ପୁରୀରେ ଲିଙ୍ଗଭିତ୍ତିକ ହିଂସା ଓ ମାନବ ଚାଲାଣ ବିରୋଧୀ ୧୬ ଦିନିଆ ସଚେତନତା ଅଭିଯାନ ଏବଂ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
ପୁରୀରେ ଲିଙ୍ଗଭିତ୍ତିକ ହିଂସା ଓ ମାନବ ଚାଲାଣ ବିରୋଧୀ ୧୬ ଦିନିଆ ସଚେତନତା ଅଭିଯାନ ଏବଂ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
ପୁରୀ, ୨୫/୧୧- ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଆଜି ଲିଙ୍ଗଭିତ୍ତିକ ହିଂସା ବିରୋଧୀ ୧୬ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଏବଂ ମାନବ ଚାଲାଣ ବିରୋଧୀ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ୧୬ ଦିନିଆ ଅଭିଯାନ ଆଜିଠାରୁ ଅର୍ଥାତ୍ ୨୫ ନଭେମ୍ବର ୨୦୨୬ ରୁ ୧୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ପାଳନ କରାଯିବ।

ପ୍ରାରମ୍ଭରେ ସ୍ଥାନୀୟ ସଂସ୍କୃତି ଭବନଠାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ସଚିବ ଶ୍ରୀମତୀ ବବିତା ପାତ୍ର, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ୟୁନିସେଫ୍ (UNICEF) ଶିଶୁ ସୁରକ୍ଷା ବିଶେଷଜ୍ଞ ଶ୍ରୀ ମାନା ବିଶ୍ୱାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ତନୁପ୍ରଭା ବେଉରା ଏବଂ ଡିଏସ୍ପି ଶ୍ରୀମତୀ ସସ୍ମିତା ବେହେରାଙ୍କ ଉପସ୍ଥିତିରେ ଏହି ଅଭିଯାନର ଉଦ୍ଘାଟନ କରାଯାଇଥିଲା। ଏହାପରେ ସଂସ୍କୃତି ଭବନଠାରୁ ଏକ ସଚେତନତା ରାଲି ବାହାରି ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ପହଞ୍ଚିଥିଲା, ଯେଉଁଠାରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଓ ବୈଠକ ଆରମ୍ଭ ହୋଇଥିଲା।
ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ୍) ଶ୍ରୀ ନୀଳମାଧବ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ରାଜକିଶୋର ଜେନା ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରକୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ ସମାଜରୁ ଲିଙ୍ଗଭିତ୍ତିକ ହିଂସା ଏବଂ ମାନବ ଚାଲାଣ ଭଳି ବ୍ୟାଧିକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ପ୍ରଶାସନ, ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଜରୁରୀ। ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କୁ ଆଇନଗତ ଅଧିକାର ଓ ସରକାରୀ ସହାୟତା ସମ୍ପର୍କରେ ସଚେତନ କରାଇଲେ ହିଁ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେହିପରି ନିଜ ବକ୍ତବ୍ୟରେ ଉପଜିଲ୍ଲାପାଳ ଶ୍ରୀ ରାଜକିଶୋର ଜେନା କହିଥିଲେ ଯେ ସମାଜରେ ଆଜି ବି ମାନବ ଚାଲାଣ ଜନିତ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ମାନବ ଚାଲାଣ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଅସୁରକ୍ଷିତ ଓ ସମ୍ବେଦନଶୀଳ ଅବସ୍ଥାରେ ରହୁଥିବାରୁ ଏହାର ମୁକାବିଲା ପାଇଁ ନାଗରିକ ସମାଜ ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସମେତ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି।
ଏହି ଶିବିରରେ ଉପସ୍ଥିତ ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀ ଏବଂ ଅଂଶଗ୍ରହଣକାରୀମାନେ ଲିଙ୍ଗଭିତ୍ତିକ ହିଂସା ଓ ମାନବ ଚାଲାଣ ରୋକିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଏଥିସହ ଜରୁରୀକାଳୀନ ସହାୟତା ପାଇଁ ମହିଳା ହେଲ୍ପଲାଇନ (୧୮୧), ଶିଶୁ ହେଲ୍ପଲାଇନ (୧୦୯୮) ଏବଂ ଜରୁରୀକାଳୀନ ହେଲ୍ପଲାଇନ (୧୧୨) ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ପରିଦର୍ଶିକା ଶ୍ରୀମତୀ ବାଲ୍ୟବତୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁହାଗୀ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
