ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ୍ ଟପ୍ ଏକ୍ସରସାଇଜ ଅନୁଷ୍ଠିତ
ପୁରୀ ୧୮/୬- ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ପୁରୀ ଜିଲ୍ଲା ରେ ଶନିବାର ଦିନ ଟେବୁଲ୍ ଟପ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା। ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଶ୍ରୀ ଦିଲିପ କୁମାର ମହାପାତ୍ର ଅଧ୍ୟକ୍ଷତା କରିବା ସହ ବିବିଧ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ରାଜ୍ୟ ରିଲିଫ କମିଶନର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ, ଯୁଗ୍ମ ଏସ. ଆର୍ .ସି. ଲିପିକା ଦାସ,ଏଡି ଏମ୍ ଓ ପୁରୀ, ଓସଡାମାର ଟ୍ରେନିଂ ମ୍ୟାନେଜର ସ୍ୱାତୀ ସୁଲଗ୍ନା, ଜିଲ୍ଲା ସଂଯୋଜକ ଶ୍ରୀ ଆଶୁତୋଷ ଦାସ, ଜିଲ୍ଲା ପ୍ରୋଜେକ୍ଟ ଅଫିସର ବାପି ବିଶ୍ୱଜିତ ସାହୁ ବିପର୍ଯ୍ୟୟର କାରଣ, ନିରାକରଣ, ପ୍ରସ୍ତୁତି, ବିଭାଗ ଅନୁସାରେ ଆକ୍ସନ ପ୍ଲାନ୍ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସେମାନଙ୍କ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଏକ୍ସରସାଇଜ ଶନିବାର ସମସ୍ତ ବ୍ଲକ୍ ମାନଙ୍କରେ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସଦରମହକୁମା ସର୍କିଟ ହାଉସ ଠାରେ ଓ ସମସ୍ତ ୧୭୯ ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।
