ରଥ ଉପରେ ଶ୍ରୀଜୀଉଙ୍କ ‘ସୁନାବେଶ’ ଦେଖିବାକୁ ପ୍ରବଳ ଜନସମାଗମ

ହିଞ୍ଜିଳିକାଟୁ :-୧୭/୭ (ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥାରୂଢ ଶ୍ରୀଜୀଉ ମାନଙ୍କ ବଡ଼ ଏକାଦଶୀ ଉପଲକ୍ଷେ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳ ୬ଟାରୁ ଶ୍ରୀଜୀଉ ମାନଙ୍କ ସମସ୍ତ ଦୈନିକ ରୀତିନୀତି ରଥ ଉପରେ ହିଁ ସମ୍ପର୍ଣ୍ଣ କରାଯାଇଥିଲା । ବୁଧବାର ହରିଶୟନ ବଡ଼ ଏକାଦଶୀ ଉପଲକ୍ଷେ ପ୍ରାତଃ ଠାରୁ ମଧ୍ୟାନ୍ନ ପର୍ଯ୍ୟନ୍ତ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନଙ୍କ ସୁଅ ଛୁଟିଥିଲା । ମଧ୍ୟାନ୍ନ ଧୂପ ପରେ ମହାପ୍ରଭୂଙ୍କ ଅନ୍ୟାନ ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଏକାଦଶୀର ବିଶେଷ ଆକର୍ଷଣ ଶ୍ରୀ ଜୀଉ ମାନଙ୍କ ସୁନାବେଶ ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସହାୟକ ସେବକ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ସୁନାବେଶ ଓ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ପାର୍ଶ୍ବ ଦେବଦେବୀଙ୍କ ଆଳତି ସମ୍ପର୍ଣ୍ଣ ପରେ ବିଜେ ପ୍ରତିମା ଶ୍ରୀ ମଦନମୋହନ ବାଦ୍ୟବାଜଣା ଓ ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ୩ ଥର ରଥ ପରିକ୍ରମା କରଥିିଲେ । ସେବାଧିପତି ସେବକ ଜଗନ୍ନାଥ ସାହୁ ମହାଦୀପ ଧାରଣ କରିଥିଲେ । ପରେ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରାଯାଇଥିଲା । ରଥଯାତ୍ରା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ପୌରାଣିକ ନାଟକ ଭାରତଲୀଳା ମଞ୍ଚସ୍ଥ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ରାଜବାଟି ଓ ପାଟଣା ସାହି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମେତ ବୁରୁପୋଡା, କଞ୍ଚୁରୁ, ଦୁର୍ବନ୍ଧ, ସାରୁ, ମକରଝୋଳ, ପିତଳ, ଶାସନଆମ୍ବଗାଁ, ଅଲାରିଗଡ ପ୍ରଭୃତି ଅଞ୍ଚଳର ଶ୍ରୀଜୀଉ ମାନଙ୍କୁ ଆକର୍ଷଣୀୟ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ଗୁରୁବାର ଅଧରପଣା ନୀତି ଓ ଶୁକ୍ରବାର ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଚାଳନା ପାଇଁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *