ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀ ଦୋଳଗୋବିନ୍ଦ
ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଦୋଳଗୋବିନ୍ଦ ପୁରୀ:୧/୩: ରବିବାର ଦିବା ୧୧ଘଣ୍ଟା ସମୟରେ ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ମାର୍ଚ୍ଚ ମାସର ଆଲୋଚନାଚକ୍ର ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପ୍ରଫେସର ଗୋପାଳକୃଷ୍ଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡକ୍ଟର ବିମଳ ପ୍ରସାଦ ମହାନ୍ତିଙ୍କ ରଚିତ ପୁସ୍ତକ ‘ଅନନ୍ୟ ଶ୍ରୀକ୍ଷେତ୍ର’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଉକ୍ତ ପୁସ୍ତକର ସମୀକ୍ଷା କରିଥିଲେ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ। ଉକ୍ତ ପୁସ୍ତକରେ ଶ୍ରୀକ୍ଷେତ୍ର ଆଧାରିତ ୪୨ଟି ପ୍ରବନ୍ଧ ସ୍ଥାନ ପାଇଛି । ଇପ୍ସିତ ପ୍ରତିହାରୀ ପ୍ରକାଶିତ ପୁସ୍ତକ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଆଜିର ଆଲୋଚ୍ୟ ବିଷୟ ଥିଲା ‘ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଦୋଳଗୋବିନ୍ଦ’ ବିଷୟ ଆଧାରିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ ଏବଂ ପ୍ରଫେସର ବାସନ୍ତୀ ଦେବୀ ।ଫାଲଗୁନ ମାସର ମହାବିଷ୍ଣୁ ଶ୍ରୀଜଗନ୍ନାଥ ଗୋବିନ୍ଦ ରୂପରେ ଉପାସିତ ହୁଅନ୍ତି। ଦୋଳୋତ୍ସବରେ ଗୋବିନ୍ଦଙ୍କ ଦର୍ଶନରେ ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ଵାସ ରହିଅଛି। ଶ୍ରୀମନ୍ଦିରସ୍ଥ ଦକ୍ଷିଣ ଘରେ ଶ୍ରୀଦୋଳଗୋବିନ୍ଦଙ୍କ ଅଷ୍ଟଧାତୁରେ ନିର୍ମିତ ପ୍ରତିମାଙ୍କ ଉଚ୍ଚତା ପ୍ରାୟ ୨୦ ଇଞ୍ଚ । ତାଙ୍କ ଊର୍ଦ୍ଧ୍ବ ଦକ୍ଷିଣ ହସ୍ତରେ ଗଦା, ବାମହସ୍ତରେ ପଦ୍ମ ଏବଂ ନିମ୍ନ ଦକ୍ଷିଣ ହସ୍ତରେ ଚକ୍ର ଓ ବାମ ହସ୍ତରେ ଶଙ୍ଖ ବିଶୋଭିତ। ଉଡ୍ର ରାଜବଂଶାଳୀରୁ ଜଣାଯାଏ ଯେ ରାଜା ନରସିଂହ ଦେବ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଦୋଳମଣ୍ଡପ ନିର୍ମାଣ କରି ନାରାୟଣ ମୂର୍ତ୍ତିଙ୍କୁ ଦୋଳଗୋବିନ୍ଦ ନାମରେ ଅଭିହିତ କରି ଯାତ୍ରା ପ୍ରଚଳନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିନିଧି ହେତୁ କେବଳ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ଯାନିଯାତ୍ରାରେ ବିଜେ କରନ୍ତି। ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଆଠଥର ଏବଂ ଏକାକୀ ଚାରିଥର ବିଜେ ହୋଇଥାନ୍ତି। ବସନ୍ତ ପଞ୍ଚମୀରେ ସେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଚାଚେରୀ ବେଶ ଓ ଭୋଗପରେ ବିମାନରେ ବସନ୍ତ ଗୁଣ୍ଡିଚା ତୋଟା ଓ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରନ୍ତି। ସେଠାରେ ଜଉଡାବଖେଳ ପ୍ରସାଦ ଲାଗି ଏବଂ ବେଣ୍ଟ ପୋଖରୀରେ ବେଣ୍ଟ ବିନ୍ଧା ନୀତି ପରେ ବାହୁଡା଼ ବିଜେ କରନ୍ତି। ଫଗୁଦଶମୀ ଠାରୁ ହୋଲି ପର୍ଯ୍ୟନ୍ତ ସାତଦିନ ଶ୍ରୀଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ପ୍ରଥମ ଚାରିଦିନ ଚାଚେରୀ ବେଶ ଓ ଭୋଗ ପରେ ଜଗନ୍ନାଥ ବଲ୍ଲଭ ମଠକୁ, ଚତୁର୍ଦ୍ଦଶୀରେ ମେଣ୍ଢା ପୋଡି ଓ ପୂର୍ଣ୍ଣିମୀରେ ଦୋଳବେଦୀକୁ ବିଜେ ହୋଇଥାନ୍ତି। ଶୀତଳ ଷଷ୍ଠୀ ଶିବ ବିବାହରେ ସପତ୍ନୀକ ପଞ୍ଚ ମହାଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ପଞ୍ଚଗ୍ରାସୀ ନୀତିରେ ଆତିଥେୟଚା ପ୍ରଦାନ କରନ୍ତି ଯାହା ଶୈବ-ବୈଷ୍ଣବ ସମନ୍ୱୟର ବାର୍ତ୍ତା ଦିଏ । ଋକ୍ମିଣୀ ହରଣ ଏକାଦଶୀରେ ଶ୍ରୀଦୋଳଗୋବିନ୍ଦ ଜଳକ୍ରୀଡ଼ା ନୀତିରେ ବିଜେ କରନ୍ତି। ଭାଦ୍ରବ ପୂର୍ଣ୍ଣିମାରେ ସିଂହଦ୍ଵାର ନିକଟ ବଡ଼ଛତା ମଠ ନିକଟକୁ ବିଜେ ହୁଅନ୍ତି । ସେଠାରେ ଦୋଳଗୋବିନ୍ଦ ଏବଂ ଇନ୍ଦ୍ରଙ୍କର ବନ୍ଦାପନା କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ନାଟମଣ୍ଡପସ୍ଥ ଖଟ ଉପରେ ବିଜେ ହେବାପରେ ପଞ୍ଚାମୃତ ମହାସ୍ନାନ ଓ ଅଭିଷେକ ହୁଏ । ସେଠାରେ ବେଶ, ଭୋଗ, ବନ୍ଦାପନା ପରେ ବାହୁଡା଼ ବିଜେ ହୁଏ । ଭଗବାନ ଶ୍ରୀକୃଷ୍ଣ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଖର୍ବ କରିବାପାଇଁ ଗିରି ଗୋବର୍ଦ୍ଧନ ଉତପାଟନ କରି ହସ୍ତରେ ଉତ୍ପାଟନ ପୂର୍ବକ ଛତ୍ରବତ୍ ଧାରଣ କରି ବ୍ରଜବାସୀ ଓ ଗୋଧନଙ୍କୁ ଦେଇଥିବାରୁ ଗୋଲୋକରୁ କାମଧେନୁ ଆସି ଶ୍ରୀକୃଷ୍ଣଙ୍କୁ କ୍ଷୀର ଧାରାରେ ଅଭିଷେକ କରି ‘ଶ୍ରୀଗୋବିନ୍ଦ’ ନୀମରେ ସମ୍ବୋଧିତ କରିଥିଲେ। ଗୋବିନ୍ଦ ନାମ ପ୍ରସିଦ୍ଧି ଲାଭ କଲା । ଶେଷରେ ଅନାମ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଦ୍ୟ ଏହି ଆଲୋଚନାଚକ୍ରରେ ପ୍ରେମାନନ୍ଦ ନାୟକ, ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ଅଶୋକ ଆଢ୍ୟ, ବାସନ୍ତୀ ଦେବୀ, ପୁଲକ ମିଶ୍ର, ଡକ୍ଟର କଲ୍ୟାଣୀ ନନ୍ଦୀ, ଚନ୍ଦ୍ରଶେଖର ମହାରାଣା, ବିପିନ ବିହାରୀ ଦଳାଇ, ଶରତ ଚନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗୋଛିକାର, ଡକ୍ଟର କୁମାର ଅରୋଜ୍ୟୋତି, ହୃଷିକେଶ ଶତପଥୀ, ଲକ୍ଷ୍ମୀ ପ୍ରିୟା ମହାନ୍ତି, ଅଶୋକା ମଞ୍ଜରୀ ନାୟକ, କାଦମ୍ବିନୀ ଦାଶ, ଡକ୍ଟର ପ୍ରମୋଦ କୁମାର ଦଳାଇ, ଜ୍ୟୋସ୍ନା ମହାପାତ୍ର, ଶର୍ମିଳା ମହାନ୍ତି, ଅଧ୍ୟାପକ ଦେବରାଜ ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଦାଶରଥି ମହାପାତ୍ର, ପ୍ରମୋଦ କୁମାର ଦାଶ, ସୁନୀଲ କୁମାର ମିଶ୍ର, ସୂର୍ଯ୍ୟମଣି ରଥ, ନୃସିଂହ ଚରଣ ସାହୁ ପ୍ରମୁଖ ଯୋଗଦେଇଥିଲେ ।
