କ୍ଷୁଦ୍ରଗଳ୍ପ : ଦାୟୀ କିଏ ?
*କ୍ଷୁଦ୍ରଗଳ୍ପ : ଦାୟୀ କିଏ l ଡ. ପ୍ରେମାନନ୍ଦ ବେହେରା*ସକାଳୁ ସକାଳୁ ବାସି ତୋରାଣି ମୁନ୍ଦାଏ ପିଇ ଦେଇ ଚାଷଜମିକୁ ବାହାରି ପଡ଼ିଲା ମଦନ । ଗାଁ ମୁଣ୍ଡ ପାଖରେ ଥିବା ପୋଖରୀ ପାଖରେ ପ୍ରାୟ ଦୁଇ ହେକ୍ଟର ଜମି । ଅଧିକ ଜମି ନ ଥିଲେ ବି ପରିଶ୍ରମ କରି ସୁନା ଫଳାଏ ବୋଲି ପାଞ୍ଚଖଣ୍ଡ ଗାଁରେ ତା’ ସୁନାମ । ଏ ବର୍ଷ ଜିଲ୍ଲାସ୍ତରୀୟ କୃଷକ ମେଳାରେ ଶ୍ରେଷ୍ଠ ଚାଷୀ ପୁରସ୍କାର ପାଇଥିଲା ଜିଲ୍ଲା ପ୍ରଶାସନଠୁଁ । ଭାରି ସରଳ, ମେଳାପୀ ଓ ପରୋପକାରୀ । ନିଜ ଘର ଠାରୁ ଆରମ୍ଭ କରି ଚାଷଜମି ମଧ୍ୟରେ ସୀମିତ ତାର ପୃଥିବୀ । ସ୍କୁଲରେ ପାଠ ନ ଜାଣିଲା ବୋଲି ଅବଧାନେ ବାଡେଇଲା ଦିନଠାରୁ ଆଉ ସ୍କୁଲର ଦୁଆରବନ୍ଧ ମାଡିନି । ପିଲାଦିନୁ ବାପା ସହିତ ମିଶି ଚାଷ କରୁଛି । ମାଟି ସହିତ ମାଟି ହୋଇଛି । ଖରା ବର୍ଷା ଶୀତକୁ ତା’ର ଖାତିର ନାହିଁ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜ କାମରେ ଲାଗିପଡ଼ିଥାଏ । “କର୍ମ ହିଁ ଭଗବାନ” ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିଥାଏ । ତାକୁ କୋଡିଏ ବର୍ଷ ହେବା ବେଳେ ବାପା ଚାଲିଗଲେ । ତା’ ପରେ ପରିବାରର ବୋଝ ମୁଣ୍ଡେଇ ନିର୍ବିକାର ଭାବରେ ଆଗକୁ ବଢି ଚାଲିଛି । ତିନି ଭଉଣୀ ବାହାଘର ଓ ସାନ ଭାଇକୁ ମଣିଷ କରିବାକୁ ପେଟରେ ଓଦାକନା ଦେଇ ସଂଗ୍ରାମ କରି ତିଷ୍ଠି ରହିଛି ଏ ଯାଏଁ । ମଦନର ସଂସାର କହିଲେ ସ୍ତ୍ରୀ ଶାନ୍ତି, ପୁଅ ରାଜା ଓ ଝିଅ ଦିଶା । ଛୋଟ ପରିବାର ସୁଖୀ ପରିବାର ନୀତିକୁ ଆପଣେଇ ନେଇଛନ୍ତି ଦମ୍ପତ୍ତି । ଦିଶାର ବାହାଘର ସରିଛି । ଜ୍ବାଇଁ ହୀରାକୁଦରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଛି । ପୁଅ ମ୍ୟାଟ୍ରିକ ଫେଲ ହୋଇ ବେକାର । ଯେତେ ବୁଝେଇବା ପରେ ବି ରାଜା ବାପାର କାମରେ ହାତ ବାଣ୍ଟୁନି । ଗାଁର ଛତରା ଟୋକାଙ୍କ ସହ ମେଳି ବାନ୍ଧିଛି । ନିଶା ସେବନରେ ସେ ଅଭ୍ୟସ୍ତ ହୋଇଗଲାଣି । ଗାଁ ଶେଷରେ ଥିବା ବରଗଛ ମୂଳ ତା’ର ଘର ହୋଇଛି । ଭେଣ୍ଡିଆ ପୁଅ । କିନ୍ତୁ ଅକର୍ମା । ଅଜାଗା ଘା’ ନିଜେ ଦେଖିପାରୁନି କି କାହାକୁ ଦେଖେଇ ପାରୁନି ମଦନ । ନିଜ ଭାଗ୍ୟଫଳ ବୋଲି ଭାବି ନେଇ ଆଉ ପୁଅକୁ କିଛି କୁହେନି । ଅନେକ କଥା ଭାବୁ ଭାବୁ ମଦନ ଜମିରେ ପହଞ୍ଚିଗଲା । ଆଷାଢ଼ର ପହିଲି ବର୍ଷା ପରେ ଜମିକୁ ଏ ବର୍ଷ ଭଲ କରି କର୍ଷଣ କରିଛି । ଧାନ ବୁଣିବାର ସମୟ ହୋଇଗଲାଣି । ସମୟ ବଢିବା ସହ ଧିରେ ଧିରେ ପରିବାରର ଆବଶ୍ୟତାଗୁଡିକ ବବ୍ଦିବାରେ ଲାଗିଛି । କିନ୍ତୁ ଚାଷଜମିରୁ ଆଦାୟ କମି କମି ଯାଉଛି । ଗତବର୍ଷ ମଧ୍ୟ କମ ବର୍ଷା ଯୋଗୁଁ ଆଦାୟ କମିଯାଇଥିଲା । ଝିଅ ବାହାଘର ସମୟରେ କରିଥିବା ଋଣ ବଡ଼ କଷ୍ଟରେ ପରିଶୋଧ କରି ସାରିଛି । ବୁଣିବା ପାଇଁ ଯେତିକି ବିହନ ରଖିଥିଲା ସେତକ ମଧ୍ୟ ପରିବାର ଭରଣ ପୋଷଣରେ ସରିଯାଇଛି । ହାତରେ ପଇସା ନାହିଁ । ଚିନ୍ତାଗ୍ରସ୍ତ ହୋଇପଡିଲା । ଜୀବନରେ ସେ କେବେ କାହା ପାଖରେ ହାତ ପତାଇ ନାହିଁ । ଗରିବ ହେଲେ ବି କଷ୍ଟେମଷ୍ଟେ ଚଳାଇ ନେଉଥିଲା । ପରିଶେଷରେ ଟଙ୍କା ଯୋଗାଡ କରିବା ପାଇଁ ଗାଁ ମହାଜନ ପାଖକୁ ଗଲା । ଗାଁ ମହାଜନ ଟାଉଟର । ମଦନର ଉର୍ବର ବାହାଲ ଜମି ଉପରେ ମହାଜନର ନଜର ରହିଥିଲା । ମହାଜନକୁ ମଦନ କହିଲା -” ସାଆନ୍ତେ ! ଏ ଥର ମତେ କିଛି ଟଙ୍କା ଋଣ ଦିଅ । ମୁଁ ଧାନ ଅମଳ ହେଲେ, ଧାର ପରିଶୋଧ କରିଦେବି ।”ମହାଜନ ଭାବିଲା, ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା । ଟିକିଏ ମିଛ ଅଭିନୟ କରି କହିଲା ” ହଇରେ ମଦନ । ଏ ଅବେଳରେ ମତେ ଟଙ୍କା ମାଗିଲେ ମୁଁ କଉଠି ପାଇବି । ମୁଁ ତ ଟଙ୍କା ଗଛ ପୋତିନି ଯେ ତୋଳି ଆଣି ତୋ ହାତରେ ଧରେଇ ଦେବି ।”ମଦନ କାକୁତି ମିନତି ହେବା ପରେ ମହାଜନ କହିଲା ,”ପଇସା ନେଇ ପୁଣି ତୁ ପୁଣି ପରିଶୋଧ କରିପାରିବୁ – ଏ ବିଶ୍ବାସ ମୋର ନାହିଁ ।””ମତେ ବିଶ୍ବାସ କର ମହାଜନ । ମୁଁ ଫସଲ କାଟି ସାରି ସୁଧ ସହିତ ମୂଳ ସବୁ ପରିଶୋଧ କରିଦେବି ।”ବଡ଼ କଷ୍ଟ ରେ ମହାଜନ ରାଜି ହୋଇ କହିଲେ -“ଗୋଟିଏ ସର୍ତ୍ତରେ ମୁଁ ଦଶ ହଜାର ଟଙ୍କା ଦେବି । ତୋ ବାହାଲ ଜମି ମୋ ପାଖରେ ବନ୍ଧା ଦେବୁ । ଋଣ ପରିଶୋଧ କରି ନ ପାରିଲେ ଜମି ମୋର ହୋଇଯିବ ।”ବାଧ୍ୟ ହୋଇ ମହାଜନ କଥାରେ ମଦନ ରାଜି ହୋଇଗଲା । ଷ୍ଟାମ୍ପ ପେପରରେ ରାଜିନାମା କଲାପରେ ମହାଜନଠାରୁ ଦଶ ହଜାର ଟଙ୍କା ନେଇ ମଦନ ଅଜଣା ଆଶଙ୍କାରେ ଘରକୁ ଫେରିଲା । ଠିକ୍ ସମୟରେ ଫସଲ ବୁଣିଲା । ଧାନ ଗଜାଦେଲା । କ୍ଷେତରେସବୁଜିମା ଛାଇଗଲା । ଫସଲ ଦେଖି ମଦନର ଖୁସି କହିଲେ ନ ସରେ । ଜୀବନ କାଳରେ ଏତେ ସୁନ୍ଦର ଫସଲ କେବେ ଦେଖି ନ ଥିଲା । ଠିକ୍ ସମୟରେ ସାର ଓ ଔଷଧ ଦେଲା । ସୁନେଲି ରଙ୍ଗର ଧାନକ୍ଷେତ ବହୁତ ସୁନ୍ଦର ଦେଖାଯାଉଥାଏ । ଜମିକୁ ଗଲେ ପେଟ ପୁରିଯାଉଥାଏ । ଘରକୁ ଫେରିବାର ଇଚ୍ଛା ଲାଗୁ ନ ଥାଏ । ସେ ଭାବୁଥାଏ ଏ ଫସଲ ତା ପାଇଁ ସୁନା ହୀରା ଠୁଁ ବି ମୂଲ୍ୟବାନ । ଧୀର ପବନରେ ଫସଲ ଯେତିକି ଦୋହଲୁଥାଏ, ଖୁସିରେ ନାଚି ଉଠୁଥାଏ ତାର ହୃଦୟ । ଦିନେ ସେ ଶାନ୍ତିକୁ କହିଲା, “ଶାନ୍ତି ! ଆଉ ଆମ ଦୁଃଖ ରହିବନି । ଏ ଥର ଦୁଇଗୁଣା ଧାନ ପାଇବା । ଧାନ ବିକି ମହାଜନର ଋଣ ସୁଝିଲା ପରେ, ଘର ପାଇଁ ବର୍ଷକର ଚାଉଳ ଓ ଆସନ୍ତା ବର୍ଷ ପାଇଁ ବିହନ, ପୁରା ବାନ୍ଧି ସାଇତି ରଖିଦେବା । ବାକି ଯାହା ବଳିବ ତାକୁ ବିକି ସେ ପଇସାରେ ତୋ ପାଇଁ ଟିକେ ଗହଣା କିଣିବା । ଝିଅଜ୍ବାଇଁ ପାଇଁ ଭଲ ପେଣ୍ଟ, ସାର୍ଟ ଆଉ ଶାଢ଼ୀ ପଠେଇବା ।” ସ୍ବାମୀ କଥାରେ ଶାନ୍ତିର ଖୁସି କହିଲେ ନ ସରେ । ଏମିତି ଯୋଜନା ପରେ ଯୋଜନା କରିଚାଲିଥିଲା ମଦନ । ଆଶାର ସ୍ବପ୍ନରେ ବିଭୋର ହୋଇଯାଉଥିଲା । ଧାନ ପାଚିଲା । ସନ୍ଧ୍ୟାରେ ଗାଁର ପନ୍ଦର ଜଣ ଶ୍ରମିକଙ୍କୁ ଅଗ୍ରୀମ ଟଙ୍କା ଦେଇ ଆସିଲା, ପରଦିନ ଧାନ କାଟିବାକୁ । ଘରେ ରାତିରେ ଖାଇପିଇ ଶୋଇପଡ଼ିଲା । ରାତି ଗୋଟାଏରେ ଘଡ଼ ଘଡି ମେଘ ସହ ବାତ୍ୟା ଆସିଗଲା । ପବନର