ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୪୩ ଦିନରେ ୭୩୭ କୁକୁରଙ୍କ ସଫଳ ଅସ୍ତ୍ରପ୍ରଚାର

ବ୍ରହ୍ମପୁର; ୦୫/୦୩ : ବ୍ରହ୍ମପୁର ସହରରେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବନ୍ଧ୍ୟାକରଣ ଅଭିଯାନ ଜାରି ରହିଛି। ମେୟର ସଂଘମିତ୍ରା ଦଳେଇ ଓ କମିଶନର ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ତତ୍ତ୍ୱାବଧାନରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୭ ଫେବୃଆରୀ ଶେଷ ସୁଦ୍ଧା ୪୩ ଦିନ ମଧ୍ୟରେ ଲକ୍ଷଣୀୟ ସଫଳତା ହାସଲ କରିଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ସହରରେ ୭୩୭ଟି ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ ସଫଳତାର ସହିତ ସମ୍ପନ୍ନ ହୋଇଛି। ସେଥିମଧ୍ୟରୁ ୭୩୭ଟି କୁକୁରଙ୍କୁ ସୁସ୍ଥ ହେବା ପରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପୁନଃ ଛାଡ଼ାଯାଇଛି। ସମସ୍ତ ଅସ୍ତ୍ରୋପଚାର ଓ ଟିକାକରଣ ପ୍ରକ୍ରିୟା ପଶୁ ଚିକିତ୍ସକମାନଙ୍କ ନିର୍ଦ୍ଦେଶନାରେ ସଫଳତାର ସହିତ କରାଯାଇଛି।
ଏହି ଉଦ୍ୟମ ଫଳରେ ସହରରେ ବୁଲା କୁକୁରଙ୍କ ଅନିୟନ୍ତ୍ରିତ ବଂଶବୃଦ୍ଧି ହ୍ରାସ ପାଇବା ସହିତ ଜଳାତଙ୍କ (ରେବିଜ୍) ଭଳି ରୋଗର ଆଶଙ୍କା କମିବା ଓ ସହରବାସୀଙ୍କ ପାଇଁ ଅଧିକ ସୁରକ୍ଷିତ ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ବ୍ରହ୍ମପୁର ମହାନଗର ନିଗମର ଏହି ପଦକ୍ଷେପ ସହରର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପଶୁ କଲ୍ୟାଣ ପ୍ରତି ତାଙ୍କର ଦାୟିତ୍ୱବୋଧକୁ ସ୍ପଷ୍ଟ କରୁଛି । ସହରବାସୀମାନଙ୍କ ସହଯୋଗ ମିଳିଲେ ଏହି ଅଭିଯାନ ଆଗାମୀ ଦିନରେ ଆହୁରି ସଫଳ ହେବ ବୋଲି କହିଛନ୍ତି ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା।
ଯାଞ୍ଚ ବେଳେ କମିଟିର ଅଧ୍ୟକ୍ଷ ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସ ଥିବା ବେଳେ, ଉପଖଣ୍ଡ ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅରବିନ୍ଦ ବେହେରା,ଡ଼. ସତ୍ୟନାରାୟଣ କର ଓ ରାଜ୍ୟ ପଶୁ କଳ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ, ଅସିଷ୍ଟାଣ୍ଟ କମିଶନର ବିଭୁ ପ୍ରସାଦ ମହାପାତ୍ର ଓ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା ଉପସ୍ଥିତ ଥିଲେ । ପରେ ଉକ୍ତ ଅଙ୍ଗଗୁଡ଼ିକୁ ନିୟମାନୁସାରେ ପୋତା ଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *