ସରକାରୀ ଅବହେଳାରୁ ଅଧାରେ ଅଟକିଛି ରାସ୍ତା କାମ।
ଅସ୍ତରଙ୍ଗ, ୧୩.୦୫ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଦେବୀ ନଦୀ ଦ୍ଵୀପାଞ୍ଚଳରେ ଅବସ୍ଥିତ ତାଳଦା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ପ୍ରତି ପଞ୍ଚାୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦାର୍ଘ ୫୦ କି.ମି ପଞ୍ଚାୟତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ଉନ୍ନୟନ କାର୍ଯ୍ୟ କରିବା ପାଇଁ ଅସ୍ତରଙ୍ଗ ତହସିଳଦାର ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ମଣ୍ତଳ ଉନ୍ନୟନ ଅଧିକାରୀଙ୍କୁ ଓ ଅସ୍ତରଙ୍ଗ ତହସିଲଦାରଙ୍କ ମିଳିତ ସହଯୋଗରେ ଡିଅକରଡା ଠାରୁ ଡିଆଁ ଦେଇ ତରାସାହି ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ଚିହ୍ନଟ କରିବା ପାଇଁ ଉଲ୍ଲେଖ କରିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ କିଛି ଖଳପ୍ରକୃତିର ଲୋକ ଡିଅକରଡା ଠାରୁ ଡିଆଁ ଦେଇ ତରାସାହି ପର୍ଯ୍ୟନ୍ତ ରାସ୍ତା ଉନ୍ନୟନରେ ବିଭିନ୍ନ ଆଳରେ ବାଧା ସୃଷ୍ଟି କରି ଅଧାରୁ ବନ୍ଦ କରିଥିବା ଅଭିଯୋଗ ହୋଇଛି। ଏନେଇ ଶତାଧିକ ଗ୍ରାମବାସୀ ମାନେ ଅସ୍ତରଙ୍ଗ ତହସିଲଦାର ଓ କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ମାନଙ୍କୁ ଭେଟି ତୁରନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି। ନଚେତ୍ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏନେଇ ଅସ୍ତରଙ୍ଗ ତହସିଲଦାର ଓ କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳକୁ ଯାଇ ପ୍ରକୃତ ସମସ୍ୟା ଉପରେ ଆଲୋଚନା କରି ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛନ୍ତି।