ବେଗ ବଢି ବଢି ଚଲିଲା । ବର୍ଷାର ପରିମାଣ ମଧ୍ୟ ବଢି ବଢି ଚଲିଲା । ମଦନର ମୁଣ୍ଡ ଉପରେ ସତରେ ଯେମିତି ବଜ୍ରପାତ ହେଲା । ବର୍ଷା ଓ ପବନ ଥମିବାର ନାଁ ନାହିଁ । ହୃଦୟର ସ୍ପନ୍ଦନ ଦୁଃଖ ଓ କୋହରେ ବଢିବାକୁ ଲାଗିଲା । ତାକୁ ଆଉ କିଛି ବୁଦ୍ଧି ଦେଖାଯାଉ ନ ଥାଏ । ନିଶ୍ଚଳ ପଥର ପରି ବସି ରହିଥିଲା । କଣ କରିବ ?କେମିତି ସୁଝିବ ମହାଜନ ଋଣ ?ଋଣ ନ ସୁଝିଲେ ଚଉଦ ପୁରୁଷ ପୈତୃକ ଜମି ……”ନା, ନା ।”ଅସୀମ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା । ରାତିସାରା ଆଉ ନିଦ ହେଲାନି । ପାହାନ୍ତିଆ ପହରରେ ଝଡ଼ କମିଗଲା । ବର୍ଷା ଛାଡ଼ିଗଲା । ସକାଳ ହେବା ପୂର୍ବରୁ ଧାଇଁ ଗଲା ଉଜୁଡି ପଡିଥିବା କ୍ଷେତକୁ । ଉଜୁଡ଼ା ଫସଲ ଦେଖି ଆଉ ସହି ପାରିଲାନି । ଶେଷରେ ବାଧ୍ୟ ହେଲା ………ମଦନ ଘର ସାମନାରେ ଗହଳି ଲାଗି ରହିଥିଲା । ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ଵଜନ, ଗାଁ ଵାଲା ସମସ୍ତେ ପହଞ୍ଚି ସାରିଥିଲେ । କୋକେଇ ଉଠିବା ସହିତ ଶାନ୍ତିର ବାହୁନି ବାହୁନି କାନ୍ଦିବାର ଶବ୍ଦ ଧୀରେ ଧୀରେ ଅସ୍ଵଷ୍ଟ ହୋଇ ଲୋକମୁଖରେ ଉଚ୍ଚାରିତ ହେଉଥିଲା, “ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ ।”ପରଦିନ ଖବର କାଗଜରେ ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲା “ଋଣ ପରିଶୋଧ କରି ନ ପାରି ଚାଷୀଙ୍କ ଆତ୍ମହତ୍ୟା” । କିଛିଦିନ ବିରୋଧୀ ଗର୍ଜି ଉଠିଲେ ସରକାରଙ୍କ ବିରୋଧରେ କ୍ଷତିପୂରଣ ଦାବି ନେଇ । କ୍ଷତି ପୂରଣ ଦିଆଗଲା ସତ । ଅକାଳରେ ଏକ ଜୀବନର ଅନ୍ତ ହୋଇଗଲା । ଶାନ୍ତି ବିଧବା ହୋଇଗଲା । ପୁଅ ଓ ଝିଅ ବାପଛେଉଣ୍ଡ ହୋଇଗଲେ । କିନ୍ତୁ, ଏଥିପାଇଁ ଦାୟୀ କିଏ ? ଦାୟୀ କିଏ ?*ମୁଖ୍ୟ ଉପଦେଷ୍ଟା*ମାନସିଂହ ସାହିତ୍ୟ ସଂସଦନନ୍ଦଳା, ପୁରୀ*ପ୍ରଧାନ ଶିକ୍ଷକ*ସତ୍ୟସେବା ଉଚ୍ଚ ବିଦ୍ୟାଳୟକନସିଂହା, ପଦ୍ମପୁର, ବରଗଡ଼ମୋ : ୯୪୩୮୨୯୨୩୧୩
