ଫିଟନେସ ବିନା ଚାଲୁଛି ସ୍କୁଲ ବସ୍‌,,

ଫିଟନେସ ବିନା ଚାଲୁଛି ସ୍କୁଲ ବସ୍‌, ବିପଦରେ କୋମଳମତି ଶିଶୁଙ୍କ ଜୀବନ, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ।ଚିକିଟି,(): ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି ଚିକିଟି ଅଞ୍ଚଳର ଏକ ଘଟଣା। ଚିକିଟି ସରସ୍ୱତୀ ଶିଶୁ ମନ୍ଦିରର ଏକ ସ୍କୁଲ ବସ୍‌ ଯାହାର ରେଜିଷ୍ଟ୍ରେସନ ନମ୍ବର ଓଡି ୦୭ଏଫ ୨୮୨୮ ଓ ଓ ଡି ୦୭ଏଫ ୨୬୦୩ ଗାଡି ଦୁଇଟିର ବୈଧ ଫିଟନେସ ସାର୍ଟିଫିକେଟ୍‌ ବିନା ଦୀର୍ଘଦିନ ଧରି ରାସ୍ତାରେ ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଲା, ଏହି ବସ୍‌ରେ ପ୍ରତିଦିନ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆଣିବା ଓ ନେବା କାମ ଜାରି ରହିଛି।ସୂଚନା ଅନୁଯାୟୀ, ସମ୍ପୃକ୍ତ ବସ୍‌ର ଫିଟନେସ ସାର୍ଟିଫିକେଟ୍‌ର ଅବଧି ସରିଯାଇଥିଲେ ମଧ୍ୟ ଏହାର ନବୀକରଣ କରାଯାଇନାହିଁ। ଏହି ବିଷୟରେ ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପତ୍ର ପ୍ରେରଣ କରାଯାଇଥିବା କୁହାଯାଉଛି। ବସ୍‌ ଏବଂ ଭେନ ଦୁଇଟି ଗାଡି ପ୍ରତ୍ୟେକ ଦିନ ପିଲା ମାନଙ୍କୁ ଧରି ରାସ୍ତାରେ ଯାଉଛି କିନ୍ତୁ ଏପର୍ଯ୍ୟନ୍ତ ବସ୍‌ର ଚଳାଚଳ ବନ୍ଦ କରିବା କିମ୍ବା ଆଇନ ଅନୁଯାଇ ପଦକ୍ଷେପ ନେବା ଭଳି କୌଣସି ଦୃଶ୍ୟମାନ କାର୍ଯ୍ୟ ହୋଇନଥିବା ଅଭିଯୋଗ ହେଉଛି।ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିଲାମାନଙ୍କ ସୁରକ୍ଷାକୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେମାନେ ପ୍ରଶ୍ନ ଉଠାଇଛନ୍ତି, “ଯଦି କୌଣସି ଦୁର୍ଘଟଣା କିମ୍ବା ଅଘଟଣ ଘଟେ, ତାହାର ଦାୟିତ୍ୱ କିଏ ନେବ?”ସାଧାରଣ ଲୋକମାନେ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ ସ୍କୁଲ ବସ୍‌ର ସମସ୍ତ ବୈଧ କାଗଜପତ୍ର ଯାଞ୍ଚ କରିବାକୁ ଦାବି କରିଛନ୍ତି। ନିୟମ ଉଲ୍ଲଂଘନ ହୋଇଥିଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି।ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *