯୋଗଗୁଡିକୁ ଅଗଷ୍ଟ ୨୦୨୬ ସୁଦ୍ଧା ପୋଷ୍ଟ ପେଡ୍ ରୁ ପ୍ରି-ପେଡ୍ ସ୍ମାର୍ଟ ମିଟରକୁ ପରିବର୍ତ୍ତନ କରାଯିବ, ଯଦ୍ୱାରା ମାସିକ ବିଦ୍ୟୁତ୍ ବିଲ୍ ରେ ୪% ଛାଡ ମିଳିବ ।
