ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ
ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ l ଅନୁଷ୍ଠିତରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନାଆନ୍ତଃ ବିଭାଗୀୟ ସମନ୍ୱୟ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପୁର୍ବକ ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟାନ୍ୱୟନକୁ ଗୁରୁତ୍ୱ ‘ସୁଭଦ୍ରା-ଲକ୍ଷପତି ଦିଦି’ ମାଧ୍ୟମରେ ମହିଳାମାନଙ୍କର ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ୱ ସମୃଦ୍ଧ ମୟୂରଭଞ୍ଜ-ବିକଶିତ ଓଡ଼ିଶାର ଲକ୍ଷ୍ୟ ରଖି ଜିଲ୍ଲାର ୨୫ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା ରଥଯାତ୍ରା ସୁପରିଚାଳନା ପାଇଁ ବିଭିନ୍ନ ବିଭାଗୀୟ ସର୍ବୋତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଭୁବନେଶ୍ୱର, ୧୫/୦୭/୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଜୁଲାଇ ମାସର ୧୫ ଦିନ ମଧ୍ୟରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହା ମଧ୍ୟରେ ୟୁଏଇଭିତ୍ତିକ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଗ୍ରୁପ୍ ଓ ଅଦାନୀ ଏଣ୍ଟରପ୍ରାଇଜସ୍ ଏକ ଗ୍ରିନ୍ ଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ସହିତ ଏକ ଐତିହାସିକ ବୁଝାମଣା ଚୁକ୍ତି (ଏମଓୟୁ) ସ୍ୱାକ୍ଷର, ଜାପାନର ଆଇଏଚଆଇ କର୍ପୋରେସନ୍, ମିତସୁବିଶି ଗ୍ୟାସ କମ୍ପାନୀ ଏବଂ ଏସିଏମ୍ଇ ଗ୍ରୁପ ସହିତ ବଡ ପରିମାଣର ସବୁଜ ଊର୍ଜା ପ୍ରକଳ୍ପ ନେଇ ଏକ ସହଯୋଗ ବୁଝାମଣାପତ୍ର ସ୍ୱାକ୍ଷର, ପୂର୍ବ କ୍ଷେତ୍ରୀୟ ପରିଷଦର ୧୫ତମ ସ୍ଥାୟୀ କମିଟି ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବା, ମାନ୍ୟବର ଉପରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ଏବଂ ଦୂର ତଥା ଗଭୀର ସମୁଦ୍ରରେ ସ୍ଥାୟୀ ମାଛ ଧରା ଏବଂ ‘ଓଡ଼ିଶା ଡିପ୍ ସି ମିଶନ୍ ଡକ୍ୟୁମେଣ୍ଟ’ ର ଶୁଭାରମ୍ଭ, ବାମପନ୍ଥୀ ଆତଙ୍କବାଦ ଦମନରେ ଓଡ଼ିଶାର ଅସାଧାରଣ ସଫଳତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଣାଳୀକୁ ସୁଦୃଢ କରିଥିବା ଯୋଗୁଁ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶା ପୋଲିସଙ୍କୁ ବିଶେଷ ସମ୍ମାନ ପତ୍ର ମିଳିବା , ପୁରୀ–କୋରାପୁଟ ଏକ୍ସପ୍ରେସ୍ ( ଶ୍ରୀକ୍ଷେତ୍ରରୁ ସାବର ଶ୍ରୀକ୍ଷେତ୍ର ) ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଥିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ । ଆସନ୍ତା କାଲି ଅନୁଷ୍ଠିତ ହେଉଥିବା ଶ୍ରୀଗୁଣ୍ଡିଚା ରଥ ଯାତ୍ରାଠାରୁ ଆରମ୍ଭ କରି ଆଗାମୀ ଜୁଲାଇ୨୭ ରେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପବିତ୍ର ଘୋଷ ଯାତ୍ରା ଅବସରରେ ସଂପୃକ୍ତ ସମସ୍ତ ସଚିବମାନଙ୍କୁ ରଥଯାତ୍ରାର ସୁ ପରିଚାଳନା ପାଇଁ ସର୍ବୋତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ବୈଠକରେ ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସାଏ ଯୋଗଦେଇ ସମୃଦ୍ଧ ମୟୂରଭଞ୍ଜ-ବିକଶିତ ଓଡ଼ିଶାର ଲକ୍ଷ୍ୟ ରଖି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ତଥା ଅଗ୍ରାଧିକାର କ୍ଷେତ୍ର ସଂପର୍କିତ ୨୫ ଟି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବିସ୍ତୃତ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ । ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏବଂ ରାସଗୋବିନ୍ଦପୁର ସ୍ଥିତ ଏୟାରଷ୍ଟ୍ରିପ୍ ର ଉନ୍ନତିକରଣ , ବାଙ୍ଗିରିପୋଷି ଘାଟିର ପ୍ରଶସ୍ତିକରଣ, ବାରିପଦାଠାରେ ଅଟଳ ବଷ୍ଟଷ୍ଟାଣ୍ଡ ନିର୍ମାଣ, ଜିଲ୍ଲାରେ ସଡକ ସୁରକ୍ଷା ପ୍ରକଳ୍ପ କାର୍ଯ୍ୟକାରୀ, ବିଭିନ୍ନ ସଡ଼କର ପ୍ରଶସ୍ତିକରଣ ଓ ସଂପ୍ରସାରଣ , ବାରିପଦାରେ ବନ୍ୟା ସୁରକ୍ଷା ପାଇଁ ରିଙ୍ଗ ରୋଡ ତଥା ତଟବନ୍ଧ ନିର୍ମାଣ, ବୁଢ଼ାବଳଙ୍ଗ ନଦୀରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ, ଖଇରିବନ୍ଧନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି, ଡେଙ୍ଗାମ ଠାରେ ଏମଆଇପି ନିର୍ମାଣ, ଜିଲ୍ଲାରେ ପ୍ରସ୍ତାବିତ ବିଭିନ୍ନ ମେଗା ଲିପ୍ଟ ପ୍ରକଳ୍ପ ଏବଂ ମେଗା ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ , ବିଭିନ୍ନ ବ୍ଲକରେ ଷ୍ଟାଡିଅମ ନିର୍ମାଣ, ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ, ବିଭିନ୍ନ ଜିବିକା ଅର୍ଜନ କାର୍ଯ୍ୟକ୍ରମ, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ମୟୁରଭଞ୍ଜରେ ଓୟୁଏଟି ସ୍ଥାପନ, ରାଇରଙ୍ଗପୁରକୁ ମଡେଲ ଟାଉନ ଭାବେ ବିକଶିତ କରାଯିବା, ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ରାଇରଙ୍ଗପୁର ଠାରେ ଇଗ୍ନୋ ଆଂଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ସ୍ଥାପନ, ମାତୃ-ଶିଶୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକା ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସଂପୃକ୍ତ ବିଭାଗର ସଚିବମାନେ ସେମାନଙ୍କର ମତ ରଖି ଆବଶ୍ୟକ ପରାମର୍ଶ ଦେଇଥିଲ । ଜିଲ୍ଲାର ପାରମ୍ପରିକ ଖାଦ୍ୟ, ଶିମିଳିପାଳ ମହୁ, ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି, ପର୍ଯ୍ୟଟନ ପାଇଁ ପ୍ରୋତ୍ସାହନ ଆଦିକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଜନଜାତି ବହୁଳ ଜିଲ୍ଲାର ଆର୍ଥିକ ତଥା ସର୍ବାଙ୍ଗୀନ ବିକାଶ ପାଇଁ ଜୀବିକା ନିର୍ବାହ କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ଜିଲ୍ଲାର ସାଂସ୍କୃତିକ ଏୗତିହ୍ୟର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ସମସ୍ତ ବିଭାଗୀୟ ସମନ୍ୱୟରେ ମୟୂରଭଞ୍ଜକୁ ‘ବିକଶିତ ଓଡ଼ିଶା’ର ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ବିଭିନ୍ନ ପରାମର୍ଶ ଦେଇଥିଲେ । ବୈଠକରେ ଡିରେଗୁଲେସନ୍ ୨.୦ ଅଧୀନରେ ବ୍ୟବସାୟ କରିବାର ସୁବିଧା ବୃଦ୍ଧି ପାଇଁ ଚାଲିଥିବା ପ୍ରଶାସନିକ ଓ ଆଇନଗତ ସଂସ୍କାର ସଂପର୍କରେ ବିଭିନ୍ନ ବିଭାଗର ପଦକ୍ଷେପ ଓ ପ୍ରସ୍ତାବ ନେଇ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗରେ ଅନୁମତି ପ୍ରକ୍ରିୟା ସରଳୀକରଣ, ଅନାବଶ୍ୟକ ଅନୁମୋଦନ ପଦ୍ଧତିକୁ ହଟାଇବା, ସ୍ୱଘୋଷଣା ଭିତ୍ତିକ ବ୍ୟବସ୍ଥା, ଜନ ବିଶ୍ୱାସ ୨.୦ ବିଧେୟକ ଓ ଏମ୍.ଏସ୍.ଏମ୍.ଇ ସୁବିଧା ସମ୍ବନ୍ଧୀୟ ସଂସ୍କାରର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା । ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ସଂସ୍କାରମୂଳକ ପଦକ୍ଷେପ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଭିଜନ ଲକ୍ଷ୍ୟ ହାସଲ ପାଇଁ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ‘ସୁଭଦ୍ରା- ଲକ୍ଷପତି ଦିଦି’ ମାଧ୍ୟମରେ ଓଡ଼ିଶାରେ ମହିଳାମାନଙ୍କର ଅର୍ଥନୈତିକ ପ୍ରଗତି, ସମନ୍ୱିତ ପ୍ରୟାସରେ ମହିଳା ସଶକ୍ତିକରଣ ଆଦି ସଂପର୍କରେ ବିଭିନ୍ନ ସମ୍ଭାବନାର ଦିଗ ଉପସ୍ଥାପନ କରିଥିଲେ । ସୁଭଦ୍ରା ଶକ୍ତି ବ୍ରାଣ୍ଡ, ଉଦ୍ୟୋଗପତି ଦିଦି, ବଜାର କେନ୍ଦ୍ର, ଇ-କମର୍ସ, ଉତ୍ପାଦକ ଗୋଷ୍ଠୀ, ଆର୍ଥିକ ସହାୟତା ଓ ମହିଳା ଉଦ୍ୟୋଗୀକରଣ ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆଗାମୀ କାର୍ଯ୍ୟଯୋଜନା ଉପରେ ସେ ଆଲୋଚନା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରୀ କାର୍ଯ୍ୟରେ ଅଧିକ ସମ୍ପୃକ୍ତ କରିବା ଉଦ୍ଦେଶ୍ୟରେ ସମୀକ୍ଷା କରାଯାଇଥିଲା । ସମସ୍ତ ବିଭାଗକୁ ଏହି ପଦକ୍ଷେପକୁ ଆହୁରି ବ୍ୟାପକ କରିବା ସହ ଡିଜିଟାଲ୍ କନଭର୍ଜେନ୍ସ ପୋର୍ଟାଲ୍ ମାଧ୍ୟମରେ ନିୟମିତ ତଥ୍ୟ ଅଦ୍ୟତନ କରିବାକୁ ପରାମର୍ଶ ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆନ୍ତଃ ର୍ବିଭାଗୀୟ ସୁସମନ୍ୱୟ, ପ୍ରଯୁକ୍ତିର ବ୍ୟବହାର, ନିୟମିତ ସମୀକ୍ଷା ସହ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ସହିତ ଲୋକମାନଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।
