ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

* କୋଣାର୍କ,୨୯.୪ – ସମୁଦ୍ରର ନୀଳ ଢେ଼ଉରେ ଦୁଃସାହସିକ ଜଳକ୍ରୀଡା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ ରେଞ୍ଜର୍ସ ଆଡ଼ଭେଞ୍ଚରସ୍ ଫାଉଣ୍ଡେସନ ପକ୍ଷରୁ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି, କୁଶଭଦ୍ରା ନଦୀ, ଚନ୍ଦ୍ରଭାଗା ଓ ତାଣ୍ଡାଘର କେଲୁଣି ମୁହାଣ ନିକଟରେ ନିଆରା ଜଳକ୍ରୀଡା ସର୍ଫିଙ୍ଗ ପ୍ରଶିକ୍ଷଣ ଦିଆଯାଇଛି।

ଦେଶ ବିଦେଶରୁ ଏଠାରେ ପ୍ରାୟ ୩ଶହ ପ୍ରଶିକ୍ଷାର୍ଥୀ ତାଲିମ ନେଇ ସାରିଲେଣି। ଭାରତର ବିଭିନ୍ନ ରାଜ୍ୟ ସହିତ ଜାପାନ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍କଟଲାଣ୍ଡ, ଇଂଲଣ୍ଡ ଓ ଚେକ୍ ରିପବ୍ଲିକ ଆଦି ଦେଶରୁ ୮୦ ଜଣ ପ୍ରଶିକ୍ଷଣ ନେଇ ଫେରିଛନ୍ତି। ପ୍ରଥମେ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଓ ପରେ ସମୁଦ୍ର ଢେଉ ମଧ୍ୟରେ ପ୍ରଶିକ୍ଷଣ ଦିଆଯାଉଛି। ସର୍ଫିଙ୍ଗ ପାଇଁ ଉତ୍କୃଷ୍ଟ ସମୟ ହେଉଛି ସକାଳ ୬ରୁ୭ଟା। ପବନ କମ ରହିବା ଦରକାର। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସର୍ଫିଙ୍ଗ ସହିତ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା, ସାଇକେଲ ଚାଳନା, ଯୋଗ ଓ ରହିବା ଖାଇବା ବ୍ୟବସ୍ଥା ରହିଛି। ଏଠାରେ ଦେଶ ବିଦେଶର ଶତାଧିକ ତାଲିମ ନେଇ ସାରିଲେଣି। ଓଡିଶା ପର୍ଯ୍ୟଟନକୁ ଆଗକୁ ନେବାକୁ ସର୍ଫିଙ୍ଗ ଏକ ଭଲ ମାଧ୍ୟମ। ଏଠାକାର ସୁନ୍ଦର ଓ ସ୍ୱଚ୍ଛ ବେଳାଭୁମି ସହ ସମୁଦ୍ର କୂଳ ଓ ପରିଷ୍କାର ଜଳ ରାଶି ସର୍ଫିଙ୍ଗ ପାଇଁ ବେଶ ଉପଯୋଗୀ। ଏହା ସାରା ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ପାଇବ ବୋଲି ଆମେ ପ୍ରୟାସ କରୁଛୁ, ଏବେ ଭାରତୀୟ ଯୁବବର୍ଗଙ୍କ ଆଗ୍ରହ ବଢୁଥିବା ସହ ଏହା ଆଗାମୀ ଦିନରେ ସର୍ଫିଙ୍ଗ୍ ହବ୍ ପଲଟିବ ବୋଲି କୁହନ୍ତି ରେଞ୍ଜର୍ସର ପ୍ରତିଷ୍ଠାତା ସଞ୍ଜୟ କୁମାର ସାମନ୍ତରାୟ। ରେଞ୍ଜର୍ସ ଆଡ଼ଭେଞ୍ଚରସ୍ ଫାଉଣ୍ଡେସନ ପକ୍ଷରୁ ବିଗତ ବର୍ଷ ମାନଙ୍କରେ ରାମଚଣ୍ଡୀ ନଦୀ ମୁହାଣରେ ଅନ୍ତର୍ଜାତୀୟ ସର୍ଫିଙ୍ଗ ଫେଷ୍ଟିଭାଲ ଆୟୋଜିତ ହେଉଥିଲା। କେତେକ ସମସ୍ୟା ଯୋଗୁଁ ଏହା ବନ୍ଦ ଅଛି। ୨୦୨୫ ମସିହାରୁ ପୁଣି ଏହି ଉତ୍ସବ ଆୟୋଜନ କରାଯିବ। ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଦେଶର ଅନ୍ତର୍ଜାତୀୟ ସର୍ଫର୍ ମାନଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେବେ। ଏହା ଦ୍ବାରା ସର୍ଫ ପର୍ଯ୍ୟଟନ ବୃଦ୍ଧି ପାଇବ, ସ୍ଥାନୀୟ ଲୋକଙ୍କ ବ୍ୟବସାୟ ସହ କୋଣାର୍କ ଓ ପୁରୀର ପର୍ଯ୍ୟଟନ ମଧ୍ଯ ଗୁରୁତ୍ଵ ରହିବ ବୋଲି ଶ୍ରୀଯୁକ୍ତ ସାମନ୍ତରାୟ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *